ୟୁନିଟ୍‌ ପିଛା ବିଦ୍ୟୁତ୍ ଦର ବଢ଼ିପାରେ ଦେଢ଼ ଟଙ୍କା

ଉପଭୋକ୍ତା ମହାସଂଘର ବିରୋଧ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ନିଜସ୍ବ ବିଦ୍ୟୁତ କମ୍ପାନିମାନେ ଆସନ୍ତାବର୍ଷ ପାଇଁ ବିଦ୍ୟୁତ ଦର ବୃଦ୍ଧି ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଏଆରସି)ଙ୍କ ନିକଟରେ ପିଟିସନ୍ ଦେଇଛନ୍ତି। ଏଥିରେ ବିଦ୍ୟୁତ ଦର ୟୁନିଟ୍‌ ପିଛା ‌ଦେଢ଼ ଟଙ୍କା ବଢ଼ିବ ବୋଲି ଅନୁମାନ କରାଯାଉଛି। ଗତ ୬ମାସ ତଳେ ଓଇଆରସି ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି କରିବା ପରେ ଗ୍ରାହକଙ୍କୁ ୟୁନିଟ୍‌ ପିଛା ୫ଟଙ୍କା ୨୫ପଇସା ଦେବାକୁ ପଡ଼ୁଛି। ଦର ବଢ଼ିଲେ ୟୁନିଟ୍‌ ପିଛା ଓଡ଼ିଶାରେ ବିଦ୍ୟୁତ ଦର ୫ଟଙ୍କା ୨୫ପଇସାରୁ ବଢ଼ି ୬.୭୫ ଟଙ୍କା ହେବ। ଫଳରେ ରାଜ୍ୟର ଅନେକ ଶିଳ୍ପ ସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ହୋଇଯିବ। ରାଜ୍ୟ ସରକାର ଯଦି ବିଦ୍ୟୁତ କମ୍ପାନିଙ୍କ ପିଟିସନ୍‌କୁ ଗ୍ରହଣ କରନ୍ତି ତା’ହେଲେ ଜନ ଆନ୍ଦୋଳନ ହେବ ବୋଲି ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥୀ ଚେତାଇ ଦେଇଛନ୍ତି।

ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ଦେଶର ବିଭିନ୍ନ ରାଜ୍ୟ ସରକାରମାନେ ଗ୍ରାହକଙ୍କୁ ବିନା ମୂଲ୍ୟ/ସ୍ବଳ୍ପ ମୂଲ୍ୟରେ ବିଦ୍ୟୁତ ଯୋଗାଇ ଆସୁଛନ୍ତି। ହେଲେ ଓଡ଼ିଶା ସରକାର ବିଦ୍ୟୁତ ବିଭାଗରୁ କୋଟି କୋଟି ଟଙ୍କା ଆଦାୟ କରି ଗ୍ରାହକଙ୍କୁ ଶୋଷିବାରେ ଲାଗିଛନ୍ତି। ରାଜ୍ୟ ସରକାର ବିଦ୍ୟୁତ ବିଭାଗରୁ ବର୍ଷକୁ ହାରାହାରି ୩-୪ହଜାର କୋଟି ଟଙ୍କା ଇଲେକ୍ଟ୍ରିସିଟି ଡ୍ୟୁଟି ଆଦାୟ କରୁଛନ୍ତି।

ରାଜ୍ୟ ସରକାର ଜାଣିଶୁଣି ବିଦ୍ୟୁତ ବିଭାଗର ସମସ୍ତ ଆର୍ଥିକ କ୍ଷତିକୁ ଗ୍ରିଡକୋ ଉପରେ ଲଦି ଦେବା/ ଚଢ଼ା ଦରରେ ବିଦ୍ୟୁତ କିଣିବା ପାଇଁ ସରକାରୀ ଗ୍ୟାରେଣ୍ଟର ବ୍ୟାଙ୍କରୁ ଋଣ କରିବା ଓ ଗ୍ୟାରେଣ୍ଟି କମିସନ ବ୍ୟାଙ୍କ ସୁଧକୁ ବିଦ୍ୟୁତ ଗ୍ରାହକଙ୍କଠାରୁ ପ୍ରତିବର୍ଷ ବିଦ୍ୟୁତ ଦର ଆକାରରେ ଆଦାୟ କରିବାକୁ ମହାସଂଘ ତୀବ୍ର ବିରୋଧ କରୁଛି। ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଏମ୍ପ୍ଲୋଇଜ ଫେଡେରେସନ୍‌ର ସାଧାରଣ ସଂପାଦକ ଯତୀନ୍ଦ୍ର ରାୟ, ନିଖିଳ ଓଡ଼ିଶା ବିଦ୍ୟୁତ କର୍ମଚାରୀ ସଂଘର ସାଧାରଣ ସଂପାଦକ ଅକ୍ଷୟ ତ୍ରିପାଠୀ, ସଭାପତି ପ୍ରଶାନ୍ତ ମହାପାତ୍ର, ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଂଘ ଉପସଭାପତି ହେମନ୍ତ ଦାସ, ସାଧାରଣ ସଂପାଦକ ଜଗନ୍ନାଥ ମହାରଣା, ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘର ସାଧାରଣ ସଂପାଦକ ଲଳିତ ପଟ୍ଟନାୟକ, ସଂପାଦକ ପ୍ରଣୟ ନାୟକ, ଫେଡେରେସନ୍‌ର ଉପ-ସଂପାଦକ ସତ୍ୟବାଦୀ ବାଘ, ଭ୍ରମରବର ରାଉତ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର