ସମ୍ବଲପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର ୧୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ କାନରେ ମନ୍ତ୍ର ଫୁଙ୍କିଛନ୍ତି। ସିଧା ସିଧା କହିଛନ୍ତି ଯେ ଶିକ୍ଷା ତୁମମାନଙ୍କୁ ରାଷ୍ଟ୍ର ନିର୍ମାଣ ପାଇଁ ସକ୍ଷମ କରିଛି। ଆମ ଦେଶର ଭୌତିକ ପ୍ରଗତି ଅନେକାଂଶରେ ତୁମପରି ଯୁବପିଢ଼ିଙ୍କ ଉପରେ ନିର୍ଭର କରେ। ଭଲ କାମ ପାଇଁ ତୁମେ ଅମାନିଆ ହୁଅ। ରାଷ୍ଟ୍ରପତି କହିିଲେ ଯେ, ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ରାସ୍ତାଘାଟ, କୋଠାବାଡ଼ି ଓ ବନ୍ଧବାଡ଼ ସହିତ କଳକାରଖାନା ଆଦି ନିର୍ମାଣର ଦାୟିତ୍ୱ ଛାତ୍ରଛାତ୍ରୀଙ୍କ ଉପରେ ନ୍ୟସ୍ତ। ଉଭୟ ସଫ୍ଟ‌ୱେର୍‌ ଓ ହାର୍ଡୱେର୍‌ର ବିକାଶ କରିବା ଦାୟିତ୍ୱ ଛାତ୍ରଛାତ୍ରୀମାନଙ୍କର। ଇଞ୍ଜିନିୟର ଭାବେ ସେମାନେ ପ୍ରଗତିର ସ୍ଥାପକ। ଉଦ୍ଭାବକ ଭାବରେ ସେମାନେ କଳ୍ପନା ଏବଂ ବାସ୍ତବତା ମଧ୍ୟରେ ସେତୁ ହେବେ। ଦ୍ରୁତ ଗତିରେ ଅଗ୍ରଗତି କରୁଥିବା ଦୁନିଆରେ ସେମାନେ ଏହି ଅନୁଷ୍ଠାନରେ ଯେଉଁ ଦକ୍ଷତା ଓ ଜ୍ଞାନ ଅର୍ଜନ କରିଛନ୍ତି, ତାହା ହିଁ ସେମାନଙ୍କ ଭବିଷ୍ୟତ ତଥା ଦେଶର ଭବିଷ୍ୟତ ଗଢ଼ି ତୋଳିବ।

Advertisment

ରାଷ୍ଟ୍ରପତି ଆହୁରି କହିଥିଲେ ଯେ ଯେଉଁମାନେ ସ୍ବର୍ଣ୍ଣପଦକ ପାଇଛନ୍ତି, ସେମାନଙ୍କ ମଧ୍ୟରେ ପୁଅମାନଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଅଧିକ। ଝିଅମାନେ ଏବେ ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରୁଛନ୍ତି। ଆଗକୁ ବଢ଼ିବା ପାଇଁ ସେମାନଙ୍କୁ ଉତ୍ସାହିତ କରାଯିବା ଉଚିତ। ବର୍ତ୍ତମାନର ‌ବୈଷୟିକ ଯୁଗ‌ରେ ଛାତ୍ରଛାତ୍ରୀମାନେ ମାନବୀୟ ମୂଲ୍ୟବୋଧକୁ ବଜାୟ ରଖିବା ଉଚିତ। ସମାଜ ପ୍ରତି ଉତ୍ତରଦାୟିତ୍ବ ରହିଛି। ବିଜ୍ଞାନର ଅଗ୍ରଗତି ଓ ସଂସ୍କୃତି ମଧ୍ୟରେ ସମନ୍ବୟ ରକ୍ଷା କରି କର୍ତ୍ତବ୍ୟପଥରେ ଅଗ୍ରସର ହେବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ। ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ସନ୍ଥକବି ଭୀମ ଭୋଇଙ୍କ ବାଣୀ ସହିତ ‘ରଙ୍ଗବତୀ.. ହସି ପଦେ କହ ନ କଥା’ ଗୀତ ସଂପର୍କରେ ରାଷ୍ଟ୍ରପତି ସ୍ମରଣ କରାଇବା ସହିତ ନିଜ ଜୀବନରେ ଏହାକୁ ଗୁରୁତ୍ବ ଦେବାକୁ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। ସକାରାତ୍ମକ ପରିବର୍ତ୍ତନର ଏଜେଣ୍ଟ୍‌, ବିବିଧତାର ସମର୍ଥକ ଏବଂ ସଚ୍ଚୋଟତାର ଚାମ୍ପିଅନ୍‌ ହେବା ପାଇଁ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ।

