ପ୍ରିଜାଇଡିଂ ଅଫିସରଙ୍କ ସହ ଦଳୀୟ ସମର୍ଥକଙ୍କୁ ତାଲା ପକାଇଲେ, ସନ୍ଧ୍ୟା ୫ଟା ଯାଏଁ ବୁଥ ଭିତରେ ରହିଲେ ଅଧିକାରୀ

କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲାର ୭ଟି ବ୍ଲକ୍; ବାଙ୍ଗିରିପୋଷି, ମୋରଡ଼ା, ଖୁଣ୍ଟା, ଜିବି ନଗର, କୁଳିଅଣା, ରାସଗୋବିନ୍ଦପୁର, ଚିତ୍ରଡ଼ା, ଶ୍ୟାମାଖୁଣ୍ଟା, ବାଲେଶ୍ବର ଜିଲ୍ଲାର ଦୁଇଟି ବ୍ଲକ୍‌; ଭୋଗରାଇ ଓ ଜଳେଶ୍ବର ଏବଂ ଭଦ୍ରକ ଜିଲ୍ଲାର ୨ଟି ବ୍ଲକ୍; ଭଦ୍ରକ ଓ ବନ୍ତରେ ମତଗ୍ରହଣ କରାଯାଇଛି। ଭଦ୍ରକରେ ୭୭ ପ୍ରତିଶତ ଏବଂ ମୟୂରଭଞ୍ଜରେ ୭୧ ପ୍ରତିଶତ ମତଦାନ ହୋଇଛି।

ତେବେ ସବୁ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଥିବା ବେଳେ ବାଙ୍ଗିରିପୋଷିରେ ଉତ୍ତେଜନା ଦେଖାଦେଇଛି। ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନ ୨୭ ନଂ ଜୋନ୍ ଧୋବଣୀଶୋଳ ପଞ୍ଚାୟତ ୪ ଓ ୫ ନମ୍ବର ବୁଥ୍‌ରେ ଏଭଳି ସ୍ଥିତି ଉପୁଜିଛି। ଭୋଟ୍‌ବାକ୍ସ ସିଲ୍‌ ସମୟରେ ଜଣେ ଦଳୀୟ ସମର୍ଥକ ବୁଥ୍‌ ଭିତରକୁ ପଶିଯାଇଥିଲେ। ଫଳରେ ଅନ୍ୟ ଦଳର ସମର୍ଥକମାନେ ପ୍ରିଜାଇଡିଂ ଅଫିସରଙ୍କ ସହ ‌ସଂପୃକ୍ତ ଦଳୀୟ ସମର୍ଥକଙ୍କୁ ବୁଥ୍‌ ଭିତରେ ତାଲା ପକାଇଦେଇଥିଲେ।

ତେବେ ଏନେଇ ଜଣାପଡ଼ିବା ପରେ ବିଜେଡିର ଶତାଧିକ ସମର୍ଥକ ତାତିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଅଡ଼ିବସିଥିଲେ। ଖବର ପାଇ ଆଡିସନାଲ୍‌ ଏସ୍‌ପି ଓ ତହସିଲଦାର ପହଞ୍ଚି ବୁଝାସୁଝା କରିଥିଲେ। ଫଳରେ ସ୍ଥିତି ସ୍ବଭାବିକ ହୋଇଥିଲା ଏବଂ ଅଢ଼େଇ ଘଣ୍ଟା ପରେ ଅପରାହ୍ନ ୫ଟା ବେଳକୁ ବୁଥ୍‌ର ତାଲା ଫିଟା ଯାଇଥିଲା।

ସମ୍ବନ୍ଧିତ ଖବର