ବାରିପଦା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ମୟୂରଭଞ୍ଜ ଗସ୍ତ ଆଜି ଶେଷ ହୋଇଛି। ସେ ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ (ଏମ୍ଏସ୍ସିବିୟୁ) ପରିସରରେ ଜିଲ୍ଲାର ଲୋଧା, ଖଡ଼ିଆ ଓ ମାଙ୍କଡ଼ିଆ ଜନଜାତି ସଂପ୍ରଦାୟର ଲୋକଙ୍କ ସହ ଭାବବିନିମୟ କରିବା ସହ ଏହାର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପୂର୍ବାହ୍ନ ୯ଟା ୧୦ ମିନିଟ୍ରେ ବାରିପଦାସ୍ଥିତ ସର୍କିଟ୍ ହାଉସ୍ରୁ ସ୍ବତନ୍ତ୍ର କାର୍ ଯୋଗେ ବିଶ୍ବବିଦ୍ୟାଳୟ ବାହାରିଥିଲେ। ସେଠାରେ ପହଞ୍ଚି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ବିଶ୍ବବିଦ୍ୟାଳୟ ପରିସରରେ ଜିଲ୍ଲାର ସମ୍ବେଦନଶୀଳ ଜନଜାତି; ଲୋଧା, ଖଡ଼ିଆ ଓ ମାଙ୍କିଡ଼ିଆ ଲୋକଙ୍କ ସହ ଘଣ୍ଟାଏ ଧରି ଭାବବିନିମୟ କରିଥିଲେ। ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଭାରତ ବର୍ଷରେ ୭୦୦ରୁ ଊର୍ଦ୍ଧ୍ବ ଜନଜାତି ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି।
‘ମୁଁ ପ୍ରଥମେ ମୟୂରଭଞ୍ଜର ଝିଅ, ପରେ ରାଷ୍ଟ୍ରପତି’
୯୦ ଜଣଙ୍କୁ ପିଏଚ୍ଡି ଡିଗ୍ରି ଓ ୩୪ ଜଣଙ୍କୁ ସ୍ୱର୍ଣ୍ଣପଦକ
ଜନଜାତି ଲୋକଙ୍କ ସହ କଲେ ଭାବବିନିମୟ
ସେମାନଙ୍କ ମଧ୍ୟରେ ୭୫ ପ୍ରକାର ଜନଜାତି ଅତ୍ୟନ୍ତ ସମ୍ବେଦନଶୀଳ। ସେହିପରି ଓଡ଼ିଶାରେ ୬୨ରୁ ଊର୍ଦ୍ଧ୍ବ ଜନଜାତି ସମ୍ପ୍ରଦାୟ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ପ୍ରକାର ଜନଜାତି ଅତ୍ୟନ୍ତ ସମ୍ବେଦନଶୀଳ। ସମସ୍ତଙ୍କ ସାମାଜିକ, ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଉଦ୍ୟମ ହେବା ଦରକାର। ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ସରକାରଙ୍କ ଯୋଜନାଗୁଡ଼ିକୁ ପ୍ରଶାସନ ତୃଣମୂଳସ୍ତରରେ ପହଞ୍ଚାଇବା ଜରୁରୀ। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସାଙ୍ଗରେ ଆଣିଥିବା ଉପହାର ଜନଜାତିର ମହିଳା ଓ ପୁରୁଷଙ୍କୁ ପ୍ରଦାନ କରିବା ସହ ଫଟୋ ଉଠାଇଥିଲେ।
କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ‘ମୋର ପ୍ରଥମ ପରିଚୟ ହେଉଛି; ମୁଁ ମୟୂରଭଞ୍ଜର ଝିଅ, ତାପରେ ରାଷ୍ଟ୍ରପତି କହି ଶ୍ରୀମତୀ ମୁର୍ମୁ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ଏହି ସମୟରେ ପ୍ରେକ୍ଷାଳୟଟି କରତାଳିରେ ପ୍ରକମ୍ପିତ ହୋଇଉଠିଥିଲା। ପରିବେଶ ଶାନ୍ତ ପଡ଼ିବା ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପୁଣି ଅଭିଭାଷଣ ଆରମ୍ଭ କରିଥିଲେ। ଆଜି ପଦକ ଓ ଡିଗ୍ରି ହାସଲ କରିଥିବା ଛାତ୍ରଛାତ୍ରୀମାନେ ଆପଣାର ଉନ୍ନତି ସହ ନିଜ ନିଜ ସମ୍ପ୍ରଦାୟର ଉନ୍ନତି ପାଇଁ କାମ କରନ୍ତୁ। ପାଠ ପଢ଼ି କିଏ ଚାକିରି କରିବ ତ ଆଉ କିଏ ବ୍ୟବସାୟ କରିବ। ତେବେ ଚାକିରି କରିବା ଅପେକ୍ଷା ଯୁବକ ଯୁବତୀମାନେ ଚାକିରି ଦେବାର ମାନସିକତା ରଖନ୍ତୁ। ମୟୂରଭଞ୍ଜର କଳା ଓ ସଂସ୍କୃତି ଉଚ୍ଚକୋଟିର। କେବଳ ଓଡ଼ିଶା ନୁହେଁ, ଭାରତ ପ୍ରତି ମୟୂରଭଞ୍ଜର ଅନେକ ଅବଦାନ ରହିଛି। ଏ ଦିଗରେ ମାଟିର ସୁପୁତ୍ର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଭୂମିକା ଅତୁଳନୀୟ ବୋଲି କହିଥିଲେ।
ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଖ୍ୟାତନାମା କଣ୍ଠଶିଳ୍ପୀ ସ୍ୱରୂପା ଚକ୍ରବର୍ତ୍ତୀ, ଝୁମର ଗବେଷିକା ଡ. ବୀଣାପାଣି ମହାନ୍ତ, ରାଜଯୋଗିନୀ ବ୍ରହ୍ମକୁମାରୀ କମଳେଶ ଏବଂ ସାନ୍ତାଳୀ ସାହିତ୍ୟିକ ଅର୍ଜୁନ ଚରଣ ହେମ୍ବ୍ରମଙ୍କୁ ସମ୍ମାନ ସୂଚକ ଡି.ଲିଟ୍ ଏବଂ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଡ. ଅଶୋକ କୁମାର ଦାସଙ୍କୁ ସମ୍ମାନ ସୂଚକ ଡି.ଏସ୍ସି ସମ୍ମାନ ପ୍ରଦାନ କରିଥିଲେ। ସେହିପରି ୯୦ ଜଣଙ୍କୁ ପିଏଚ୍ଡି ଡିଗ୍ରି ଓ ୩୪ ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ ସହ ଶପଥ ପାଠ କରାଇଥିଲେ।
କାର୍ଯ୍ୟକ୍ରମରେ ରାଜ୍ୟ ପଞ୍ଚାୟତିରାଜ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଉପସ୍ଥିତ ଥିଲେ। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ବିବରଣୀ ପାଠ କରିଥିବା ବେଳେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥୀ, କୁଳସଚିବ ସହଦେବ ସମାଧିଆ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଲକ୍ଷ୍ମୀଧର ଗିରି, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ ତଥା ସିଣ୍ଡିକେଟ୍ ଓ ଏକାଡେମିକ୍ କାଉନ୍ସିଲ୍ର ସଦସ୍ୟଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଏସ୍ପି ଋଷିକେଶ ଦ୍ୟାନଦେଓ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଉପଜିଲ୍ଲାପାଳ ଈଶ୍ବରଚନ୍ଦ୍ର ନାୟକଙ୍କ ସହ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ପଦାଧିକାରୀ ଓ ପୁଲିସ କର୍ମଚାରୀ କାର୍ଯ୍ୟକ୍ରମ ତଦାରଖ କରିଥିଲେ।