ସମାଜର ଅବହେଳିତ, ନିଷ୍ପେସିତଙ୍କ ହକ୍‌ ପାଇଁ ଲଢ଼େଇ କରନ୍ତୁ ଆଇନ୍‌ ଛାତ୍ର: ରାଷ୍ଟ୍ରପତି ରାମନାଥ କୋବିନ୍ଦ

କଟକ କାର୍ଯ୍ୟକ୍ରମ ଶେଷ କରି ଶ୍ରୀକ୍ଷେତ୍ରରେ ପହଞ୍ଚିଲେ କୋବିନ୍ଦ

କଟକ/ପୁରୀ: ‘ଆଇନ୍‌’ର ପରିସର ଦିନକୁ ଦିନ ବଢ଼ିବାରେ ଲାଗିଛି। ସମାଜର ଅବହେଳିତ ଓ ନିଷ୍ପେସିତଙ୍କ ହକ୍‌ ପାଇଁ ଆଇନ୍‌ ଛାତ୍ରଛାତ୍ରୀମାନେ ଲଢ଼େଇ କରନ୍ତୁ ବୋଲି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର କହିଛନ୍ତି। କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ୩ୟ ପ୍ରତିଷ୍ଠା ଦିବସ ଅବସରରେ ରାଷ୍ଟ୍ରପତି ଅଭିଭାଷଣ ଦେଇ କହିଛନ୍ତି, ଅଦାଲତଙ୍କ ଗୁୁରୁତ୍ୱପୂର୍ଣ୍ଣ ରାୟ ସବୁ ସ୍ଥାନୀୟ ଭାଷାରେ ଅନୁବାଦ ହେବା ଦରକାର। ଆଇନ ସଚେତନତା ରହିଲେ ସବୁ ବର୍ଗର ଲୋକେ ଉପକୃତ ହେବେ ବୋଲି ରାମନାଥ କହିଛନ୍ତି।

ରାଷ୍ଟ୍ରପତି କୋବିନ୍ଦ କଟକ କାର୍ଯ୍ୟକ୍ରମ ଶେଷ କରି ପୁରୀରେ ପହଞ୍ଚିଛନ୍ତି। ସେ ରବିବାର ସକାଳୁ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କୋବିନ୍ଦ ଶନିବାର ପୁରୀ ସର୍କିଟ ହାଉସରେ  ସପରିବାର ରାତ୍ରି ଯାପନ କରିବେ। କୋବିନ୍ଦ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ଜଣାଇ ସର୍କିଟ ହାଉସକୁ ନିଆଯାଇଥିଲା।

ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ବିଜୁ ବାବୁଙ୍କ ଆଦର୍ଶ ଓ ଦକ୍ଷତା ଯୁବକଙ୍କ ପ୍ରେରଣା ପାଲଟିବ। ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବରେ ଗଢ଼ି ତୋଳିବାକୁ ବିଜୁ ବାବୁ ସ୍ୱପ୍ନ ଦେଖୁଥିଲେ ଓ ସେଥିପାଇଁ ସଂଗ୍ରାମ ଜାରି ରଖିଥିଲେ। ଏହି ଅବସରରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ର, ରାଜ୍ୟପାଳ ଏସ୍‌.ସି. ଜମିର ଓ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିିନିତ ସରଣ ଉପସ୍ଥିତ ଥିଲେ।

ପୂର୍ବରୁ  ରାଷ୍ଟ୍ରପତି ରାମନାଥ କୋବିନ୍ଦ ତୁଳସୀପୁରସ୍ଥିତ  ‘ଆନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ର’କୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ। ଏହି ଅବସରରେ ସେ କହିଥିଲେ, ଭାରତ ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶରେ ୨ଟି ଆନନ୍ଦ ଭବନ ଥିଲା। ଗୋଟିଏ ଉତ୍ତରପ୍ରଦେଶର ଆହ୍ଲାବାଦରେ ଥିବା ବେଳେ ଅନ୍ୟଟି କଟକରେ ଥିଲା ।  ବିଜୁ ବାବୁ ଯାହାବି କରୁଥିଲେ କଳିଙ୍ଗବାସୀଙ୍କ ପାଇଁ କରୁଥିଲେ। ଆମ ଜୀବନରେ ବିଜୁବାବୁଙ୍କ ଚିନ୍ତାଧାରାକୁ ଚରିତାର୍ଥ କରିବା ଉଚିତ ବୋଲି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର