ଆଇପିଏସ୍ କୁଟ୍ଟେଙ୍କୁ ରାଷ୍ଟ୍ରପତି ପଦକ

ଦୁର୍ନୀତି ନିବାରଣ ବିଭାଗର ପ୍ରହ୍ଲାଦଙ୍କ ସମେତ ଓଡ଼ିଶାରୁ ୨୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ

ଭୁବନେଶ୍ବର/କଟକ : ଉଲ୍ଲେଖନୀୟ ସେବା ପାଇଁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ୯୦୧ ପୁଲିସ କର୍ମଚାରୀଙ୍କୁ ପୁଲିସ ମେଡାଲ୍ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ସାହସିକତା ପାଇଁ ୧୪୦ ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ଉଲ୍ଲେଖନୀୟ ସେବା ପାଇଁ ୯୩ ଜଣ ରାଷ୍ଟ୍ରପତି ପୁଲିସ ପଦକ ଏବଂ ପ୍ରଶଂସନୀୟ ସେବା ପାଇଁ ୬୬୮ ଜଣଙ୍କୁ ପଦକ ପ୍ରଦାନ କରାଯିବ। ଚଳିତ ବର୍ଷ ଓଡ଼ିଶାରୁ ମୋଟ ୨୨ ଜଣଙ୍କୁ ପୋଲିସ ପଦକ ମିଳିଛି।

ଉଲ୍ଲେଖନୀୟ ସେବା ପାଇଁ ଦୁଇ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ, ପ୍ରଶଂସନୀୟ ସେବା ପାଇଁ ୧୧ ଜଣଙ୍କୁ ପୁଲିସ ପଦକ ଏବଂ ବେସାମରିକ ପ୍ରତିରକ୍ଷା, ‌ହୋମଗାର୍ଡ ଓ ଅଗ୍ନିଶମ ବିଭାଗରେ ରାଜ୍ୟର ୯ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯିବ।

ଉଲ୍ଲେଖନୀୟ ସେବା ପାଇଁ ଏଡ଼ିଜି ପାହ୍ୟାର ଆଇପିଏସ୍ ଅଧିକାରୀ ଧୀରେନ୍ଦ୍ର ସମ୍ଭାଜୀ କୁଟ୍ଟେ ରାଷ୍ଟ୍ରପତି ପୁଲିସ ପଦକ ପାଇବେ। ୧୯୯୭ ବ୍ୟାଚ୍‌ର ଆଇପିଏସ୍ ଶ୍ରୀ କୁଟ୍ଟେ ୨୦୧୩ ମସିହାରେ ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ ପାଇଥିଲେ। ଜଣେ ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ଜଣାଶୁଣା ଶ୍ରୀ କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର ସ୍ବତନ୍ତ୍ର ସଚିବ ଭାବେ ଏବେ କାର୍ଯ୍ୟରତ ଅଛନ୍ତି। ସେହିଭଳି କଟକ ସ୍ଥିତ ଦୁର୍ନୀତି ନିବାରଣ ନିର୍ଦେଶାଳୟରେ କାର୍ଯ୍ୟରତ କନଷ୍ଟେବଳ ପ୍ରହ୍ଲାଦ କୁମାର ରାଉତ ରାଷ୍ଟ୍ରପତି ପୁଲିସ ପଦକ ପାଇଁ ମନୋନୀତ ହୋଇଛନ୍ତି।

ପ୍ରଶଂସନୀୟ ସେବା ପଦକ ତାଲିକାରେ ଭଦ୍ରକର ଅତିରିକ୍ତ ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡା, ପ୍ରଦ୍ୟୁମ୍ନ କୁମାର ମିଶ୍ର, ସୁନ୍ଦରଗଡ଼ ଭିଜିଲାନ୍‌ସ୍‌ ୟୁନିଟର ଡିଏସପି ସୁଧାଂଶୁଶେଖର ପୂଜାରୀ, ଭୁବନେଶ୍ବର ଏସିପି ହିମାଂଶୁଭୂଷଣ ସ୍ବାଇଁ, ଭୁବନେଶ୍ବର ସ୍ଥିତ ବିପିଏସ୍‌ପିଏର ଡେପୁଟି କମାଣ୍ଡାଣ୍ଟ୍‌ ଜ୍ଞାନେନ୍ଦ୍ର କୁମାର ଦାସ, ଭୁବନେଶ୍ବର ସ୍ଥିତ ସିକ୍ୟୁରିଟି ୱିଙ୍ଗ୍‌ ଇନ୍‌ସ୍‌ପେକ୍ଟର୍‌ ଅରୁଣ ବଳିଆରସିଂହ, ବ୍ରହ୍ମପୁର ଭିଜିଲାନ୍‌ସ୍‌ ଡିଭିଜନ୍‌ର ଏସ୍‌ଆଇ ଯୁଗଳକିଶୋର ପ୍ରଧାନ, କଟକ ନୂଆପାଟଣାର କନେଷ୍ଟବଳ ସରୱରଦ୍ଦିନ୍ ଖାଁ, ଭୁବନେଶ୍ବର ସ୍ଥିତ ଏସ୍‌ସିଆର୍‌ବିର ପୁଲିସ ଏଏସ୍‌ଆଇ (କମ୍ପ୍ୟୁଟର୍‌) ବିଜ୍ଞାନ ଭୂଷଣ ମହାନ୍ତି, ଭୁବନେଶ୍ବରର ପୁଲିସ ଡ୍ରିଲ୍‌ ଇନ୍ସପେକ୍ଟର ଅନିଲ କୁମାର ମିଞ୍ଜ ଓ ରାଉରକେଲାସ୍ଥିତ ୪ର୍ଥ ବାଟାଲିୟନ୍‌ର ସିପାହୀ ପ୍ରଦୀପ କୁମାର ବେହେରାଙ୍କ ନାମ ରହିଛି।

ବେସାମରିକ ପ୍ରତିରକ୍ଷା, ‌ହୋମଗାର୍ଡ ଓ ଅଗ୍ନିଶମ ବିଭାଗରେ ରାଜ୍ୟର ୯ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯିବ। ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀ ପ୍ରମୋଦ କୁମାର ଦଳେଇଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିବ। ବେସାମରିକ ପ୍ରତିରକ୍ଷା ଓ ହୋମଗାର୍ଡ ପ୍ରଶଂସନୀୟ ସେବା ପାଇଁ ହୋମଗାର୍ଡ ପ୍ରତାପ ଚନ୍ଦ୍ର ଖଣ୍ଡୁଆଳ, ହୋମଗାର୍ଡ ବାବୁଲି ହାତୀ, ପ୍ରମୋଦ କୁମାର ସାହୁ ଓ ବିପିନ ବିହାରୀ ବିଶ୍ବାଳଙ୍କୁ ପଦକ ମିଳିବ। ରାଷ୍ଟ୍ରପତିଙ୍କ ଅଗ୍ନିଶମ ସେବା ପଦକ ପାଇବା ଲାଗି ଲିଡିଙ୍ଗ୍‌ ଫାୟାର୍‌ମ୍ୟାନ୍‌ କାଳିଚରଣ ଶବର, ଡ୍ରାଇଭର୍‌ ହାବିଲ୍‌ଦାର ବିପଦଭଞ୍ଜନ ବେହେରା ଏବଂ ଡ୍ରାଇଭର୍‌ ହାବିଲ୍‌ଦାର୍‌ ନକୁଳ ନାୟକଙ୍କ ନାମ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର