ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ଆଜି ୨୦ଟି ପ୍ରସ୍ତାବକୁ ମଂଜୁରୀ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କ୍ୟାବିନେଟ୍ ବୈଠକରେ ରାଜ୍ୟର ୮ଟି ବ୍ଲକରେ ୮୨୭ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ ମଂଜରୀ ମିଳିଛି। ମାଲକାନଗିରି ଜିଲ୍ଲା କାଲିମେଳା, ବୈପାରୀଗୁଡ଼ା, ମୟୂରଭଂଜ ଜିଲ୍ଲା ସାରସକଣା, ଗୋପବନ୍ଧୁନଗର, ବାଲେଶ୍ୱର ଜିଲ୍ଲା ଭୋଗରାଇ, ରାୟଗଡ଼ା ଜିଲ୍ଲା କାଶୀନଗର, ଗୁମ୍ମା ଓ କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ। ଏହି ପ୍ରକଳ୍ପଗୁଡ଼ିକରେ ୮୨୭ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏଥିରୁ ୯୧୧ଟି ଗାଁ ଉପକୃତ ହେବେ।
କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ। ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇପାରିବେ। ଏଥିଲାଗି ନିର୍ମଳ ଯୋଜନାକୁ ପରିବର୍ଦ୍ଧିତ କରାଯାଇଛି । ଏହି ଯୋଜନା ମାଧ୍ୟମରେ ହସ୍ପିଟାଲଗୁଡ଼ିକ ଅଧିକ ପରିଷ୍କାରପରିଚ୍ଛନ୍ନ ହେବ। ନିର୍ମଳ ପ୍ଲସ ଯୋଜନାରେ ୪୫ଟି ବଡ଼ ନୂଆ ହସ୍ପିଟାଲ ଯୋଡ଼ି ହୋଇଛି। ନିର୍ମଳ ପ୍ଲସ ପ୍ଲସ ଯୋଜନାରେ ୭ଟି ହସ୍ପିଟାଲ ସାମିଲ୍ ହେବ।
କଳକାରଖାନାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ପାଇଁ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ପୂର୍ବରୁ ୨୪୦ ଦିନ କାମ କଲା ପରେ ଛୁଟି ନେଇପାରୁଥିଲେ। ଏହା ୧୮୦ ଦିନକୁ ହ୍ରାସ କରାଯାଇଛି। ସେହିଭଳି ଜୁଡ଼ିସିଆଲ କୋର୍ଟରେ ଷ୍ଟାମ୍ପ ପାଇଁ ଯେଉଁ ଫି ଅଛି, ତାହା ଇ-ମାଧ୍ୟମରେ ମଂଜୁରି ମିଳିଛି।
ମୁଖ୍ୟ ଶାସନ ସଚିବ କହିଛନ୍ତି, ବରଗଡ଼ ଜିଲ୍ଲା ବିଜେପୁର ଅଂଚଳରେ ଗଙ୍ଗାଧର ମେହେର ଲିଫ୍ଟ କେନାଲ କରିବା ପାଇଁ ପୂର୍ବରୁ ଯେଉଁ ନିଷ୍ପତ୍ତି ହୋଇଥିଲା, ତାହାକୁ ମଂଜୁରୀ ମିଳିଛି। ଏହି ପ୍ରକଳ୍ପରେ ୨୫ ହଜାର ୬୦୦ ହେକ୍ଟର ଜମିକୁ ପାଣି ମିଳିବ। ୧୨୪ଟି ଗାଁର ଚାଷୀ ଉପକୃତ ହେବେ। ଏଥି ପାଇଁ ୧୧୩୮.୬୩ କୋଟି ଟଙ୍କା ଖର୍ଚ୍ଚ ହେବ।
ଏଥିସହ ମହାମାରୀ ଆଇନରେ ସଂଶୋଧନ ଆଣିବା ପାଇଁ ପ୍ରସ୍ତାବକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ମହାମାରୀ ଆଇନରେ ସଂଶୋଧନ କରି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ପାଇଁ ବ୍ୟବସ୍ଥା କରାଯିବ । ଏବେ ମହାମାରୀ ଆଇନ ଅନୁସାରେ କଟକଣା ନମାନିବା, ମୁହଁରେ ମାସ୍କ ନପିନ୍ଧିବା ଓ ବାହାରେ ଛେପ ପକାଇବା ଭଳି ଆଇନ ଉଲଘଂନ ପାଇଁ ୧ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯାଉଛି । ଏହି ଆଇନରେ ସଂଶୋଧନ କରି ଜୋରିମାନା ବ୍ୟବସ୍ଥାକୁ ବଢ଼ାଇ ପାରନ୍ତି ସରକାର ।
ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତିର ମୁଖ୍ୟାଂଶ
-ମୋଟ ୨୦ଟି ପ୍ରସ୍ତାବକୁ ମଂଜୁରୀ।
-ଶିଳ୍ପାୟନ ଦିଗରେ ଆଗକୁ ବଢ଼ିବା ପାଇଁ ନିଷ୍ପତ୍ତି।
-ଶିଳ୍ପ ପାଇଁ ଯେଉଁ ନୂଆ ଯୋଜାନା: ୩୦୦ କାରଖାନା ଓ ୫୦ ହଜାର ଶ୍ରମିକ ହେବେ ଲାଭବାନ।
-୨୦୦୭ ଓ ୨୦୧୫ ଶିଳ୍ପନୀତିରେ ସଂଶୋଧନକୁ ପ୍ରସ୍ତାବ।
-କାରଖାନାରେ ଓଭର ଟାଇମ ବୃଦ୍ଧିକୁ ମଂଜୁରୀ।
-୩ ମାସରେ ୭୫ ଘଣ୍ଟା ଓଭର ଟାଇମ ୧୧୫ ଘଣ୍ଟାକୁ ବୃଦ୍ଧି।
-୨୪୦ ଦିନ ବଦଳରେ ୧୮୦ ଦିନ ପରେ ଜଣକୁ ଛୁଟି ମିଳିପାରିବ।
-ମହିଳା କର୍ମଚାରୀଙ୍କୁ ରାତ୍ରୀକାଳୀନ ଡ୍ୟୁଟି ପାଇଁ ସର୍ତ୍ତମୂଳକ ଅନୁମତି ମିଳିବ।
-ସ୍ୱାସ୍ଥ୍ୟ ସେବାରେ ନିର୍ମଳ ଯୋଜନାର ଅବଧି ବୃଦ୍ଧି। ୫ ବର୍ଷ କାମ କରିବ।
-ନିର୍ମଳ ପ୍ଲସ ଓ ନିର୍ମଳ ପ୍ଲସ ପ୍ଲସ କାମ କରିବ। ସରକାରୀ ହସ୍ପିଟାଲର ଉନ୍ନତି ହେବ।
-ଏପିଡେମିକ ଡିଜିଟ ଆକ୍ଟରେ ସଂଶୋଧନ ପ୍ରସ୍ତାବକୁ ମୋହର।
-ଏପିଡେମିକ ନିୟମ ଉଲ୍ଲଂଘନ କଲେ ଏକ ଲକ୍ଷ ଟଙ୍କା ଯାଏଁ ଜରିମାନା ଲାଗୁ ହେବ।
-ସହରାଂଚଳ ବସ୍ତିର ଉନ୍ନତି ପାଇଁ ଅର୍ଥ ଖର୍ଚ୍ଚ।
-ଓଡ଼ିଶା ହେଲଥ ଆସ୍ୟୁରାନ୍ସ ସୋସାଇଟି ଗଠନ ହେବ।
-୭୦ଲକ୍ଷ ପରିବାର ୫ ଲକ୍ଷ ପର୍ଯ୍ୟନ୍ତ ସ୍ଥ୍ୟାସ୍ଥ୍ୟ ସୁବିଧା ପାଇବେ।
-ମହିଳାଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ସହାୟତା ପରିମାଣ ୧୦ ଲକ୍ଷ ଅଧିକ।
-ବିଜୁ କୃଷକ ବୀମାଧାରୀ ସହ ଅନ୍ୟ ହିତାଧିକାରୀଙ୍କୁ ଲାଭ।
-ଗ୍ରୁପ-ସି ପରୀକ୍ଷା ପାଇଁ କେବଳ ଲିଖିତ ପରୀକ୍ଷା କରାଯିବ।
-ପୁରୀ ଶ୍ରୀମନ୍ଦିର ଜମିହରାଙ୍କୁ ଥଇଥାନ।