ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ତାରିଖରୁ ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, ଭୁବନେଶ୍ବର, କଟକ ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ଆଜି ମୁଖ୍ୟସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦେଓ ରଂଜନ କୁମାର ସିଂହ, ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ, ବିଭିନ୍ନ ବିଭାଗର ସଚିବ, ରାଜ୍ୟ ପୁଲିସର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Advertisment

ବୈଠକରେ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଫେବ୍ରୁଆରି ୨୮ରେ ରାଷ୍ଟ୍ରପତି ରାଇରଙ୍ଗପୁରରେ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ୨୯ତାରିଖ ସକାଳେ ମା’ କୀଚକେଶ୍ବରୀ ମନ୍ଦିର ପରିଦର୍ଶନ, କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟରେ କେନ୍ଦୁଝର ଜନଜାତିଙ୍କ ଉପରେ ଆୟୋଜିତ ଏକ ଜାତୀୟସ୍ତରର ଆଲୋଚନାଚକ୍ରକୁ ଉଦ୍‌ଘାଟନ କରିବେ। ସେହିଦିନ ଅପରାହ୍ନରେ ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ମାର୍ଚ୍ଚ ୧ରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ମାର୍ଚ୍ଚ ୨ରେ ରାଷ୍ଟ୍ରପତି ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତି ଓଡ଼ିଶାରେ ପହଞ୍ଚିବା ଠାରୁ ଆରମ୍ଭ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ରାଜ୍ୟ ପ୍ରଶାସନ ଓ ସଂପୃକ୍ତ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀମାନେ ମଧ୍ୟ ଆଭାସୀ ମାଧ୍ୟମରେ ଏହି ପ୍ରସ୍ତୁତି ବୈଠକରେ ଯୋଗଦେଇଥିଲେ। ରାଷ୍ଟ୍ରପତିଙ୍କର ବିଭିନ୍ନ ସ୍ଥାନରେ ଏକାଧିକ କାର୍ଯ୍ୟକ୍ରମ ଥିବାରୁ ସବୁ ସ୍ଥାନଗୁଡ଼ିକୁ ପୂର୍ବରୁ ଭଲ ଭାବେ ଯାଞ୍ଚ କରିବା ସହ ସମସ୍ତ ବ୍ୟବସ୍ଥାକୁ ଅନୁଧ୍ୟାନ କରି ତଦନୁସାରେ ପ୍ରସ୍ତୁତି କରିବାକୁ ମୁଖ୍ୟ ସଚିବ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

ବୈଠକରେ ରାଷ୍ଟ୍ରପତିଙ୍କର ରହଣି, ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟକ୍ରମର ଗଣମାଧ୍ୟମରେ ପ୍ରକାଶନ ଓ ପ୍ରସାରଣ, ସ୍ବାସ୍ଥ୍ୟସେବା ଓ ଚିକିତ୍ସା, ଆମ୍ବୁଲାନ୍ସ, ଉତ୍ସବସ୍ଥଳକୁ ଯାତାୟତ ରାସ୍ତାର ରକ୍ଷଣାବେକ୍ଷଣ ତଦାରଖ, ରାସ୍ତାର ପରିମଳ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମ ସ୍ଥଳରେ ପାନୀୟ ଜଳ ଯୋଗାଣ, ବସିବା ବ୍ୟବସ୍ଥା, ବ୍ୟାରିକେଡିଂ ବ୍ୟବସ୍ଥା, ଆବଶ୍ୟକ ପାସ୍‌ ବ୍ୟବସ୍ଥା, କାର୍ଯ୍ୟକ୍ରମର ସିଧାପ୍ରସାରଣ, କାର୍ଯ୍ୟକ୍ରମସ୍ଥଳରେ ଇଣ୍ଟରନେଟ୍ ସୁବିଧା, ଅଗ୍ନିନିର୍ବାପକ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନା କରିବା ପାଇଁ ଗୃହ ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ ବୋଲି ସୂଚନା ଦିଆଯାଇଛି।