ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ୱରରେ ପହଂଚିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଶନିବାର ରାତି ୭ଟା ୧୫ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ତାଙ୍କୁ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଛନ୍ତି। ସେହିଭଳି ରାଷ୍ଟ୍ରପତିଙ୍କୁ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ, ପୁଲିସ ଡିଜି ମଧ୍ୟ ସ୍ୱାଗତ ଜଣାଇଛନ୍ତି।

ରାଷ୍ଟ୍ରପତି କୋବିନ୍ଦ ବିମାନବନ୍ଦରରୁ ସିଧାସଳଖ ରାଜଭବନ ଯିବେ। ସେଠାରେ ସେ ଆଜି ରାତ୍ରିଯାପନ କରିବେ। ୮ ତାରିଖ ପୂର୍ବାହ୍ନରେ ସେ ଖୋର୍ଧାର ବରୁଣେଇ ପୀଠକୁ ଯିବେ। ସେଠାରେ ହେବାକୁ ଥିବା ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ ସଭାରେ ଯୋଗଦେବେ‌। ସେଠାରୁ ଉତ୍କଳ ବିଶ୍ବବିଦ୍ୟାଳୟ ଆସି ପ୍ଲାଟିନମ ଜୁବୁଲିର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ବାଣୀବିହାରରୁ ଦିନ ପ୍ରାୟ ୧.୪୫ରେ ରାଜଭବନ ଫେରିବେ। ରାଜଭବନରେ କିଛି ସମୟ ବିଶ୍ରାମ ନେବା ପରେ ସଂଧ୍ୟା ପ୍ରାୟ ୫ଟା ୨୦ରେ ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର