ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଗୋଳାବନ୍ଧରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର ବିମାନ ବନ୍ଦରରେ ସ୍ବାଗତ କଲେ ନବୀନ, ଧର୍ମେନ୍ଦ୍ର ଓ ପ୍ରତାପ

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ପହଞ୍ଚିଛନ୍ତି । ଆଜି ଦିନ ୨ଟା ୩୦ ସମୟରେ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ସେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇଛନ୍ତି । ବିମାନ ବନ୍ଦରରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ପୁଲିସ ଡିଜି ବିଜୟ କୁମାର ଶର୍ମା, କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ । ଓହ୍ଲାଇବା ପରେ ସେ ବ୍ରହ୍ମପୁର ନିକଟସ୍ଥ ଗୋଳାବନ୍ଧ ଆର୍ମି ଡିଫେନ୍ସ କଲେଜର ‘କଲର ଆୱାର୍ଡ’ ପ୍ରଦାନ  କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ବାୟୁସେନା ହେଲିକପ୍ଟରରେ ଯାତ୍ରା କରିଥିଲେ। ସେଠାରେ ଅପରାହ୍ଣ ୩.୩୦ ମିନିଟରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ରାଷ୍ଟ୍ରପତି କୋବିନ୍ଦଙ୍କୁ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଅନ୍ୟ ବରିଷ୍ଠ ସରକାରୀ ଅଧିକାରୀ ସ୍ବାଗତ କରିଥିଲେ। ଏହାପରେ ତାଙ୍କୁ ଗୋଳାବନ୍ଧ ନିଆ ଯାଇଥିଲା।

ବ୍ରହ୍ମପୁର ଉପକଣ୍ଠ ଗୋଳାବନ୍ଧଠାରେ ୧୯୮୪ରେ ଆର୍ମି ଏୟାର ଡିଫେନ୍ସ କଲେଜ ଓ ଆର୍ମି ଡିଫେନ୍‌ସ ସେଣ୍ଟର ପ୍ରତିଷ୍ଠା ହୋଇଥିଲା। ୨୫ ବର୍ଷରୁ ଉର୍ଧ୍ବ ଉଲ୍ଲେଖନୀୟ ସେବା ପାଇଁ ଏହି ସେଣ୍ଟର୍‌କୁ ୨୮ତାରିଖରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସମ୍ମାନଜନକ ‘କଲର ଆୱାର୍ଡ’ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ, ଓଡ଼ିଶା ରାଜ୍ୟପାଳ ଫ୍ରପେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଲେଫ୍ଟନାଣ୍ଟ ଜେନେରାଲ ଅଶ୍ବିନୀ କୁମାର ଓ ଲେଫ୍ଟନାଣ୍ଟ ଜେନେରାଲ ଏ.ପି. ସିଂ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର