ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

ଗଣମାଧ୍ୟମକୁ ଦିଆଯିବ ସୂଚନା ଓ ପ୍ରସାରଣ ସୁବିଧା

ଭୁବନେଶ୍ବର : ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ୨ ଦିନିଆ ଓଡ଼ିଶା ଗସ୍ତ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେଉଛି। ରାଷ୍ଟ୍ରପତିଙ୍କ ଭୁବନେଶ୍ବର ଓ କଟକ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବିସ୍ତୃତ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି।

ବୁଧବାର ଦିନ ବିଭାଗୀୟ ନିର୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ‌ଫଟୋ, ଟିଭି ଓ ଲାଇଭ କମନ ଫିଡ୍‌ ପାଇଁ ବିଭାଗର ସଂପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ସ୍ଥାନରେ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀମାନେ ପରିଚୟପତ୍ର ସହିତ ଉପସ୍ଥିତ ରହି କାର୍ଯ୍ୟକ୍ରମଗୁଡ଼ିକର ବିବରଣୀ ଓ ସୂଚନା ପ୍ରଦାନ କରିବେ। ରାଷ୍ଟ୍ରପତି ଯୋଗ ଦେବାକୁ ଥିବା ଉତ୍କଳ ମଣ୍ଡପ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ଧାନ ଗବେଷଣା କେନ୍ଦ୍ରଠାରେ ଆୟୋଜିତ ‌କାର୍ଯ୍ୟକ୍ରମଗୁଡ଼ିକର ସିଧା ପ୍ରସାରଣ ପାଇଁ ଗଣମାଧ୍ୟମକୁ କମନ ଫିଡ୍‌ ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତିଙ୍କ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନର ଫଟୋ ଓ ଭିଡିଓ କଭରେଜ୍ ସମେତ ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକର ସ୍ଥିର ଚିତ୍ର ଓ ଭିଡିଓ ଉତ୍ତୋଳନର ମଧ୍ୟ ବ୍ୟବସ୍ଥା କରାଯାଇଛି ଓ ଏସବୁ ଗଣମାଧ୍ୟମକୁ ଯୋଗାଇ ଦିଆଯିବ।

ବୈଠକରେ ବିଭାଗୀୟ ନିର୍ଦେଶକ(ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦେଶକ ସନ୍ତୋଷ ଦାସ, ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଯୁଗ୍ମ ନିର୍ଦେଶକ ଗୁରବୀର ସିଂ, ଉପ-ନିର୍ଦେଶକ(କେନ୍ଦ୍ରାଞ୍ଚଳ, କଟକ) ହେମନ୍ତ ନାୟକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର