ଆଜି ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପୂର୍ବାହ୍ନ ୧୦ଟା ୪୫ରେ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ରାଜ୍ୟପାଳ ଏସ୍‌.ସି. ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିବେ। ସେଠାରୁ ସଡ଼କପଥରେ କଟକ ଯିବେ। ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟରେ ପହଞ୍ଚି ବୁଲି ଦେଖିବେ। ସେଠାରୁ ବାହାରି ତୁଳସୀପୁରସ୍ଥିତ ଆନନ୍ଦ ଭବନକୁ ଯିବେ। ଆନନ୍ଦ ଭବନରେ ପହଞ୍ଚି ‘ଆନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ର’କୁ ଜାତି ଉଦ୍ଦେଶ୍ୟରେ ଉତ୍ସଗୀକୃତ କରିବେ। ଅପରାହ୍ନରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ବକ୍ତତା ପ୍ରଦାନ କରିବେ। ସେଠାରୁ ହେଲିକପଟରରେ ପୁରୀ ଯାଇ ସର୍କିଟ ହାଉସ୍‌ରେ ରାତ୍ରୀ ଯାପନ କରିବେ।

ଗସ୍ତର ଦ୍ୱିତୀୟ ଦିବସରେ ରାଷ୍ଟ୍ରପତି ସକାଳେ ଶ୍ରୀମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ। ପରେ ପୁରୀସ୍ଥିତ ଶ୍ରୀ ସଦାଶିବ କ୍ୟାମ୍ପସରେ ହେବାକୁ ଥିବା ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ(ଡିମ୍‌ଡି ବିଶ୍ୱବିଦ୍ୟାଳୟ)ର ଶତବାର୍ଷିକ ଉତ୍ସବରେ ଯୋଗଦେବେ। ସେଠାରୁ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ। ରାଷ୍ଟ୍ରପତିଙ୍କ ସହ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତି ଉପସ୍ଥିତ ରହିବେ।

ସାଢ଼େ ତିନିଟାରେ ଭୁବନେଶ୍ୱର ଆଇଆଇଟି ସମାବର୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେବା ସହ ଆଇସିଟି-ଆଇଓସି ଭୁବନେଶ୍ୱର କ୍ୟାମ୍ପସ ଓ ସ୍କିଲ୍‌ ଡେଭଲପ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଅପରାହ୍ନ ୫ଟା ୩୦ରେ ଓଡ଼ିଶା ଛାଡ଼ିବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସମେତ କଟକ ଓ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ମହାନିର୍ଦେଶକଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଆଜି ଦିନତମାମ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଭୁବନେଶ୍ୱର ଓ କଟକରେ ଥିବା ସମସ୍ତେ ଗେଷ୍ଟ ହାଉସ, ହୋଟେଲ, ଲଜ୍‌ରେ ପୁଲିସ ଆଗୁଆ ଯାଞ୍ଚ ଆରମ୍ଭ କରିଛି। ବିଳମ୍ବିତ ରାତିରେ ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ବ୍ଲକିଂ ହୋଇଛି।

ଖାଇବେ ଓଡ଼ିଆ ଖାଦ୍ୟ

ଓଡ଼ିଆ ଘରର ପାରମ୍ପାରିକ ଖାଦ୍ୟ ରାଷ୍ଟ୍ରପତିଙ୍କୁ ପରସା ଯିବ। ଗସ୍ତର ପ୍ରଥମ ଦିନ ରାଷ୍ଟ୍ରପତି କଟକରେ ମଧ୍ୟାହ୍ନଭୋଜନ ଓ ପୁରୀ ସର୍କିଟ ହାଉସ୍‌ରେ ରାତ୍ରିଭୋଜନ କରିବେ। ଉଭୟ ସ୍ଥାନରେ ରାଷ୍ଟ୍ରପତିଙ୍କୁ ଓଡ଼ିଆ ଖାଦ୍ୟ ପରସା ଯିବ। ଗସ୍ତର ଦ୍ୱିତୀୟ ଦିନରେ ରାଜଭବନ ପରିସରରେ ମଧ୍ୟାହ୍ନଭୋଜନ କରିବେ। ରାଷ୍ଟ୍ରପତିଙ୍କ ଲାଗି ଖାଦ୍ୟରେ ଖିଚୁଡି, ଡାଲମା, ସାଗ ଭଜା, ସନ୍ତୁଳା, ବଡ଼ିଚୁରା, ବେସର, ଖଟା, ସାଲାଡ୍‌, ପନିର, ଇଡ୍‌ଲି, ଉପମା ଆଦି ମେନ୍ୟୁ ରହିଛି।

ଗସ୍ତ ପୂର୍ବରୁ ଓଡ଼ିଆରେ ଟୁଇଟ୍‌

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ ଆଜି ରାଷ୍ଟ୍ରପତି ଭବନରୁ ଟୁଇଟ୍‌ କରାଯାଇ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ‘ରାଷ୍ଟ୍ରପତି କୋବିନ୍ଦ ୧୭ ଓ ୧୮ ମାର୍ଚ୍ଚ ୨୦୧୮ ଓଡ଼ିଶା ଗସ୍ତ କରିବେ। ଭାରତର ରାଷ୍ଟ୍ରପତି ଭାବରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ’।

ସମ୍ବନ୍ଧିତ ଖବର