ଭୁବନେଶ୍ବର : ରାଜ୍ୟରେ ନିଶା କାରବାର ସାଂଘାତିକ ଭାବେ ବ୍ୟାପିଚାଲିଛି। ୧୨ରୁ ୧୫ ବର୍ଷ ବୟସର ପିଲା ମଦ ପିଇବା ଆରମ୍ଭ କଲେଣି। ତେଜରାତି ଦୋକାନରେ ତେଲ ମିଳି ନ ପାରେ, କିନ୍ତୁ ମଦ ମିଳୁଛି। ଚୋରା ମଦ ବେପାରୀଙ୍କୁ ନାମମାତ୍ର ଗିରଫ କରାଯାଉଛି। ସରକାର ନିଶା କାରବାରକୁ ରୋକନ୍ତୁ। ନଚେତ ସ୍ଥିତି ଆହୁରି ବିଗିଡ଼ିଯିବ। ଆଜି ବିଧାନସଭାରେ ଅବକାରୀ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ସରକାରଙ୍କୁ ଏମିତି ସତର୍କ କରାଇଦେଇଛନ୍ତି।
ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ନିଶା କାରବାରକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ରାଜ୍ୟ ସରକାର ‘ଅହିଂସା’କୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ କହୁଛନ୍ତି। କିନ୍ତୁ ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶ ମାନୁନାହାନ୍ତି। ଓଡ଼ିଶାରେ ସମ୍ପୂର୍ଣ୍ଣ ନିଶା ନିବାରଣ କରିବାକୁ ସେ ଦାବି କରିଥିଲେ। ଚୋରା ମଦ କାରବାର ରୋକିବାକୁ ଏନ୍ଫୋର୍ସମେଣ୍ଟକୁ ଅଧିକ ଦୃଢ଼ କରିବା ନିମନ୍ତେ ଅଧିକ କର୍ମଚାରୀ ନିଯୁକ୍ତି ପାଇଁ ଶାସକ ଦଳ ସଭ୍ୟ ଅମର ପ୍ରସାଦ ଶତପଥୀ ପ୍ରସ୍ତାବ ଦେଇଥିଲେ। ବିଜେପି ସଭ୍ୟ ସୁବାସ ପାଣିଗ୍ରାହୀ ବିଦେଶୀ ମଦ ଦୋକାନ ସାମ୍ନାରେ ମଦର ମୂଲ୍ୟ ଥିବା ତାଲିକା ଲଗାଇବାକୁ କହିଥିଲେ। ଆଲୋଚନାର ଉତ୍ତରରେ ଅବକାରୀ ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଥିଲେ, ରାଜ୍ୟ ସରକାର ସଫଳ ଅବକାରୀ ନୀତି ଆପଣାଇଥିବାରୁ ଅବକାରୀ ବିଭାଗର ରାଜସ୍ବ ବୃଦ୍ଧି ପାଉଛି। ବିଗତ ବର୍ଷ ଅବକାରୀ କ୍ୟାଡର୍ ପୁନର୍ଗଠନ କରାଯାଇ କ୍ୟାଡର୍ ସଂଖ୍ୟା ୧୯୦୬ରୁ ୨୨୧୦ କରାଯାଇଛି। ଗତ ବର୍ଷ ରେକର୍ଡ ସଂଖ୍ୟାରେ ଗଞ୍ଜେଇ(୩୦୧୩୦ କେଜି), ବ୍ରାଉନ୍ ସୁଗାର(୧୧,୬୬୨.୨୯ ଗ୍ରାମ) ଓ ଅଫିମ(୭୬୦୦ ଗ୍ରାମ) ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟକୁ ସୁରକ୍ଷିତ ଭାବେ ରଖିବା ପାଇଁ ରାଜ୍ୟରେ ୧୦ଟି ସ୍ଥାନରେ ଗୋଦାମ କରାଯାଇଛି। ରାଜ୍ୟ ପାନୀୟ ନିଗମ ୨୦୨୧-୨୨ରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରିଛି ଓ ୭୯ ଲକ୍ଷୁ ଟଙ୍କା ସିଏସ୍ଆର୍ କାର୍ଯ୍ୟରେ ଖର୍ଚ୍ଚ କରିଛି। ଚଳିତ ଆର୍ଥିକ ବର୍ଷ ନିମନ୍ତେ ୧୫୮.୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/13_45_15551800012_30_031521070smoking-and-alcohol-drinking-together-ll-ll.jpg)