ମାଲକାନଗିରି: ଗତ ତିନି ଦିନ ତଳେ ମାଓ ସଂଗଠନର ମୁଖପାତ୍ର ଅଭୟ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଅସ୍ଥାୟୀ ରୂପେ ଆମେ ଅସ୍ତ୍ର ବିରତି କରୁଛୁ ବୋଲି ପ୍ରସ୍ତାବ ଦେଇଥିଲେ। ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାର ଏନେଇ ଚିନ୍ତା କରନ୍ତୁ ବୋଲି ଅଭୟ ପତ୍ରରେ ଲେଖିଥିଲେ। ଆମକୁ ଏକ ମାସ ସମୟ ଦେଲେ ଆମେ ସମସ୍ତେ ସଂଗଠିତ ହୋଇ କୌଣସି ଏକ ନିଷ୍ପତ୍ତିରେ ପହଞ୍ଚିବୁ ବୋଲି ସେମାନେ ଅନୁରୋଧ କରିଥିଲେ। ତୁରନ୍ତ ଅପରେସନକୁ ରୋକିବାକୁ ଅନୁରୋଧ କରିଥିଲେ ଅଭୟ।

Advertisment

ଚଳିତ ବର୍ଷ ମାଓ ସଂଗଠନର ବହୁ କ୍ଷତି ହୋଇଥିବା ଅଭୟ ସ୍ବୀକାର କରିଥିଲେ। ଆଗାମି ଦିନରେ ସଂଗଠନ ଅସ୍ତ୍ର ଛାଡ଼ି ରାଜନୈତିକ ଦଳ ରୂପେ ଉଭା ହେବା ପାଇଁ ମଧ୍ୟ କହିଥିଲା। ତେଣୁ ଦ୍ୱିପାକ୍ଷିକ ଆଲୋଚନା ଜରୁରୀ ବୋଲି କୁହାଯାଇଥିଲା। ଏପରିକି ଫେସବୁକ ଓ ମେଲ୍ ସାହାଯ୍ୟରେ ଏନେଇ ଆଲୋଚନା କରାଯାଇପାରିବ। ଏଥିସହ ଭିଡିଓ କଲରେ ମଧ୍ୟ ସରକାର ଆମ ସହ ଆଲୋଚନା କରିପାରିବେ ବୋଲି ଅଭୟ କହିଥିଲେ। 

ତେବେ ଏହାକୁ ଆଜି ତେଲେଙ୍ଗାନା ରାଜ୍ୟ କମିଟି ପକ୍ଷରୁ ଖଣ୍ଡନ କରାଯାଇଛି। ତେଲେଙ୍ଗନା ରାଜ୍ୟ କମିଟିର ପ୍ରତିନିଧି ଜଗର ଆଜି ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଗତ ତିନି ଦିନ ତଳେ ଅଭିୟ ଦେଇଥିବା ପତ୍ର ତାଙ୍କର ନିଜର ମତ ଥିଲା ବୋଲି କୁହାଯାଇଛି। ଏଥିପାଇଁ ସଂଗଠନର କେହି ମଧ୍ୟ ତାଙ୍କୁ ଏନେଇ ନିର୍ଦ୍ଦେଶ ଦେଇନଥିବା ସେ କହିଛନ୍ତି। ସଂଗଠନରେ ଜଡିତ ଥିବା କର୍ମୀଙ୍କୁ ସେ ଏନେଇ କୌଣସି ଚନ୍ତା କରିବା ଦରକାର ନାହିଁ ବୋଲି କହିଛନ୍ତି।

୨୦୨୪ରେ ଆମେ ଶାନ୍ତି ବାର୍ତ୍ତା ପାଇଁ ଅନୁରୋଧ କରିଥିଲୁ। କିନ୍ତୁ ସରକାର ଏହାକୁ ଗ୍ରହଣ ନକରି ଅପରେସନକୁ ଜୋରଦାର କରିଥିଲେ। ଅନ୍ୟଦିଗରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓ ମୂଳପୋଛ କରିବା ନେଇ ଟାର୍ଗେଟ ଦେଇଛନ୍ତି। ଅପରେସନ କଗାର ବନ୍ଦ କରିବା ପାଇଁ ଆନ୍ଧ୍ର ଓ ତେଲେଙ୍ଗାନାରେ ବୁଦ୍ଧିଜୀବୀ ଜନସାଧାରଣ ଦାବି କରିଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। 

ଗତ ମେ ୨୧ ତାରିଖରେ ସଂଗଠନର ମହାସଚିବ ସମେତ ୨୮ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଜୁନ, ଜୁଲାଇ, ଅଗଷ୍ଟ ଏବଂ ସେପ୍ଟମ୍ବରରେ ହୋଇଥିବା ଅପରେସନରେ ଆମ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଉଦୟ, ବାଲକ୍ରୀଷ୍ଣା, ପ୍ରବେଶ ସୋରେନ ପ୍ରମୁଖ ସହିଦ ହୋଇଥିଲେ ବୋଲି କୁହାଯାଇଛି। ବହୁ କ୍ୟାଡର ନକ୍ସଲ ମଧ୍ୟ ସହିଦ ହୋଇଛନ୍ତି। ବିଜେପି ସରକାର ବାରମ୍ବାର ଘୋଷଣା କରୁଛନ୍ତି ଯେ ନକ୍ସଲ ସହ କୌଣସି ଆଲୋଚନା ହେବ ନାହିଁ। ନକ୍ସଲ ବନ୍ଧୁକ ଛାଡ଼ି ଆତ୍ମସମର୍ପଣ କଲେ ସବୁ କଥା ଚିନ୍ତା କରାଯିବ। ତେବେ ଏହାକୁ ନେଇ ଅଭୟ ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ଗ୍ରହଣୀୟ ନୁହେଁ ବୋରି ଜଗନ କହିଛି। ତେଣୁ ଅନ୍ୟ ସଂଗଠନର କର୍ମୀମାନେ ଏଥିରେ କୌଣସି ଚିନ୍ତା କରିବା ଦରକାର ନାହିଁ ବୋଲି ଜଗନ କହିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ନକ୍ସଲ ସଂଗଠନରେ ତାଳମେଳ ରହୁ ନାହିଁ। ସଂଗଠନ ଦୁଇ ତିନି ଫାଳ ହୋଇଛି। କେନ୍ଦ୍ରୀୟ କମିଟି ସଦସ୍ୟଙ୍କର ମୃତ୍ୟୁ ଏବେ ସଂଗଠନକୁ ନେତୃତ୍ବ ବିହୀନ କରିଛି। ତେବେ ଆଗକୁ ନକ୍ସଲ ସଂଗଠନ କି ପଦକ୍ଷେପ ନେବ ଦେଖିବାକୁ ବାକି ରହିଲା।

Odisha | Malkangiri

ରିପୋର୍ଟ: ପ୍ରେମେନ୍ଦ୍ର ପରିଚ୍ଛା