ପୁରୀ : ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଦିନିଆ ପୁରୀ ଗସ୍ତରେ କାଳରେ ପ୍ରଥମ ଦିନ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ୪୫ ମିନିଟ୍ ଶ୍ରୀମନ୍ଦିରରେ ରହିବେ। ସଂଧ୍ୟା ୫ଟାରେ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁ ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରିବା ସହ ଗରୁଡ଼ସ୍ତମ୍ଭ ପରିକ୍ରମା କରିବେ।
ରାଷ୍ଟ୍ରପତି ଆସନ୍ତା ୧୯ ତାରିଖ ସଂଧ୍ୟାରେ ପୁରୀଠାରେ ପହଞ୍ଚିବା ପରେ ପୁରୀ ରାଜଭବନରେ କିଛିକ୍ଷଣ ବିଶ୍ରାମ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯିବେ। ପରେ ରାଜଭବନରେ ବିଶ୍ରାମ ସହ ରାତ୍ରୀଯାପନ କରିବେ। ଏହି ଦୃଷ୍ଟିରୁ ପୁରୀ ରାଜଭବନ ସୁରକ୍ଷା ବଢ଼ାଇ ଦିଆଯାଇଛି। ରାଜଭବନ ନୂଆବୋହୂ ଭଳି ସଜେଇ ହୋଇଛି। ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ପ୍ରବେଶ ପଥ ଓ ଅନ୍ୟାନ୍ୟ ସ୍ଥାନକୁ ନୂଆ ରୂପ ଦିଆଯାଇଛି। ପ୍ରବେଶ ପଥରେ ବି ଦୁଇପାର୍ଶ୍ବରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି।
ଅନ୍ୟପଟେ ୧୯ ତାରିଖରେ ମହାପ୍ରଭୁଙ୍କ ଦର୍ଶନ ପରେ ରାଷ୍ଟ୍ରପତି ପରଦିନ ସକାଳୁ ଅର୍ଥାତ୍ ୨୦ ତାରିଖରେ ଗୌଡୀୟ ମଠ ପରିଦର୍ଶନ କରିବେ। କିଛି ସମୟ ମଠ ବୁଲିବା ପରେ ସିଧାସଳଖ ଶରଧାବାଲିସ୍ଥିତ ସଭାସ୍ଥଳକୁ ଯିବେ। ପୂର୍ବାହ୍ଣ ୧୧ଟାରେ ସଭାରେ ମଞ୍ଚାସୀନ ହେବା ପରେ ପ୍ରାୟ ୧ ଘଣ୍ଟା ରହି ପ୍ରତ୍ୟାବର୍ତ୍ତନ କରିବେ। ଏଣୁ ଗୌଡ଼ୀୟ ମଠରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଜବରଦଖଲ ଓ ଅନ୍ୟ ଅବ୍ୟବସ୍ଥା ହଟାଯାଇଛି।
ଶରଧାବାଲିରେ ବିରାଟ ସଭାମଞ୍ଚ ତିଆରି କରାଯାଇଛି। ଯେଉଁଠି ଶତାଧିକ ସାଧୁସନ୍ଥ, ଅତିଥି ବସିବାର ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
/sambad/media/post_attachments/wp-content/uploads/2022/02/prs.jpg)
ତାଳବଣିଆରେ ହେଲିକପ୍ଟର ମକ୍ଡ୍ରିଲ
ପୁରୀ : ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆଜି ତାଳବଣିଆ ହେଲିପ୍ୟାଡ୍ରେ ହେଲିକପ୍ଟର ମକ୍ଡ୍ରିଲ କରାଯାଇଛି। ଗୁରୁବାର ସକାଳେ ଭୁବନେଶ୍ବରରୁ ଆସିଥିବା ଏକ ହେଲିକପ୍ଟର ଏକାଧିକ ଥର ତାଳବଣିଆ ହେଲିପ୍ୟାଡ୍ରେ ଅବତରଣ ସହ ଚକ୍କର କାଟିଛି। ଭୁବନେଶ୍ବରରୁ ପୁରୀ ଏକାଧିକ ଥର ଆକାଶମାର୍ଗରେ ଉଡ଼ାଣ ଭରିଛି। ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଜି ତାଳବଣିଆ ହେଲିପ୍ୟାଡ୍, ଶରଧାବାଲି ସଭାସ୍ଥଳ, ଗୌଡ଼ୀୟ ମଠ, ଶ୍ରୀମନ୍ଦିର ଆଦି ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/ramnath-kovind-president_.jpg)