୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ରାମାନାଥ କୋବିନ୍ଦ

ସ୍ବାଗତ ଜଣାଇଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରାଜଧାନୀ ଭୁବନେଶ୍ବରେ ପହଞ୍ଚିଛନ୍ତି । ରାଷ୍ଟ୍ରପତିଙ୍କ ସହିତ ଭାରତର ପ୍ରଥମ ମହିଳା ସବିତା କୋବିନ୍ଦ ମଧ୍ୟ ଏହି ଗସ୍ତରେ ଆସିଛନ୍ତି।  ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନରେ ସେ ଶନିବାର ସନ୍ଧ୍ୟା ୬.୨୫ରେ ଭୁବନେଶ୍ବର ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି । ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ, ଭୁବନେଶ୍ବର ସାଂସଦ ଅପରାଜିତା ଷଢ଼ଙ୍ଗୀ, ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଏବଂ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ରାଷ୍ଟ୍ରପତି ବିମାନବନ୍ଦରରୁ ସିଧା ରାଜଭବନ ଯାଇଛନ୍ତି ଏବଂ ସେଠାରେ ସେ ଆଜି ରାତ୍ରିଯାପନ କରିବେ।

୨୧ ତାରିଖ ସକାଳ ୯ଟାରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ବିମାନରେ ଝାରସୁଗୁଡ଼ା ଯିବେ ଓ ସେଠାରୁ ବାହାରି ପୂର୍ବାହ୍ନ ୧୦ଟା ୫୫ରେ ରାଉରକେଲାରେ ପହଂଚିବେ। ରାଉରକେଲା ଏନ୍ଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଅପରାହ୍ନରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲର ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ଭୁବନେଶ୍ବର ଫେରିବେ। ରବିବାର ମଧ୍ୟ‌ ସେ ରାଜଭବନରେ ରାତ୍ରିଯାପନ କରିବେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୨ ତାରିଖ (ସୋମବାର)ରେ ହେଲିକପ୍ଟରରେ ପୁରୀ ଯିବେ। ସେଠାରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ସେଠାରୁ କୋଣାର୍କ ଯାଇ ମଧ୍ୟାହ୍ନ ଭୋଜନ କରିବେ। ଅପରାହ୍ନରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବେ। ସନ୍ଧ୍ୟା ୫ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ନୂଆଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ରାଷ୍ଟ୍ରପତିଙ୍କ ଆଗମାନକୁ ଆଖିରେ ରଖି କମିସନରେଟ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିମାନ ବନ୍ଦରରୁ ରାଜଭବନ ଯାଏ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ରହିଛି । ୩୦ ପ୍ଲାଟୁନ ଫୋର୍ସ,ହୋମଗାର୍ଡ ଅନ୍ୟ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ସୁରକ୍ଷା ତଦାରଖ ଲାଗି ୧୦୦ରୁ ଅଧିକ ଅଫିସର , ୮ ଜଣ ଅତିରିକ୍ତ ଏସପି ,୧୨ ଏସିପି, ୧୭ ଇନିସପେକ୍ଟର ନିୟୋଜିତ ହୋଇଛନ୍ତି ।

 

ସମ୍ବନ୍ଧିତ ଖବର