ରାଷ୍ଟ୍ରପତି ନିର୍ବାଚନ: ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ହେବ ମତଦାନ

ବିଧାୟକ, ସାଂସଦ ଯେକୌଣସି ରାଜ୍ୟରେ ଭୋଟ୍ ଦେଇପାରିବେ

ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ କେଉଁ ରାଜ୍ୟରେ କେଉଁଠି ମତଦାନ ହେବ ତାହା ସ୍ଥିର ହୋଇଛି। ଯଦି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆବଶ୍ୟକ ପଡ଼େ ତେବେ ଓଡ଼ିଶା ବିଧାନସଭାର ପ୍ରଥମ ମହଲାରେ ଥିବା ୫୪ ନଂ ପ୍ରକୋଷ୍ଠରେ ମତଦାନ ହେବ। ମତଦାନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ହେବ।

ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଜୁନ୍ ୨୯ ଥିବାବେଳେ ଜୁଲାଇ ୨ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ। ଯଦି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆବଶ୍ୟକ ପଡ଼େ ତେବେ ଜୁଲାଇ ୧୮ତାରିଖରେ ସଂସଦ ସମେତ ବିଭିନ୍ନ ରାଜ୍ୟରେ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ମୋଟ୍ ୩୧ଟି ସ୍ଥାନରେ ମତଦାନ ହେବ। ଚଳିତ ରାଷ୍ଟ୍ରପତି ନିର୍ବାଚନ ପାଇଁ ନୂଆ ନିୟମ ହୋଇଛି। ସାଧାରଣତଃ ସାଂସଦମାନେ ନୂଆଦିଲ୍ଲୀରେ ଏବଂ ବିଧାୟକମାନେ ନିଜ ନିଜ ରାଜ୍ୟରେ ଭୋଟ୍ ଦେଉଥିଲେ ହେଁ ଏଥର ସାଂସଦମାନେ ସଂସଦରେ କିମ୍ବା ଯେକୌଣସି ରାଜ୍ୟ/ ଦିଲ୍ଲୀ/ ପୁଡୁଚେରିରେ ଭୋଟ୍ ଦେଇପାରିବେ। ସେହିପରି ବିଧାୟକମାନେ ଅନ୍ୟ ରାଜ୍ୟରେ କିମ୍ବା ଦିଲ୍ଲୀରେ ଭୋଟ୍ ଦେଇପାରିବେ। ହେଲେ ଏଥିପାଇଁ ମତଦାନର ୧୦ଦିନ ପୂର୍ବରୁ ନିର୍ବାଚନ କମିସନଙ୍କୁ ଜଣାଇବାକୁ ପଡ଼ିବ।

ସମ୍ବନ୍ଧିତ ଖବର