ଚାଞ୍ଚଲ୍ୟ, ରହସ୍ୟ ଓ ଗୁଜବ ଠାରୁ ଦୂରରେ ରହିବାକୁ ପଡ଼ିବ: ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: କରୋନା ଭାଇରସ୍‌ ସହିତ ଲଢ଼େଇ ପାଇଁ ୬ ମାସ ଯାଏଁ ପ୍ରସ୍ତୁତ ରହିବା। କରୋନା ନେଇ ବ୍ୟାପକ ସଚେତନତାର ଆବଶ୍ୟକତା ଅଛି ବୋଲି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଏପର୍ଯ୍ୟନ୍ତ ପଜିଟିଭ କେସ ଆସିନି। ଓଡ଼ିଶାରେ ସମସ୍ତ ୨୨ ନମୁନା ପରୀକ୍ଷା ନେଗେଟିଭ୍‌ ଆସିଛି। ସେ କହିଛନ୍ତି, ଆଜି ଅପରାହ୍ନ ୧ଟା ୧୫ ସୁଦ୍ଧା ୧୧୫ଟି ଦେଶକୁ କରୋନା ବ୍ୟାପିଛି। ଚୀନ, ଇଟାଲୀ, ଇରାନ, ଦକ୍ଷିଣ କୋରିଆ ଓ ସ୍ପେନରେ ଏହାର ପ୍ରଭାବ ଅଧିକ।

ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି, ବର୍ତ୍ତମାନର ପରିସ୍ଥିତିକୁ ଦେଖି ଜନସଂପର୍କ ବଜାୟ ରଖିବାକୁ ପଡ଼ିବ। ପ୍ରତ୍ୟେକ ଦିନ ସାଢ଼େ ୪ଟାରେ ସୂଚନା ଯୋଗାଇ ଦିଆଯିବ। ଚାଞ୍ଚଲ୍ୟ, ରହସ୍ୟ ଓ ଗୁଜବ ଠାରୁ ଦୂରରେ ରହିବାକୁ ପଡ଼ିବ। ସେ କହିଛନ୍ତି ଯେ, କୋଭିଡ-୧୯ ଭୂତାଣୁର ପ୍ରତିକାର ଏପର୍ଯ୍ୟନ୍ତ ମିଳିନି। ଏହି ଭୂତାଣୁ ସ୍ପର୍ଶ, କାଶ ଓ ଛିଙ୍କରୁ ବ୍ୟାପିଥାଏ। ଏପରି ସ୍ଥିତିରେ ଶାନ୍ତ ଓ ସଚେତନ ରହିବାର ଆବଶ୍ୟକତା ଅଛି।

ସ୍ୱଚ୍ଛତା ଉପରେ ଧ୍ୟାନ ଦେବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଶ୍ରୀ ବାଗ୍‌ଚୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ହାତକୁ ମୁହଁ ପାଖକୁ ଆଣନ୍ତୁନି। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ୬ ମାସ ପାଇଁ ପ୍ରସ୍ତୁତ ରହିବାର ସମୟ ଆସିଛି। ସେ କହିଛନ୍ତି, ମନରେ ପ୍ରାର୍ଥନା କରନ୍ତୁ, ଦେବସ୍ଥାନରେ ଭିଡ ନଜମାଇଲେ ଭଲ।

ଜିଲ୍ଲାପ୍ରଶାସନ ଠାରୁ ପଞ୍ଚାୟତ ସ୍ତର ଯାଏଁ ସଜାଗ ରହିବାକୁ କୁହାଯାଇଛି। ଜିଲ୍ଲାପ୍ରଶାସନ, ପୁଲିସ, ବ୍ଲକ ଅଫିସକୁ ଦାୟିତ୍ୱ ଅବଗତ କରାଯାଇଛି। ଜାତି, ଧର୍ମ, ରାଜନୀତିରୁ ଉପରକୁ ଆସି କରୋନାର ମୁକାବିଲା କରିବା ବୋଲି ସେ ପରାମର୍ଶ ଦେଇଛନ୍ତି। ସେହିପରି ପ୍ରତିଦିନ ବିଶ୍ୱ, ଦେଶ ଓ ରାଜ୍ୟ ବିଷୟରେ ଆଲୋଚନା ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର