‘ସମ୍ବାଦ’ ବିରୋଧରେ ଅଭିଯୋଗକୁ ଖାରଜ କଲେ ‘ପ୍ରେସ୍‌ କାଉନ୍‌ସିଲ୍‌’

‘ଗୋନାସିକା ମହୋତ୍ସବ ମଞ୍ଚରେ ସାଇକେଲ ନେଇ ସେଲ୍‌ଫି ଖବର’ କପୋଳକଳ୍ପିତ ନୁହେଁ

ଭୁବନେଶ୍ବର : ଗତବର୍ଷ ଅର୍ଥାତ୍‌ ୨୦୧୮ ମସିହା ଡିସେମ୍ବର ମାସ ୨୫ ତାରିଖରେ ପ୍ରକାଶିତ ଏକ ଖବର ‘ସାଇକଲ ନେଇ ମଞ୍ଚରେ ସେଲ୍‌ଫି’ର ପ୍ରତିବାଦରେ ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ସଂପାଦକଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ‘ପ୍ରେସ୍‌ କାଉନ୍‌ସିଏଲ୍‌ ଅଫ୍‌ ଇଣ୍ଡିଆ’ ଖାରଜ କରିଦେଇଛନ୍ତି। ଅଭିଯୋଗକାରୀଙ୍କ ଅଭିଯୋଗ ଓ ପ୍ରତିଅଭିଯୋଗ ସତ୍ତ୍ବେ ଉଭୟ ପକ୍ଷଙ୍କ ମତ , ତଦନ୍ତକାରୀ କମିଟିର ରିପୋର୍ଟ ଆଧାରରେ ପ୍ରେସ୍‌ କାଉନ୍‌ସିଲ୍‌ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଫ‌ଳରେ, ‘ସମ୍ବାଦ’ରେ ପ୍ରକାଶିତ ଏହି ଖବର କପୋଳକଳ୍ପିତ ନଥିଲା, ସତ୍ୟ ଘଟଣା ଉପରେ ଆଧାରିତ ଥିଲା ବୋଲି ସ୍ପଷ୍ଟ ‌େହାଇଯାଇଛି।

ଗତବର୍ଷ ଡିସେମ୍ବର ମାସରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଗୋନାସିକା ମ‌େହାତ୍ସବ’ର ଆୟୋଜନ କରାଯାଇଥିଲା। ସନ୍ଦୀପ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ମଞ୍ଚକୁ ସାଇକଲ୍‌ ନେଇ ସେଲ୍‌ଫି ଉଠାଇଥିଲେ ଏବଂ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ , ଯାହାକି ମଞ୍ଚର ମର୍ଯାଦାକୁ ହାନି କରିଥିଲା। ଏଥିପାଇଁ ପୁଲିସ୍‌ ତାଙ୍କୁ ଉଠାଇ ନେଇଥିଲା ଏବଂ ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଥିଲା। ଏ ସମ୍ପର୍କରେ ‘ସମ୍ବାଦ’ରେ ‘ସାଇକଲ ନେଇ ମଞ୍ଚରେ ସେଲ୍‌ଫି’ ଶୀର୍ଷକରେ ଏକ ଖବର ପ୍ରକାଶ ପାଇଥିଲା।

ମାତ୍ର, ସମ୍ପୃକ୍ତ ଯୁବକ ଶ୍ରୀ ପଟ୍ଟନାୟକ ଏହି ଖବରକୁ ମିଥ୍ୟା, ନିରାଧାର ଓ ପରିବେଷଣ ପୂର୍ବରୁ ଠିକ୍‌ ଭାବେ ଅନୁଧ୍ୟାନ କରାଯାଇନଥିବା ଅଭିଯୋଗ କରି ପ୍ରେସ୍‌ କାଉନ୍‌ସିଲଙ୍କ ନିକଟରେ ଦ୍ବାରସ୍ଥ ହୋଇଥିଲେ। ମାତ୍ର, ଏହାର ଜବାବରେ ‘ସମ୍ବାଦ’ ପକ୍ଷରୁ ଦର୍ଶାଯାଇଥିଲା ଯେ, ଡିସେମ୍ବର ୨୪ ତାରିଖରେ ଓର୍‌ମାସ୍‌ର ଉପନିର୍ଦ୍ଦେଶକ କେନ୍ଦୁଝର ଟାଉନଥାନାରେ କରିଥିବା ଅଭିଯୋଗ ଆଧାରରେ ଏହି ଖବର ପ୍ରକାଶ କରାଇଛି।

ଗତ ଅଗଷ୍ଟ ୨୦ ତାରିଖ ଦିନ ନୂଆଦିଲ୍ଲୀସ୍ଥିତ ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର ତଦନ୍ତ କମିଟି ଶୁଣାଣି ପାଇଁ ଏହାକୁ ଗ୍ରହଣ କରିଥିଲେ। କମିଟି ଅଭିଯୋଗ ଓ ଏହାର ଉତ୍ତର ଏବଂ ‘ସମ୍ବାଦ’ର ମନ୍ତବ୍ୟକୁ ବିଚାରକୁ ନେଇ ତଥ୍ୟ ଆଧାରରେ ଉପରୋକ୍ତ ଖବର ପ୍ରକାଶ କରାଯାଇଥିବା ଦର୍ଶାଇଛନ୍ତି। ଅଭିଯୋଗକାରୀଙ୍କ ଅଭିଯୋଗରେ କୌଣସି ସତ୍ୟତା ନଥିବା ଉଲ୍ଲେଖ କରିଛନ୍ତି।

ଏଥିସହିତ, ‘ସମ୍ବାଦ’ ବିରୋଧରେ ଅଭିଯୋଗକୁ ଖାରଜ କରାଯାଇଥିବା ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର