ଦରଦାମ୍ ବୃଦ୍ଧି ପ୍ରତିବାଦ: ରାସ୍ତାକୁ ଓହ୍ଲାଇବ ବିଜେଡି, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯିବ ସ୍ମାରକପତ୍ର

ଆଜି ରାଜଭବନ ସମ୍ମୁଖରେ ହେବ ପ୍ରତିବାଦ, ନଭେମ୍ବର ୧ରେ ନିର୍ବାଚନମଣ୍ଡଳୀ ସ୍ତରରେ ଦଳ ଘେରିବ

ଭୁବନେଶ୍ବର: ରାଜ୍ୟରେ ଗତ କିଛି ମାସ ହେଲା ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବଢ଼ି ଚାଲିଥିବା ବେଳେ ସାଧାରଣ ଲୋକ ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ହୋଇଗଲେଣି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏବେ ବିଜେଡି ଦରଦାମ୍ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ବିରୋଧରେ ଜୋରଦାର ପ୍ରତିବାଦ କରିବ ବୋଲି ନିଷ୍ପତ୍ତି ନେଇଛି। ରାଜଧାନୀରୁ ଆରମ୍ଭ କରି ସବୁ ନିର୍ବାଚନମଣ୍ଡଳୀ ସ୍ତରରେ ନଭେମ୍ବର ୧ରେ ପ୍ରତିବାଦ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଆଜି ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ ଓ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ପେଟ୍ରୋଲ, ଡିଜେଲ୍‌ ଓ ଏଲ୍‌ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଯୋଗୁଁ ଓଡ଼ିଶା ସମେତ ସାରା ଦେଶର ସାଧାରଣ ଲୋକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। କେନ୍ଦ୍ରର କ୍ଷମତାସୀନ ବିଜେପି ସରକାର ଏହି ଦରଦାମ୍ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ। ରାଜ୍ୟ ତମାମ୍ ସବୁ ବର୍ଗର ପରିବାରକୁ ରନ୍ଧନ ଗ୍ୟାସ୍‌ର ଦରବୃଦ୍ଧି ପ୍ରଭାବିତ କରିଛି। ୧୫.୪କେଜି ଓଜନର ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଦର ରାଜ୍ୟରେ ହଜାରେ ଟଙ୍କା ଛୁଇଁଥିବା ବେଳେ ହାଣ୍ଡିଶାଳ ଉପରେ କରୋଡ଼ା ମାଡ଼ ସଦୃଶ ହୋଇଛି। ଏଲ୍‌ପିଜି ଦର ଶେଷଥର ପାଇଁ ଅକ୍ଟୋବର ୬ତାରିଖରେ ୧୪.୨ କେଜି ସିଲିଣ୍ଡର ପିଛା ୧୫ଟଙ୍କା ବୃଦ୍ଧି ପାଇଥିଲା। ଜୁଲାଇରୁ ଅକ୍ଟୋବର ମଧ୍ୟରେ ୯୦ଟଙ୍କା ବୃଦ୍ଧି ପାଇଛି। ଏଲ୍‌ପିଜି ରନ୍ଧନ ଗ୍ୟାସ୍‌ ଦର ଆସନ୍ତା ସପ୍ତାହରେ ପୁଣି ବୃଦ୍ଧି ପାଇପାରେ। ଯାହା ଲୋକଙ୍କ ଯନ୍ତ୍ରଣାକୁ ଆହୁରି ବଢ଼ାଇଦେବ ବୋଲି ବିଜେଡି କହିଛି।

ସାମ୍ବାଦିକ ସମ୍ମିଳନୀରେ ଦଳର ନେତାମାନେ କହିଥିଲେ ଯେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୦୯ଟଙ୍କା ୭୧ପଇସା, ଡିଜେଲ ୧୦୬ଟଙ୍କା ୩୨ପଇସା, ୧୪.୨କେଜି ଏଲ୍‌ପିଜି ସିଲିଣ୍ଡର ଦର ୯୨୬ଟଙ୍କା ରହିଛି। ୨୦୧୯ରେ ବିଜେପି ଦ୍ବିତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାକୁ ଆସିବାବେଳେ ପେଟ୍ରୋଲ ଲିଟର ୭୧ଟଙ୍କା ଓ ଡିଜେଲ ୬୫ଟଙ୍କା ଥିଲା। ହେଲେ ଗତ ଦୁଇ ବର୍ଷରେ ଏହା ୩୦%ରୁ ଅଧିକ ବୃଦ୍ଧି ପାଇଛି। କେବଳ ଏତିକି ନୁହେଁ, କ୍ରମାଗତ ଭାବେ ତୈଳ ଓ ଇନ୍ଧନ ଦର ବୃଦ୍ଧି ଯୋଗୁଁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦର ୪୦%ରୁ ୧୦୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଏସବୁ ସମସ୍ୟା ଅଧିକ ହେବାରେ ଲାଗିଛି। ହେଲେ ବିଜେପି ସରକାର ଏହାର ସମାଧାନ ପାଇଁ କିଛି ବି ପଦକ୍ଷେପ ନେଉନାହିଁ।

ତେଣୁ ଦରଦାମ୍ ବୃଦ୍ଧି ପ୍ରତିବାଦରେ ୩୧ତାରିଖରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ। ପେଟ୍ରୋଲ, ଡିଜେଲ୍‌, ଏଲ୍‌ପିଜି, ଖାଇବା ତେଲ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ହ୍ରାସ ଦାବିରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ। ନଭେମ୍ବର ୧ରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରତିବାଦ କରାଯିବା ସହ ଜିଲ୍ଲାପାଳ/ଉପଜିଲ୍ଲାପାଳ/ବିଡିଓ କିମ୍ବା ଅନ୍ୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ। ସେହିପରି ନଭେମ୍ବର ୫ ରୁ ୭ ତାରିଖ ପର୍ଯ୍ୟନ୍ତ ବିଜୁ ଯୁବ ଓ ଛାତ୍ର ଜନତା ପକ୍ଷରୁ ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦିଆଯିବ।

ସମ୍ବନ୍ଧିତ ଖବର