ଭୁବନେଶ୍ବର : ରାଜ୍ୟର କରୋନା ହଟସ୍ପଟ୍ ଭୁବନେଶ୍ବରରେ କରୋନା ସଂକ୍ରମଣର ମୁକାବିଲା ଲାଗି ରାଜ୍ୟ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଘୋଷଣା କରିଛନ୍ତି । ଏହି ଯୋଜନା ଅନୁସାରେ ଭୁବନେଶ୍ବରରେ ଆଗାମୀ ଏକ ସପ୍ତାହ ଭିତରେ ୫୦୦୦ ନମୁନା ପରୀକ୍ଷା କରାଯିବ। ଏହାଫଳରେ ରାଜଧାନୀ ସହରରେ କରୋନା ସଂକ୍ରମଣର ଅସଲ ଚିତ୍ର ସାମ୍ନାକୁ ଆସିପାରିବ। କେବଳ ସେତିକି ନୁହେଁ, ଏହା ଦ୍ବାରା ସଂକ୍ରମିତ ଚିହ୍ନଟ ଓ ଚିକିତ୍ସା ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହୋଇ ପାରିବ। ଭୁବନେଶ୍ୱର ଏକ ହଟସ୍ପଟ ହୋଇଥିବା ହେତୁ ଏଥିଲାଗି ଏହି ସବୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜଧାନୀ ଭୁବନେଶ୍ବରରେ ଆଗାମୀ ୭ ଦିନ ଭିତରେ ୫ ହଜାର ନମୁନା ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି। ଏଥିଲାଗି ରାଜ୍ୟ ସରକାର ଭୁବନେଶ୍ୱରରେ ଟେଷ୍ଟିଂ କ୍ଷମତା ମଧ୍ୟ ବଢାଇଛନ୍ତି। ଭୁବନେଶ୍ବରର ଏମସ୍, ଆରଏମଅଆରସି, ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ଓ ଆପୋଲୋ ହସ୍ପିଟାଲରେ ନମୁନା ପରୀକ୍ଷା ବ୍ୟବସ୍ଥା ରହିଛି। ଏହି ନମୁନା ପରୀକ୍ଷା ଅଭିଯାନ ଭାରତରେ ପ୍ରଥମ ବଡ଼ ଅଭିଯାନ ହେବ। ୧୦ ଲକ୍ଷ ବ୍ୟକ୍ତିଙ୍କ ମଧ୍ୟରୁ ୫୦୦୦ ନମୁନା ସଂକ୍ରହ ଓ ପରୀକ୍ଷା ଏଯାବତ୍ ସର୍ବାଧିକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଯେଉଁମାନଙ୍କ ଅନ୍ୟ ରାଜ୍ୟ ଓ ବିଦେଶକୁ ଗସ୍ତ ଇତିହାସ ରହିଛି ସେମାନଙ୍କୁ ପ୍ରାଥମିକତା ଦିଆଯିବ। ଠିକ୍ ସେହିପରି ଯେଉଁମାନଙ୍କର କରୋନା ଲକ୍ଷଣ ଥିବା ଓ ଯେଉଁମାନେ ସଂକ୍ରମିତଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବେ ସେମାନଙ୍କର ନମୁନା ପରୀକ୍ଷା କରାଯିବ। ଏହା ବାଦ୍ ଇନଫ୍ଲୁଏଞ୍ଜା ଲକ୍ଷଣଥିବା ବ୍ୟକ୍ତି, ସ୍ବାସ୍ଥ୍ୟକର୍ମୀ ଓ ପୁଲିସ କର୍ମଚାରୀଙ୍କର ମଧ୍ୟ ନମୁନା ପରୀକ୍ଷା କରାଯିବ। ମଧୁମେହ ଓ ରକ୍ତଚାପ ଭଳି ରୋଗରେ ପୀଡ଼ିତ ଥିବା ବୟସ୍କ ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ।
ଏଥିଲାଗି ଭୁବନେଶ୍ୱରରେ ଟେଷ୍ଟିଂ ପାଇଁ ସ୍ଥାୟୀ ଓ ଅସ୍ଥାୟୀ କ୍ୟାମ୍ପ କରାଯିବାକୁ ଯୋଜନା ହୋଇଛି । ଭ୍ରାମ୍ୟମାଣ ମୋବାଇଲ କ୍ୟାମ୍ପ ମଧ୍ୟ ଭୁବନେଶ୍ୱରରେ ଚାଲିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। କରୋନାକୁ ନେଇ ରାଜ୍ୟ ସରକାର ସଜାଗ ଅଛନ୍ତି । ଇତି ମଧ୍ୟରେ ୭୫୭୭ ଜଣଙ୍କ ନମୁନା ପରୀକ୍ଷା କରାଯାଇ ସାରିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।