ଦେଶର ଭୌତିକ ପ୍ରଗତି ଯୁବପିଢ଼ି ଉପରେ ନିର୍ଭରଶୀଳ: ରାଷ୍ଟ୍ରପତି
ଚାକିରିଆ ନୁହେଁ, ଚାକିରି ଦେବା ଲୋକ ହୁଅ: ଧର୍ମେନ୍ଦ୍ର

ଜାତୀୟ ଶିକ୍ଷା ନୀତି-୨୦୨୦ ଉପରେ ଆଲୋକପାତ କରି ରାଷ୍ଟ୍ରପତି କହିଥିଲେ ଯେ ଏହି ଶିକ୍ଷାନୀତିରେ ମାତୃଭାଷା, ପରମ୍ପରା ଓ ସଂସ୍କୃତି ଉପରେ ଗୁରୁତ୍ୱ ଦିଆଯାଇଛି। ଦେଶର ବିକାଶ ସମଗ୍ର ମାନବଜାତି ପାଇଁ ଅନ୍ତର୍ଭୁକ୍ତ ଓ ସମର୍ପିତ ହେବା ଦରକାର। ବିକାଶକୁ ମାନବିକତା ଅନୁକୂଳ କରିବା ପାଇଁ ଆମ ସଂସ୍କୃତିରେ ଅନ୍ତର୍ନିହିତ ମୂଲ୍ୟବୋଧକୁ ସର୍ବଦା ମନେ ରଖିବା ଉଚିତ। ରାଷ୍ଟ୍ରପତି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଅବସ୍ଥାପିତ ସ୍ବଭାବକବି ଗଙ୍ଗାଧର ମେହେର ଏବଂ ଭିସୁଟ୍‌ ଠାରେ ଥିବା ସ୍ବାଧୀନତା ସେନାନୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କୁଳାଧପତି ତଥା ରାଜ୍ୟପାଳ ରଘୁବର ଦାସ ଛାତ୍ରଛାତ୍ରୀଙ୍କୁ ଉତ୍କର୍ଷ ଲାଭ କରିବାକୁ ପରାମର୍ଶ ଦେଇଥିଲେ। କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଗରିବ ଓ ସାଧାରଣ ଘରୁ ଭିସୁଟ୍‌ରେ ପଢୁଥିବା ପିଲାମାନେ ଓଡ଼ିଶା ସମେତ ଭାରତୀୟ ବୈଜ୍ଞାନିକ ଉପଲବ୍ଧିର ମେରୁଦଣ୍ଡ ହୋଇଛନ୍ତି। ଚାକିରିଆ ନୁହେଁ, ଚାକିରି ଦେବା ଲୋକ ହେବା ପାଇଁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ଭିସୁଟ୍ କୁଳପତି ପ୍ରଫେସର ବଂଶୀଧର ମାଝୀ ମଧ୍ୟ ବକ୍ତବ୍ୟ ରଖି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ରାଷ୍ଟ୍ରପତି ସମଲେଇ ମନ୍ଦିର ଗସ୍ତ କରି ମାଆ ସମଲେଇଙ୍କ ଦର୍ଶନ କରିଥିଲେ।