ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସଂସଦରେ ଐତିହାସିକ ଭୁଲକୁ ମୋଦୀ ସରକାର ସୁଧାରିଛନ୍ତି । ଧର୍ମ ଆଧାରରେ ଦେଶ ବିଭାଜନ ହୋଇଥିଲା । ଏବେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତା ଦେବାର ବାଟ ଫିଟିଛି । ନରେନ୍ଦ୍ର ମୋଦୀ ସରକାର ସିଏଏ ଆଣି ସାହସିକ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନାଗରିକତା ସଂଶୋଧନ ଆଇନକୁ ନେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ଦେଶର ଜନତା ନାଗରିକ ସଂଶୋଧନ ଆଇନକୁ ସ୍ୱୀକାର କରିଛନ୍ତି । କଂଗ୍ରେସ ଅସହିଷ୍ଣୁ ହୋଇ ଏହାର ବିରୋଧ କରୁଛି । ଦେଶରେ ଅରାଜକତା ସୃଷ୍ଟି ପାଇଁ ଉଦ୍ୟମ ଚାଲିଛି । ଗଣତନ୍ତ୍ରରେ ବାଦବିବାଦର ସ୍ଥାନ ଅଛି, କିନ୍ତୁ ହିଂସାର ସ୍ଥାନ ନାହିଁ ବୋଲି ସେ କହିଛନ୍ତି ।
ଓଡିଶାରେ ମଧ୍ୟ ହିଂସାକାଣ୍ଡ ପାଇଁ ଉଦ୍ୟମ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିପାଇଁ ବିଜେପି ଓଡିଶାରେ ଜନସମ୍ପର୍କ କାର୍ଯ୍ୟକ୍ରମ କରିବ । ଧର୍ମେନ୍ଦ୍ର କହିଛନ୍ତି ଯେ ବିଜେପି ରାଜ୍ୟର ତିନି କୋଟି ଲୋକଙ୍କ ପାଖକୁ ଯିବ। ଏଥିନେଇ ଓଡ଼ିଶାରେ ବ୍ୟାପକ ଜନଜାଗରଣ କରାଯିବ । ଶ୍ରୀଲଙ୍କା, ଉଗାଣ୍ଡାରୁ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତା ଦିଆଯାଇଛି । ପାକିସ୍ତାନର ଅଦନାନ ସାମୀ ଓ ତାରିକ ଫତେଙ୍କୁ ନାଗରିକତା ଦିଆଯାଇଛି । ସିଏଏକୁ ମୁସଲମାନ ବିରୋଧୀ ଭାବେ ଅପପ୍ରଚାର କରାଯାଉଛି । ସିଏଏକୁ ନେଇ କେନ୍ଦ୍ର ସରକାରଙ୍କ କିଛି ଏଭଳି ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।