ପୁରୀ: ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀଠାରେ ନୌସେନା ଦିବସ ପାଳନ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗ ଦେବେ। ଏଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି  ଆରମ୍ଭ ହୋଇଛି। ଆଜି ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପୁରୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ, ରାଷ୍ଟ୍ରପତି ଭାରତୀୟ ନୌସେନା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ବହୁ ଭିଭିଆଇପି ଯୋଗ ଦେବା ସହିତ ବହୁ ଦର୍ଶକଙ୍କ ସମାଗମ ହେବାର ଆଶଙ୍କା ରହିଛି। ତେଣୁ ଏଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ୩ଶହ ଅଫିସରଙ୍କ ନେତୃତ୍ବରେ ୮୦ ପ୍ଲାଟୁନ୍‌ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ।

Advertisment

ପ୍ରସ୍ତୁତିର ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ

ସିସିଟିଭି ନଜରରେ ରହିବ ପୁରୀ- ଭୁବନେଶ୍ବର ଜାତୀୟ ରାଜପଥ

ପୁରୀ ସମୁଦ୍ରରେ ୨୪ଟି ଯୁଦ୍ଧ ପୋତ ଓ ୪୦ଟି ଯୁଦ୍ଧ ବିମାନ ରଣକୌଶଳ ପ୍ରଦର୍ଶନ କରିବେ। ଏଥିସହିତ ଏଠାରେ ଲେଜର୍‌ ସୋ’ର ମଧ୍ୟ ଆୟୋଜନ କରାଯାଉଛି। ଉଭୟ ରାଷ୍ଟ୍ରପତିଙ୍କ ଗସ୍ତ ଓ ନୌସେନା ଦିବସକୁ ଆଖି ଆଗରେ ରଖି ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରେ ଚଳାଚଳ କରୁଥିବା ସମସ୍ତ ଗାଡ଼ି ଉପରେ କଡ଼ା ନଜର ରଖାଯିବ। ଏଥିପାଇଁ ଜାତୀୟ ରାଜପଥରେ ସିସିଟିଭି ଓ ପୁଲିସ କଣ୍ଟ୍ରୋଲ ରୁମ୍‌ ଦ୍ବାରା ଟ୍ରାଫିକ୍‌ ନିୟନ୍ତ୍ରଣ କରାଯିବ। ପୁରୀ ସହରାଞ୍ଚଳରେ ମଧ୍ୟ ଟ୍ରାଫିକ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଏଠାରେ ଥିବା ସମସ୍ତ ପାର୍କିଂସ୍ଥଳୀକୁ ଅଧିକ କ୍ଷମତାସମ୍ପନ୍ନ କରାଯିବ। ନୌବାହିନୀର ସମରାଭ୍ୟାସ ଦେଖିବା ପାଇଁ ଭିଭିଆଇପି ଓ ଦର୍ଶକଙ୍କ ପାଇଁ ପୃଥକ ବ୍ୟବସ୍ଥା କରାଯାଉଛି। ସୁରକ୍ଷା ଦୃଷ୍ଟିକୋଣରୁ ଏହି ସମୟରେ କେହି ସମୁଦ୍ର ନିକଟକୁ ନ ଯିବା ପାଇଁ ଡିଜି ଶ୍ରୀ ଖୁରାନିଆ ନିବେଦନ କରିଛନ୍ତି।