ମୁଁ ଯଦି ବିଦେଶୀ, ବଦ୍ରି ବାବୁ ଡରୁଛନ୍ତି କଣ ପାଇଁ? ସୌମ୍ୟରଞ୍ଜନ ପଟ୍ଟନାୟକ

ଘସିପୁରା: ଘସିପୁରାରେ ନିର୍ବାଚନୀ ହିଂସାକୁ ନେଇ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଶନିବାର ସାମ୍ବାଦିକ ସମ୍ମିଳନୀ କରିବା ସହିତ ବିଜେଡି ପ୍ରାର୍ଥୀ ବଦ୍ରି ପାତ୍ରଙ୍କୁ ପ୍ରଶ୍ନ କରିଛନ୍ତି।

ସୌମ୍ୟରଞ୍ଜନ କହିଛନ୍ତି, “ବଦ୍ରି ବାବୁ ଯାହା କହିବାକୁ ଚେଷ୍ଟା କରୁଛନ୍ତି, ତାହା ଶୁଣି ମୋତେ ହସ ମାଡୁଛି, ଲାଜ ବି ମାଡୁଛି। ମୁଁ ବ୍ୟସ୍ତ ଆଉ ବିବ୍ରତ ମଧ୍ୟ। ତେବେ ତାଙ୍କ ଭଳି ଜଣେ ଅନୁଭବୀ, ପୂବର୍ତନ ମନ୍ତ୍ରୀ ଯାହା କହୁଛନ୍ତି ତାହା ଭିତରେ ତାଳମେଳ ନାହିଁ। ସେମାନେ ମୋତେ ବିଦେଶୀ ବୋଲି କହୁଛନ୍ତି। ମୋତେ କେହି ଜାଣିନାହାଁନ୍ତି ବୋଲି କହୁଛନ୍ତି। ତେବେ ମୋତେ ଯଦି କେହି ବି ଜାଣିନାହାଁନ୍ତି, ତେବେ ସେ ଖୁସି ହେବା କଥା। ମୋ ପାଇଁ ସେ ଏତେ ବ୍ୟସ୍ତ କଣ ପାଇଁ ହେଉଛନ୍ତି, ଡରୁଛନ୍ତି କଣ ପାଇଁ?”

ଖାଲି ସେତିକି ନୁହେଁ ସୌମ୍ୟରଞ୍ଜନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ବଦ୍ରି ପାତ୍ର ତାଙ୍କୁ ଏକ ନମ୍ବର ଗୁଣ୍ଡା ବୋଲି କହୁଛନ୍ତି। ଆଉ ସେ ଘସିପୁରାରେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି କହୁଛନ୍ତି। ହେଲେ ଏଠାରେ କିନ୍ତୁ ସୈତାନର ବେଦ ପାଠ ଭଳି କାମ କରୁଛନ୍ତି ବଦ୍ରି ପାତ୍ର। ଦୀର୍ଘ ୨୫ ବର୍ଷ ଧରି ବଦ୍ରି ବାବୁ ଘସିପୁରାରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି। ହେଲେ ଓଲଟା କହୁଛନ୍ତି, ଶାନ୍ତ ଘସିପୁରାକୁ ମୁଁ ଅଶାନ୍ତ କରିଦେଇଛି।

ବଦ୍ରି ବାବୁଙ୍କ ମାନସିକ ଭାରସାମ୍ୟ କମି କମି ଯାଉଛି। ରାଜନୀତି କରିବାର ଅଛି, ଯଦି ସମ୍ମୁଖ ଲଢ଼େଇ ହେଉ। ଯିଏ ବସନ୍ତ ଚକ୍ରକୁ ପିଟିଥିଲା, ତାଙ୍କ ସହ ବଦ୍ରି ବାବୁଙ୍କ ସମ୍ପର୍କ କଣ ? ଟୁଲୁ ସାହୁ କିଏ? ଟୁଲୁ ବାବୁଙ୍କ ସହ ବଦ୍ରି ବାବୁଙ୍କର ସମ୍ପର୍କ କଣ? ବୋଲି ପ୍ରଶ୍ନ କରିବା ସହିତ ଘସିପୁରାର ସମସ୍ତ ବୁଥରେ ସିସିଟିଭି ଲଗେଇବାକୁ ଦାବି କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ। ଏଥସହ ବିନା ବୁଥ୍ ରିଗିଂରେ ଯଦି ଘସିପୁରାରେ ନିର୍ବାଚନ ହେଇପାରିଲା, ତେବେ ସେ ନିର୍ବାଚନ କମିସନକୁ ଧନ୍ୟବାଦ ଦେବି ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।

ସମ୍ବନ୍ଧିତ ଖବର