ଗ୍ରୀଷ୍ମ ଛୁଟି ବଦଳାଇବାକୁ ଚାପ: ପ୍ରସ୍ତାବ ଆସିଛି, ସ୍ଥିତି ଦେଖି ନିଷ୍ପତ୍ତି: ମନ୍ତ୍ରୀ

ଭୁବନେଶ୍ବର: ତାତି ଆହୁରି ବଢ଼ିବ। ମାସ ଶେଷ ସପ୍ତାହ ବେଳକୁ କେତେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ଡେଇଁଯିବା ନେଇ ବି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଥିବାରୁ ଅଭିଭାବକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସ୍କୁଲ କର୍ତୃପକ୍ଷ ମଧ୍ୟ ପିଲାଙ୍କ ପାଠପଢ଼ା ନେଇ ସନ୍ଦେହରେ। କୋମଳମତି ପିଲାଙ୍କୁ ପୂର୍ବାହ୍ନ ୧୧ଟା ଯାଏ ବିଦ୍ୟାଳୟରେ ରଖି ଚାପ ସୃଷ୍ଟି କରିବା ସପକ୍ଷରେ ନାହାନ୍ତି। ପିଲାମାନେ ମଧ୍ୟ ଧୀରେ ଧୀରେ କ୍ଲାସ ବନ୍ଦ କରିବା ଆରମ୍ଭ କଲେଣି। ମେ’ ମାସରେ ମଧ୍ୟ ଟାଣ ଖରା ଜାରି ରହିବାକୁ ଥିବାରୁ ଜୁନ୍‌ ୬ ବଦଳରେ ତା’ ପୂର୍ବରୁ ଗ୍ରୀଷ୍ମ ଛୁଟି କରିବାକୁ ଦାବି ହୋଇଛି। ବିଭିନ୍ନ ଶିକ୍ଷକ ସଙ୍ଗଠନଙ୍କ ସମେତ ଅଭିଭାବକ ସଂଘ ଖରା ଛୁଟି ସମୟରେ ପରିବର୍ତନ କରିବାକୁ ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ଦେଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାଶ କହିଛନ୍ତି ଯେ ଜୁନ ବଦଳରେ ମେ’ ମାସରେ ଖରା ଛୁଟି କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଛି। ପରିସ୍ଥିତି ଯଦି ସେମିତି ଆସେ ତାହା ହେଲେ ବିଭାଗ ସେନେଇ ବିଚାର କରିବ। କିନ୍ତୁ ବର୍ତମାନ ସେନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ। କରୋନା ପ୍ରଭାବ ବି ଆଗଭଳି ନାହିଁ। ସ୍ଵାସ୍ଥ୍ୟ ବିଭାଗ ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯାଉଛି। ଆସନ୍ତା ସପ୍ତାହରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ କୌଣସି ଅସୁବିଧା ହେବନି। ହାତରେ ଆଉ କମ୍‌ ସମୟ ଥିବାରୁ ପରୀକ୍ଷାର୍ଥୀମାନେ ପରୀକ୍ଷା ଲାଗି ପ୍ରସ୍ତୁତ ହୁଅନ୍ତୁ। ମେ’ ମାସରେ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷାବର୍ଷରୁ ରେଗୁଲାର କୋର୍ସ ସହ ପୁରୁଣା ପାଠ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ। ଛାତ୍ରଛାତ୍ରୀଙ୍କୁ ଖୁବ୍‌ଶୀଘ୍ର ସ୍ବତନ୍ତ୍ର ପୁସ୍ତିକା ମିଳିବ। ଯେଉଁଥିରେ ଦୁଇ ବର୍ଷର ପୁରୁଣା ପାଠ ରହିଛି। ଦୁଇ ବର୍ଷ ହେଲା ପିଲାଙ୍କ ପାଠପଢ଼ା କ୍ଷତି ଭରଣା କରିବାରେ ଏହା ସହାୟକ ହେବ। ‌ମେ’ ମାସରେ ହେବାକୁ ଥିବା କ୍ଲାସରେ ରେଗୁଲାର ପାଠପଢ଼ା ସହ ପୁରୁଣା ପାଠରେ ପିଲାଙ୍କୁ ଶିକ୍ଷା ଦିଆଯିବ।

ସମ୍ବନ୍ଧିତ ଖବର