୨୧ରେ ସମ୍ବଲପୁର ଆସୁଛନ୍ତି ରାଷ୍ଟ୍ରପତି

ସମ୍ବଲପୁର: ଦୁଇଦିନିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୧ ତାରିଖ ମଧ୍ୟାହ୍ନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମ୍ବଲପୁର ପହଂଚି ଅଶୋକ ନିବାସରେ ଅବସ୍ଥାନ କରି‌ବେ। ଅପରାହ୍‌ଣ ୪ଟା ୧୫ରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍‌)ର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସମାବର୍ତ୍ତନ ଉତ୍ସବରେ କୁଳାଧିପତି ତଥା ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ୨୨ ତାରିଖ ସକାଳ ୯ଟାରେ ଶାସନ କିଲାସମା ପାଖ ପାବନ ସରୋବରରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଦ୍ବାରା ଆୟୋଜିତ ଏକ ସ୍ବତନ୍ତ୍ର ସମାବେଶରେ ସାମିଲ ହେବେ। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୪ ହଜାର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉଭୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଏକ ଘଣ୍ଟା ଲେଖାଏଁ ରହିବେ ବୋଲି ଜଣାପଡ଼ିଛି।

ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ଗୁରୁବାର ଆଜି ସନ୍ଧ୍ୟାରେ ଭିସୁଟ୍ କୁଳପତି ପ୍ରଫେସର ବଂଶୀଧର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍‌ପି ମୁକେଶ ଭାମୁ, ଏସ୍‌ଏମ୍‌ସି କମିସନର ବେଦଭୂଷଣଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର