କଣ୍ଠରୋଧ କରିବାକୁ ଚାପ କୌଶଳ: ପ୍ରଥମେ ବିଜ୍ଞାପନ ବନ୍ଦ କରାଇଲେ
ଏବେ ଚାପ ପକାଇ ମାମଲା, ମିଛ ମାମଲା ପାଇଁ ଆହୁରି ଲୋକ ଯୋଗାଡ଼ ଚାଲିଛି
ଭୁବନେଶ୍ବର: ଅଭିଯୋଗ ଶୁଣାଣି ବାହାନାରେ ଆଡ଼ମ୍ବରପୂର୍ଣ୍ଣ ବ୍ୟବସ୍ଥାରେ ୫-ଟି ସଚିବଙ୍କୁ ବିଜ୍ଞପିତ କରିବା ପଛରେ ଉଦ୍ଦେଶ୍ୟ କ’ଣ? ଏହାଦ୍ବାରା ଗଣତାନ୍ତ୍ରିକ ମୂଲ୍ୟବୋଧ ନଷ୍ଟ ହେଉ ନାହିଁ ତ? ସଚିବ ବଡ଼ ନା ମନ୍ତ୍ରୀ/ବିଧାୟକ ବଡ଼? ମାଟି ବଡ଼ ନା ପାର୍ଟି ବଡ଼? ସମ୍ପାଦକୀୟ ମାଧ୍ୟମରେ ଗତ କିଛି ଦିନ ହେଲା ଏମିତି ପ୍ରଶ୍ନ ଉଠାଇଛନ୍ତି ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ସାରା ରାଜ୍ୟବାସୀ ବି ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ବ୍ୟଗ୍ର। କାରଣ କିଛି ମାସ ହେଲା ଓଡ଼ିଶାରେ ଏମିତି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ଥିବା ଜନମତକୁ ଅପବ୍ୟବହାର କରି ଛାୟା ସରକାର ଚଳାଉଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ। ସମ୍ପାଦକୀୟ ମାଧ୍ୟମରେ ଏମିତି ବ୍ୟବସ୍ଥା ଉପରେ ସୌମ୍ୟରଞ୍ଜନଙ୍କ କୁଠାରଘାତ ପରେ ଉତ୍କ୍ଷିପ୍ତ ହୋଇପଡ଼ିଛନ୍ତି ପାଣ୍ଡିଆନ ଓ ତାଙ୍କ ସହଯୋଗୀମାନେ। ତାଙ୍କ ପ୍ରଶ୍ନର ଉତ୍ତର ଦେବା ବଦଳରେ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଓଡ଼ିଶାରେ କ୍ଷମତାର କିପରି ମାତ୍ରାଧିକ ଅପବ୍ୟବହାର କରାଯାଇପାରେ, ତାହାର ଏକ ଅଲୋଡ଼ା ରେକର୍ଡ ନବୀନ ସରକାରରେ ଦେଖିବାକୁ ମିଳିଛି।
ସୌମ୍ୟରଞ୍ଜନ ସମ୍ପାଦକୀୟ ମାଧ୍ୟମରେ ଏହି ପ୍ରସଙ୍ଗ ଉଠାଇବା ପରେ ଗଣମାଧ୍ୟମରେ ମଧ୍ୟ ଏ ସମ୍ପର୍କରେ ସ୍ପଷ୍ଟ ମତ ରଖିଥିଲେ। ୫-ଟି ସଚିବ ଭି କେ ପାଣ୍ଡିଆନ ଅଭିଯୋଗ ଗ୍ରହଣ କରିବା ବାହାନାରେ ଯେପରି ସାରା ଓଡ଼ିଶା ବୁଲି କାର୍ଯ୍ୟକ୍ରମ କରୁଛନ୍ତି ତାହାକୁ ସେ ଭର୍ତ୍ସନା କରିଥିଲେ। ସିଧାସଳଖ ଜଣାଇଥିଲେ ଯେ ୫-ଟି ସଚିବ ଚାକିରିରେ ଥାଇ ରାଜନୀତି ନକରନ୍ତୁ। ଯଦି ରାଜନୀତି କରିବାର ଅଛି ଚାକିରି ଛାଡ଼ନ୍ତୁ। ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରରେ ଜଣେ ଅଧିକାରୀ ଏମିତି କରିପାରିବେନି। ବ୍ୟବସ୍ଥାର ଏହି ଚରମ ସତ୍ୟକୁ ଶ୍ରୀ ପାଣ୍ଡିଆନ ଓ ତାଙ୍କ ବଚସ୍କରମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ‘ସମ୍ବାଦ’ ଓ ସୌମ୍ୟରଞ୍ଜନଙ୍କ କଣ୍ଠରୋଧ କରିବା ପାଇଁ ସବୁ କଳ, ବଳ, କୌଶଳ ଲଗାଇ ଦେଇଛନ୍ତି। ପ୍ରତିଶୋଧ ପରାୟଣ ହୋଇ ସୌମ୍ୟରଞ୍ଜନଙ୍କ ଉପରେ ଦାଉ ସାଧିବା ଆରମ୍ଭ କରିଛନ୍ତି। ପ୍ରଥମେ ‘ସମ୍ବାଦ’କୁ ବିଜ୍ଞାପନ ଦେବା ବନ୍ଦ କରିଦେଲେ ସରକାର। ତାହା ପରେ ପରେ ‘ସମ୍ବାଦ’ର ସହଯୋଗୀ ସଂସ୍ଥା କନକ ନ୍ୟୁଜ୍ ଓ ରେଡିଓ ଚକ୍ଲେଟ୍କୁ ମଧ୍ୟ ବିଜ୍ଞାପନ ବନ୍ଦ କଲେ। ଏତିକିରେ ରକ୍ତମୁଖା ମାମଲ୍ତ୍କାରମାନଙ୍କ ମନ ଶାନ୍ତ ହେଲାନି। ରାଜ୍ୟରେ ଥିବା ବିଭିନ୍ନ ଘରୋଇ କମ୍ପାନି ଓ ବ୍ୟବସାୟିକ ଅନୁଷ୍ଠାନକୁ ବିଜ୍ଞାପନ ନ ଦେବା ପାଇଁ ମଧ୍ୟ ଧମକ ଦିଆଯାଇଛି। ଏହାର ଏକମାତ୍ର ଉଦ୍ଦେଶ୍ୟରେ ଥିଲା, ଆର୍ଥିକ ଚାପରେ ରହି ‘ସମ୍ବାଦ’ ସରକାରୀ ବ୍ୟବସ୍ଥାରେ ଚାଲିଥିବା ବ୍ୟତିକ୍ରମକୁ ରାଜ୍ୟବାସୀଙ୍କ ସାମ୍ନାକୁ ଆଣି ନପାରୁ। ରାଜ୍ୟବାସୀ ସତ କ’ଣ ନ ଜାଣନ୍ତୁ।
କିନ୍ତୁ ଏହି ଆର୍ଥିକ ଚାପ କୌଶଳ କାମ କରି ନଥିଲା କି ‘ସମ୍ବାଦ’ର ସ୍ବର ଦବି ଯାଇନଥିଲା। ଲଗାତାର ଭାବେ ବ୍ୟବସ୍ଥାର ତ୍ରୁଟିକୁ ପଦାକୁ ଆଣିବା ପରେ ସରକାର ଆହୁରି ଉଗ୍ର ହେଲେ। ଏହାପରେ ବିଜେଡିର ଉପସଭାପତି ପଦବିରୁ ସୌମ୍ୟରଞ୍ଜନଙ୍କୁ ହଟାଇ ପ୍ରମାଣିତ କରାଗଲା ଯେ ସଚିବ ହିଁ ବଡ଼ ଓ ସର୍ବଶକ୍ତିମାନ। ନିଜକୁ ସର୍ବେସର୍ବା ଭାବୁଥିବା ଅଧିକାରୀ ଜଣଙ୍କ ଆଉ ଏକ ଚାପ କୌଶଳ ଆପଣାଇଛନ୍ତି। ସୌମ୍ୟରଞ୍ଜନଙ୍କ ସମ୍ପର୍କୀୟଙ୍କ ମାଲିକାନାରେ ଥିବା ରିୟଲ୍ ଇଷ୍ଟେଟ୍ ସଂସ୍ଥା ‘ଜେଡ୍ ଇଷ୍ଟେଟ୍’ର କର୍ତ୍ତୃପକ୍ଷଙ୍କ ବିରୋଧରେ ଇଓଡବ୍ଲ୍ୟୁରେ ମିଛ ମାମଲା କରାଗଲା। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକଙ୍କୁ ଡାକି ଜେରା କରାଗଲା।
ଏତିକିରେ ପ୍ରତିଶୋଧ ରାଜନୀତିର ଶେଷ ହେଲାନି। ସଂପୃକ୍ତ ଅଧିକାରୀଙ୍କ ପାଖ ଲୋକଙ୍କ ମାଲିକାନାରେ ଥିବା ‘ସକାଳ’ର କର୍ମଚାରୀ (ପୂର୍ବରୁ ‘ସମ୍ବାଦ’ରେ ଥିଲେ)ଙ୍କ ଉପରେ ଚାପ ପକାଇ ‘ସମ୍ବାଦ’ ଓ ଏହାର ସମ୍ପାଦକଙ୍କ ବିରୋଧରେ ଇଓଡବ୍ଲ୍ୟୁରେ ମିଛ ମାମଲା କରାଯାଇଛି। ବହୁ ବର୍ଷ ପୂର୍ବରେ କରାଯାଇଥିବା ଋଣ (ଯାହାକୁ ସୁଝା ସରିଛି) ସଂକ୍ରାନ୍ତୀୟ ଏକ ଘଟଣାକୁ ଉଦ୍ଦେଶ୍ୟମୂଳକ ଭାବେ ଆଗକୁ ଅଣାଯାଇଛି। କର୍ମଚାରୀଙ୍କର ଏହି ଋଣ ପଛରେ ସୌମ୍ୟରଞ୍ଜନଙ୍କର କୌଣସି ଭୂମିକା ନଥିଲା। ସରକାରଙ୍କ ମୁଖପତ୍ର ସାଜିଥିବା ସକାଳ ଖବରକାଗଜ ଓ ନନ୍ଦିଘୋଷ ଟିଭିକୁ ବ୍ୟବହାର କରି ସୌମ୍ୟରଞ୍ଜନଙ୍କୁ ବଦନାମ କରିବା ପାଇଁ ସରକାରୀ କଳ ଦିନରାତି ଏକ୍ କରିଦେଇଛି। ମିଛ ମାମଲା ଯୋଡ଼ିବା ପାଇଁ ସଂପୃକ୍ତ ଅଧିକାରୀଙ୍କ ନିର୍ଦ୍ଦେଶରେ ଆହୁରି ଅଧିକ ଲୋକଙ୍କୁ ଯୋଗାଡ଼ କରାଯାଉଛି। ବିଭିନ୍ନ ପ୍ରକାର ପ୍ରଲୋଭନ ଓ ଚାପ ପକାଇ ଏତଲା ଦେବା ପାଇଁ ସେମାନଙ୍କୁ କୁହାଯାଉଛି। ଗୋଟିଏ ପଟେ ଗଣତନ୍ତ୍ରର ସୁରକ୍ଷା ଓ ଓଡ଼ିଆଙ୍କ ସ୍ବାଭିମାନ ପାଇଁ ସୌମ୍ୟରଞ୍ଜନ ଦୃଢ଼ ଭାବେ ଠିଆ ହୋଇଥିଲା ବେଳେ ଅନ୍ୟପଟେ ନିଜକୁ ସରକାର ଭାବୁଥିବା ଅଧିକାରୀ ନିଜର କ୍ଷମତାର ଅପବ୍ୟବହାର କରି ବାଟ ଓଗାଳିବାକୁ ଚେଷ୍ଟା ଜାରି ରଖିଛନ୍ତି। ସେହି ଅଧିକାରୀଙ୍କ କାର୍ନାମା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି ନା ତାଙ୍କୁ ଅନ୍ଧାରରେ ରଖି ଏସବୁ କରାଯାଉଛି, ତାହା ଏବେ ରାଜ୍ୟବାସୀଙ୍କ ପାଖରେ ବଡ଼ ପ୍ରଶ୍ନ।