କଂଗ୍ରେସ ସଂଗଠନକୁ ଆହୁରି ମଜଭୁତ କରିବ ‘ଭାରତ ଯୋଡ଼’ ଯାତ୍ରା: ଜୟରାମ ରମେଶ

ଭୁବନେଶ୍ବର: ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ‘ଭାରତ ଯୋଡ଼’ କାର୍ଯ୍ୟକ୍ରମ ଲାଗି ଓଡ଼ିଶା ଗସ୍ତରେ ଆସିଥିବା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଅକ୍ଟୋବର ୩୧ରୁ  ଓଡ଼ିଶାରେ ‘ଭାରତ ଯୋଡ଼’ ଯାତ୍ରା ହେବ। କଂଗ୍ରେସ ସଂଗଠନକୁ ଆହୁରି ମଜଭୁତ କରିବାକୁ ପଦଯାତ୍ରା ଗୋଟିଏ ମାଧ୍ୟମ। ଅନ୍ୟ  ତିନୋଟି କାରଣରୁ ବି ଏହି ପଦଯାତ୍ରା ହେଉଛି।

ଜୟରାମ ରମେଶ କହିଛନ୍ତି, ଆରଏସଏସ ଓ ବିଜେପିର ନୀତି ଯୋଗୁ ଭାରତରେ ଦରଦାମ ଓ ବେକାରୀ ବୃଦ୍ଧି ପାଉଛି। ଧର୍ମ, ଜାତି ନାଁରେ ସମାଜକୁ ରାଜନୈତିକ ଉଦେଶ୍ୟରେ ଭଙ୍ଗା ଯାଉଛି। ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି, ତାକୁ ଆଇନ କରୁଛନ୍ତି। ଏହା ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରୁଛି। ଓଡ଼ିଶାରେ ‘ଭାରତ ଯୋଡ଼’ ଯାତ୍ରା ପରିବର୍ତ୍ତନ ଆଣିବ। ଏହି  ଯାତ୍ରା ଦେଶରେ ବି ପରିବର୍ତ୍ତନ ଆଣିବ। ଏହା ଆରଏସଏସ ଓ ବିଜେପି ବିରୋଧରେ ପଦଯାତ୍ରା, ଯେଉଁମାନେ କି ଦେଶ ବିଭାଜନ କରୁଛନ୍ତି।

ସୂଚନାଯୋଗ୍ୟ, ଗତ ୭ ତାରିଖରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ‘ଭାରତ ଯୋଡ଼’ ପଦଯାତ୍ରା ତାମିଲନାଡୁର ପର୍ଯ୍ୟଟନ ସହର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରା ଆଜି ଯାଏ ୨୦୧ କିଲୋମିଟର ଅତିକ୍ରମ କରିସାରିଛି। ଆସନ୍ତା ସାଢେ ପାଞ୍ଚ ମାସ ମଧ୍ୟରେ ଏହି ଯାତ୍ରା କାଶ୍ମରରେ ପହଞ୍ଚିବ। ପ୍ରତିଦିନ ୨୨ କିଲୋମିଟର ପଦଯାତ୍ରା ହେଉଛି। ୩୦ ପ୍ରତିଶତ ମହିଳା ପଦଯାତ୍ରା କରୁଛନ୍ତି, ଯେଉଁମାନଙ୍କ ବୟସ ୩୮ ବର୍ଷ ବୟସ। ପ୍ରତିଦିନ ସକାଳ ୭ରୁ ସାଢ଼େ ୧୦ଟା ଏବଂ ଅପରାହ୍ନ ସମୟରେ ୪ଟାରୁ ସାଢ଼େ ୭ଟା ଯାଏ ଏହି ପଦଯାତ୍ରା ହେଉଛି।

ସମ୍ବନ୍ଧିତ ଖବର