ଭୁବନେଶ୍ୱର : ସ୍କୁଲ ଲାଇବ୍ରେରି ପାଇଁ ବହିକିଣା ନିମନ୍ତେ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ପ୍ରସ୍ତୁତ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଗୃହୀତ ବହି ତାଲିକାରେ ଦର୍ଶିତ ମୂଲ୍ୟ ଅନୁଯାୟୀ ୨୦୧୯ରେ ପ୍ରକାଶକମାନେ ଯେଉଁ ବହି ଯୋଗାଇଥିଲେ, ଏ ବର୍ଷ ଅନେକ ବହିର ଦାମ ୪୦%ରୁ ୮୦% ଯାଏ ବୃଦ୍ଧି ଘଟିଛି। ‘ସମ୍ବାଦ’ରେ ପ୍ରକାଶିତ ଏ ସଂକ୍ରାନ୍ତ ଖବରରେ ଓଡ଼ିଶା ପବ୍ଲିଶର୍ସ ଆଣ୍ଡ ବୁକ୍‌ ସେଲର୍ସ ଆସୋସିଏସନ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦେଇ ସଂଘର ସମ୍ପାଦକ ଶୁଭେନ୍ଦୁ ଶେଖର ରଥ ଦର୍ଶାଇଛନ୍ତି ଯେ ତାଲିକାଭୁକ୍ତ ପୁସ୍ତକଗୁଡ଼ିକ ମଧ୍ୟରୁ ଅଧିକଂଶ ପୁରାତନ ସଂସ୍କରଣ ହୋଇଥିବାରୁ ତତ୍କାଳୀନ ମୂଲ୍ୟ ଉଲ୍ଲେଖ ଥିଲା। ଇତିମଧ୍ୟରେ ଛାପା ସାମଗ୍ରୀଗୁଡ଼ିକର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଥିବାରୁ ସେ ସବୁ ବହିର ନୂଆ ମୂଲ୍ୟ ଅଧିକ ହେବା ସ୍ୱାଭାବିକ। ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର-ପ୍ରସାର ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଥିବା ରାଜ୍ୟର ମୁଦ୍ରଣ ଶିଳ୍ପଗଡ଼ିକ ଦୁର୍ଦ୍ଦିନରେ ଗତି କରୁଥିବା ବେଳେ ଏହାର ସୁଧାର ନିମନ୍ତେ କୌଣସି ସରକାରୀ କିମ୍ବା ବେସରକାରୀ ପ୍ରୋତ୍ସାହନ ନାହିଁ। ଏଭଳି ପରିସ୍ଥିତିରେ ସ୍କୁଲ ପାଠାଗାରକୁ ବହି ଯୋଗାଣ ସମସ୍ୟାକୁ କିଛି ମାତ୍ରାରେ ଲାଘବ କରିବାର ଆଶା ସଞ୍ଚାର ହୋଇଛି।

Advertisment

ଠିକ୍‌ ଏହି ସମୟରେ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ସେଥିରେ ବାଧା ଉପୁଜାଇବା ଲକ୍ଷ୍ୟରେ ବିଭ୍ରାନ୍ତିକର ଅପପ୍ରଚାର ଚଳାଇବା ପରିତାପର ବିଷୟ। ଶ୍ରୀ ରଥ ନିର୍ଦ୍ଦିଷ୍ଟ ଦୃଷ୍ଟାନ୍ତ ଦେଇ ଉଲ୍ଲେଖ କରିଛନ୍ତି ଯେ ସରକାରଙ୍କ ଦ୍ୱାରା ନିର୍ବାଚିତ ତଥା ଗୃହୀତ ପୁସ୍ତକ ତାଲିକା ବଳବତ୍ତର ଥିବାବେଳେ ସମ୍ପୃକ୍ତ ଗୋଷ୍ଠୀ ଅନ୍ୟ ଏକ ପ୍ରମୁଖ ଓଡ଼ିଆ ଦୈନିକରେ ଅପ୍ରାଧିକୃତ ବିଜ୍ଞାପନ ଛାପି ସେଥିରେ ପୁସ୍ତକ ତାଲିକା ରଦ୍ଦ ହୋଇଥିବା ନେଇ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ମହଲରେ ବିଭ୍ରାନ୍ତି ସୃଷ୍ଟି ଲାଗି ଉଦ୍ୟମ କରିଛନ୍ତି। ଏଭଳି ଷଡ୍‌ଯନ୍ତ୍ର ପ୍ରତି ଶିକ୍ଷକ ମହଲ ସଜାଗ ରହିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି।