ଭୁବନେଶ୍ବର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆସନ୍ତା ଦୀପାବଳି ଅବସରରେ ବାଣଫୁଟାକୁ ନିଷେଧ କରିଛନ୍ତି ରାଜ୍ୟ ସରକାର । ଏଥିସହ ବାଣ ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ଜାରି କରିଛନ୍ତି। ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିସନର ଏକ ଗାଇଡଲାଇନ୍ ଜାରି କରିଛନ୍ତି। ନଭେମ୍ବର ୧୪ ତାରିଖ ଦିନ ଦୀପାବଳି ପଡ଼ୁଥିବାରୁ ଏହି ନିଷେଧାଦେଶ ନଭେମ୍ବର ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ନିୟମ ଯିଏ ଭଙ୍ଗ କରିବ ସେମାନଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ତଥା ଅନ୍ୟ ସମ୍ପୃକ୍ତ ଆଇନର ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ଓ ପୁଲିସକୁ ନିର୍ଦେଶ ଦିଆଯାଇଛି।
ବାଣଫୁଟାଇବା ଫଳରେ ଅଧିକ ମାତ୍ରାରେ ନାଇଟ୍ରସ ଅକସାଇଡ, ସଲଫର ଡାଇଅକସାଇଡ, କାର୍ବନ ମନୋକସାଇଡ ପରି କ୍ଷତିକାରକ ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ। ଏହାଦ୍ବାରା ସମ୍ବେଦନଶୀଳ ଲୋକଙ୍କ ଶ୍ବାନଜନିତ ସମସ୍ୟା ଦେଖା ଦେଇଥାଏ । ବାଣ ଫୁଟିବା ସମୟରେ ଗୃହ ପୃଥକବାସରେ ରହିଥିବା ତଥା କୋଭିଡ-୧୯ ସଂକ୍ରମିତ ଥିବା ଲୋକମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଆହୁରି ଖରାପ କରିବାର ଆଶଙ୍କା ରହିଛି।
ବର୍ତ୍ତମାନ ସକ୍ରିୟ ଥିବା ରୋଗୀମାନଙ୍କ ସଂଖ୍ୟାରେ ହ୍ରାସ ଘଟିଥିଲେ ସୁଦ୍ଧା ବିପଦ ଏବେ ବି ରହିଛି। ଆମ ଦେଶ ଓ ବିଶ୍ବର କେତେକ ଅଞ୍ଚଳରେ କୋଭିଡ-୧୯ ସଂକ୍ରାନ୍ତିୟ ସତର୍କତାମୂଳକ ବ୍ୟବହାରର କଡ଼ାକଡ଼ି ଅନୁପାଳନ ହୋଇ ନ ଥିବାରୁ ସେସବୁ ଅଞ୍ଚଳରେ ପୁନଃସଂକ୍ରମଣ ଦେଖା ଦେଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୀପାବଳିରେ ବାଣ ଫୁଟାଇବା ଓ ବାଣ ବିକ୍ରିକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/state-govt-banned-fireworks3_Thumb.jpg)