ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ମାଳ ମାଳ ନକଲି ଡାକ୍ତର ରୋଗୀଙ୍କୁ ଶୋଷଣ କରୁଛନ୍ତି। ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବିଭିନ୍ନ ଗ୍ରାମରେ ବଢ଼ି ବଢ଼ି ଚାଲିଛି। ଲାଠିକଟା ବ୍ଲକ୍ର ଟାଇଁସର, ବିରଡ଼ା, ବିରକେରା, ରାମଯୋଡ଼ି, ମନକୋ, ଟୁରିବେରନା, ଚାନ୍ଦିପୋଷ, କୁଚେଇତା, ଛିଡ଼ି, ଚନ୍ଦ୍ରପୁର, ହାତୀବନ୍ଧା, କୁମାକେଲା, ଯୋଡାବନ୍ଧ ଆଦି ବିଭିନ୍ନ ଗ୍ରାମରେ ନିଜକୁ ଡାକ୍ତର ଭାବେ ପରିଚୟ ଦେଇ କ୍ୱାକ୍ ବା ନକଲି ଡାକ୍ତରମାନେ ଲୋକଙ୍କୁ ଶୋଷଣ କରୁଛନ୍ତି।
କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ସେମାନେ ନିର୍ବିଘ୍ନରେ ନକଲି ଚିକିତ୍ସା ଜାରି ରଖିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମାଟ୍ରିକ ପାସ୍ କରି ନ ଥିବାବେଳେ ସାଲାଇନ ଓ ଇଂଜେକସନ ଆଦି ସବୁକିଛି ଡାକ୍ତରଙ୍କ ପରି ରୋଗୀଙ୍କୁ ଦେଉଛନ୍ତି।
କେତେକ ସ୍ଥାନରେ ଅପହଞ୍ଚ ସ୍ୱାସ୍ଥ୍ୟସେବାର ସୁଯୋଗ ନେଇ ନକଲି ଡାକ୍ତର ରୋଗୀଙ୍କୁ ଶୋଷଣ କରୁଛନ୍ତି। ଏପରିକି ଡାକ୍ତରଖାନା ଥିବା ଗ୍ରାମରେ ମଧ୍ୟ ରୋଗୀମାନେ ଡାକ୍ତରଖାନା ନ ଯାଇ ନକଲି ଡାକ୍ତରଙ୍କ ପାଖକୁ ଯାଉଛନ୍ତି। ସାମାନ୍ୟ ଅସୁସ୍ଥ ଥିଲେ ସେମାନଙ୍କ ଔଷଧ ଦ୍ୱାରା ରୋଗୀ ସୁସ୍ଥ ହୋଇ ଯାଉଛନ୍ତି। କିନ୍ତୁ କିଛି ଦିନ ପରେ ରୋଗ ପୁଣି ବାହାରୁଛି। ଫଳରେ ପରିବାର ଲୋକେ ତାଙ୍କୁ ଶେଷମୁହୂର୍ତ୍ତରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରୁଛନ୍ତି।
ଏପରିକି କେତେକ ସ୍ଥାନରେ ଭୁଲ୍ ଚିକିତ୍ସା ଯୋଗୁ ରୋଗୀ ପ୍ରାଣ ହରାଉଛନ୍ତି। ଚଢ଼ଉ କିମ୍ବା କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ସେମାନେ ନିର୍ଭୟରେ ଚିକିତ୍ସା କରୁଛନ୍ତି। ନିକଟରେ ଲାଠିକଟା ବ୍ଲକ୍ ସମିତି ବୈଠକରେ ଜଣେ ସରପଞ୍ଚ ଏ ବିଷୟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ସରକାର ସ୍ୱାସ୍ଥ୍ୟ ବିଭାଗ ତରଫରୁ ମାଗଣା ଚିକିତ୍ସା ଓ ଔଷଧ ଯୋଗାଇ ଦିଆଯାଉଛି। ବ୍ଲକ୍ର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ସିଏଚ୍ସି, ପିଏଚ୍ସି ଓ ଆଶାକର୍ମୀଙ୍କ ପାଖରେ ଔଷଧ ରହୁଛି। ଅସୁସ୍ଥ ହେଲେ ଡାକ୍ତରଖାନା ଆସି ଚିକିତ୍ସା ହେବାକୁ ଲୋକମାନଙ୍କୁ ସଚେତନ କରାଯାଉଛି। ତଥାପି ଲୋକେ ଡାକ୍ତରଖାନା ନ ଯାଇ କ୍ୱାକ୍ଙ୍କ ଦ୍ୱାରା ଚିକିତ୍ସିତ ହୋଇ ଅସୁବିଧାର ସମ୍ମୁଖୀନ ହେବା ସହ ଖର୍ଚ୍ଚାନ୍ତ ହେଉଛନ୍ତି।
ଏ ସଂପର୍କରେ ବିରକେରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ବସନ୍ତ କୁମାର ପୁହାଣଙ୍କୁ ପଚାରିବାରୁ ସେ କହିଲେ କେତେକ ଲୋକଙ୍କ ମାନସିକତା ଏପରି ଅଛି ସେମାନେ ଡାକ୍ତରଖାନା ନ ଯାଇ କ୍ୱାକ୍ମାନଙ୍କ ପାଖକୁ ଯାଉଛନ୍ତି ଆବଶ୍ୟକତା ନ ଥାଇ ସାଲାଇନ ଇଂଜେକସନ ଆଦି ନେଉଛନ୍ତି, ଅସୁବିଧାରେ ମଧ୍ୟ ପଡୁଛନ୍ତି। ସରକାରଙ୍କ ପକ୍ଷରୁ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ପଚାରିବାରୁ ସେ କହିଲେ ସିଡିଏମ୍ଓଙ୍କର ସ୍କ୍ବାଡ୍ ପଠାଇ ଚଢ଼ଉ କରିବାର କ୍ଷମତା ରହିଛି।
sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/06/26/prevalence-of-fake-doctors-in-villages-no-action-taken-2025-06-26-09-10-03.jpg)