ଅନ୍ତର୍ଜାତୀୟ ବଜାରରେ ଚିଙ୍ଗୁଡ଼ି ମୂଲ୍ୟ ହ୍ରାସ, ପ୍ରତିଯୋଗିତା ବୃଦ୍ଧିର ଭୀଷଣ ପ୍ରଭାବ

ସାମୁଦ୍ରିକ ଖାଦ୍ୟ ରପ୍ତାନି ୬୦୦ କୋଟି କମିଲା

ଭୁବନେଶ୍ବର: ଓଡ଼ିଶାରେ ପ୍ରାୟ ୪୮୦ କିମିର ବିସ୍ତୀର୍ଣ୍ଣ ବେଳାଭୂମି ରହିଛି। ଏଥିସହିତ ଉପକୂଳବର୍ତ୍ତୀ ଅଞ୍ଚଳରେ ଉଭୟ ଲୁଣି ଏବଂ ମଧୁର ଜଳରେ ମାଛ ଓ ଚିଙ୍ଗୁଡ଼ି ଚାଷ ହୋଇଥାଏ। ମତ୍ସ୍ୟଚାଷୀଙ୍କ ଠାରୁ ଆରମ୍ଭ କରି ବହୁସଂଖ୍ୟକ ବ୍ୟବସାୟୀ ଏଥିରେ ଉପକୃତ ହୋଇଥାନ୍ତି। କେବଳ ସେତିକି ନୁହେଁ ସାମୁଦ୍ରିକ ଖାଦ୍ୟ ଆମେରିକା, ଜାପାନ, ଚୀନ ସମେତ ଅନ୍ୟାନ୍ୟ ଦେଶକୁ ରପ୍ତାନି ମଧ୍ୟ କରାଯାଇଥାଏ। ରପ୍ତାନିରୁ ଉଭୟ ମୋଟା ଅଙ୍କର ବିଦେଶୀ ମୁଦ୍ରା ରୋଜଗାର ହୋଇଥାଏ। କିନ୍ତୁ ଗତ ଆର୍ଥିକବର୍ଷରେ ଉଭୟ ଭାରତ ଏବଂ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନି ହ୍ରାସ ପାଇଛି।

ସାମୁଦ୍ରିକ ଉତ୍ପାଦ ରପ୍ତାନି ବିକାଶ ପ୍ରାଧିକରଣ (ଏମ୍‌ପେଡା) ତଥ୍ୟ ଉପରେ ନଜର ପକାଇଲେ ଜଣାଯାଏ ୨୦୨୨-୨୩ରେ ଓଡ଼ିଶା ମୋଟ ୮୫,୩୦୮ ଟନ୍‌ ସାମୁଦ୍ରିକ ଖାଦ୍ୟ ରପ୍ତାନି କରିଥିଲା। କିନ୍ତୁ ୨୦୨୩-୨୪ରେ ଏହା ୮୪, ୨୩୧ ଟନ୍‌କୁ କମିଯାଇଛି। ଅର୍ଥାତ୍‌ ୧୦୭୭ ଟନ୍‌ କମ୍‌ ସାମୁଦ୍ରିକ ଖାଦ୍ୟ ଗତ ଆର୍ଥିକବର୍ଷରେ ଓଡ଼ିଶାରୁ ବିଦେଶକୁ ରପ୍ତାନି କରାଯାଇଛି। ସାମୁଦ୍ରିକ ଖାଦ୍ୟ ରପ୍ତାନିର ମୂଲ୍ୟକୁ ଦେଖିଲେ ଏହି ଚିତ୍ର ଆହୁରି ସ୍ପଷ୍ଟ ହେବ। ଭାରତୀୟ ମୁଦ୍ରାରେ ୨୦୨୨-୨୩ରେ ଓଡ଼ିଶା ୪୫୪୬.୪୭ କୋଟି ଟଙ୍କା ମୂଲ୍ୟର ସାମୁଦ୍ରିକ ଖାଦ୍ୟ ରପ୍ତାନି କରିଥିଲା। କିନ୍ତୁ ୨୦୨୩-୨୪ରେ ଉକ୍ତ ରପ୍ତାନି ରାଶି ୩୯୫୪ କୋଟି ଟଙ୍କାକୁ ହ୍ରାସ ପାଇଛି। ଅର୍ଥାତ୍‌ ଗୋଟିଏ ବର୍ଷରେ ରାଜ୍ୟର ସାମୁଦ୍ରିକ ଖାଦ୍ୟ ରପ୍ତାନି ପାଖାପାଖି ୬୦୦ କୋଟି (୫୯୧.୮୭ କୋଟି) ଟଙ୍କା କମିଛି। ଓଡ଼ିଶାର ମୋଟ ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ଫ୍ରୋଜେନ୍‌ ଚିଙ୍ଗୁଡ଼ିର ଏକ ବଡ଼ ଭାଗ ରହିଥାଏ। ୨୦୨୩-୨୪ରେ ଓଡ଼ିଶାରୁ ୮୩,୧୨୧ ଟନ୍ ଫ୍ରୋଜେନ୍ ଚିଙ୍ଗୁଡ଼ି ରପ୍ତାନି ହୋଇଛି। ଏହାର ମୂଲ୍ୟ ୩୯୩୬.୦୭ କୋଟି ଟଙ୍କା। ୨୦୨୨-୨୩ରେ ଏହି ରପ୍ତାନି ବାବଦରେ ଓଡ଼ିଶା ୪୫୦୫.୫୪ କୋଟି ଟଙ୍କା ପାଇଥିଲା।

ବିଶେଷଜ୍ଞଙ୍କ କହିବାନୁଯାୟୀ, ଅନ୍ତର୍ଜାତୀୟ ବଜାରରେ ଚିଙ୍ଗୁଡ଼ି ଦର ୧୦ ବର୍ଷ ତଳେ ଯେତିକି ଥିଲା ବର୍ତ୍ତମାନ ତାହାର ଅଧା ପାଖାପାଖି ରହିଛି। କିନ୍ତୁ ଅନ୍ୟପକ୍ଷରେ ଉତ୍ପାଦନ ଖର୍ଚ୍ଚ ବଢ଼ିବାରେ ଲାଗିଛି। ଏଥିସହିତ ଇକ୍ବେଡ୍‌ର ଆଦି ଦେଶରେ ଚିଙ୍ଗୁଡ଼ି ଚାଷ ବ୍ୟାପକ ମାତ୍ରାରେ ହେଉଛି। ଏଥିଯୋଗୁ ଆମ ଦେଶ ଓ ରାଜ୍ୟର ଛୋଟ ଚାଷୀମାନେ ସେମାନଙ୍କ ସହ ପ୍ରତିଯୋଗିତା ସମ୍ଭବ ହେଉନାହିଁ। ଚାଷରେ ଆଧୁନିକୀକରଣ ସେମାନେ ଆଣିଛନ୍ତି। ଗୋଟିଏ ସ୍ଥାନରେ ଚିଙ୍ଗୁଡ଼ି ଚାଷ ଠାରୁ ଆରମ୍ଭ କରି ସେଗୁଡ଼ିକର ପ୍ରକ୍ରିୟାକରଣ ମଧ୍ୟ କରୁଛନ୍ତି। ସେମାନଙ୍କର ଉତ୍ପାଦନ ଖର୍ଚ୍ଚ କମ୍‌ ରହୁଛି। ଅନ୍ତର୍ଜାତୀୟ ବଜାରରେ ଗ୍ରାହକମାନଙ୍କ ନିକଟରେ ସେମାନେ ଅଧିକ ମୂଲ୍ୟଯୋଗ କରି ଚିଙ୍ଗୁଡ଼ି ପହଞ୍ଚାଇ ପାରୁଛନ୍ତି। ସେଠାକାର ସରକାର ସେମାନଙ୍କୁ ନୂଆ ପ୍ରଜାତିର ଚିଙ୍ଗୁଡ଼ି ଚାଷ କରିବା ଲାଗି ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ସେଦୃଷ୍ଟିରୁ ଦେଖିଲେ ଓଡ଼ିଶାରେ ଚିଙ୍ଗୁଡ଼ି ଚାଷ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ନାହିଁ। ସବୁ ସ୍ଥାନକୁ ବିଦ୍ୟୁତ୍‌ ସଂଯୋଗ ନଥିବାରୁ ଅଧିକାଂଶ ଚାଷୀ ଡିଜେଲ୍‌ ବ୍ୟବହାର କରୁଛନ୍ତି। ବିଦ୍ୟୁତ୍‌ ବ୍ୟବହାର କରିଲେ ଚିଙ୍ଗୁଡି ଚାଷ ଯେତିକି ମୂଲ୍ୟରେ ହୋଇପାରନ୍ତା ଡିଜେଲ ବ୍ୟବହାର ଯୋଗୁ ତାହା ତିନି ଗୁଣା ବଢ଼ିଯାଉଛି।

ଏହାବ୍ୟତୀତ ଅନ୍ୟ ଏକ ବିଷୟ ହେଲା ଭାରତ ଚୀନ ମଧ୍ୟରେ ବ୍ୟାବସାୟିକ ସଂପର୍କ ଠିକ୍‌ ନରହିବା।‌ ଆମ ଦେଶ ସେମାନଙ୍କ ରପ୍ତାନି ଉପରେ କଟକଣା ଲଗାଇବା ସମୟରେ ସେମାନେ ମଧ୍ୟ ଆମ ସାମଗ୍ରୀର ରପ୍ତାନିକୁ ରୋକୁଛନ୍ତି। ଅନ୍ୟାନ୍ୟ ଭୂରାଜନୈତିକ କାରଣ ମଧ୍ୟ ରହିଛି। ଯାହା ଫଳରେ ଓଡ଼ିଶାରୁ ଅଧିକ ଚିଙ୍ଗୁଡ଼ି ରପ୍ତାନି ସମ୍ଭବ ହୋଇପାରୁନାହିଁ। ଭାରତୀୟ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ ସଂଘ-ଓଡ଼ିଶା ଚାପ୍ଟର ଅଧ୍ୟକ୍ଷ କମଲେଶ ମିଶ୍ରଙ୍କ କହିବାନୁଯାୟୀ ଚିଙ୍ଗୁଡ଼ି ଓ ମାଛ ଚାଷୀମାନେ କିଭଳି କମ୍‌ ମୂଲ୍ୟରେ ଉତ୍ପାଦନ କରିବାକୁ ସକ୍ଷମ ହେବେ ତାହା ଉପରେ ସରକାର ଦୃଷ୍ଟି ଦେବା ଆବଶ୍ୟକ। ଏହାହେଲେ ଆମ ରାଜ୍ୟର ଚାଷୀମାନେ ଅନ୍ତର୍ଜାତୀୟ ବଜାରରେ ପ୍ରତିଯୋଗିତା କରିବା ସହଜ ହେବ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର