ଏସ. ରାମପୁର : ସାରା ରାଜ୍ୟରେ ମାଟ୍ରିକ ବୋର୍ଡ ପରୀକ୍ଷା ପରେ ଏବେ ପ୍ରାଥମିକ ତଥା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ୨୧ରୁ ୨୫ ମାର୍ଚ୍ଚ ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଚାଲିଛି। ତେବେ ପରୀକ୍ଷାର ଦିନକ ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ୟୁ-ଟୁବରେ ବହୁ ଆଇଡିରୁ ସବୁ ବିଷୟର ପ୍ରଶ୍ନପତ୍ର ଅପଲୋଡ୍ ହୋଇଛି। କିଛି ଅସାଧୁ ଶିକ୍ଷକଙ୍କ ଯୋଗୁଁ ପରୀକ୍ଷା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନପତ୍ର ଉପଲବ୍ଧ ହେବାକୁ ସବୁ ମହଲରେ ସମାଲୋଚନା କରାଯାଇଛି।
ଏ ସମ୍ପର୍କରେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇଙ୍କ ପଚାରିବାରୁ ସେ କୁହନ୍ତି, ‘ଏ ବିଷୟରେ ମୁଁ ସମ୍ପୁର୍ଣ୍ଣ ଅଜ୍ଞ। ଯଦି ସତ ହୋଇଥାଏ, ତେବେ ଗମ୍ଭୀରତାର ସହ ଅନୁଧ୍ୟାନ କରି ପଦକ୍ଷେପ ନେବି।’ ଡୁଙ୍ଗୁରିପାଲି ବିନିକା ଗୋଷ୍ଠୀ ଶିକ୍ଷାଧିକାରୀ ଦାୟିତ୍ବରେ ଥିବା ଗଣେଶ କିସାନଙ୍କ କହିବା କଥା, ‘ଆମେ ପରୀକ୍ଷାର ଦିନକ ପୂର୍ବରୁ ସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ସମସ୍ତ ପରୀକ୍ଷାର ପ୍ରଶ୍ନପତ୍ର ଦେଇଛୁ। ତାହା ପ୍ରଧାନ ଶିକ୍ଷକଙ୍କ ମାର୍ଫତରେ ରହୁଥିବାରୁ ଏବେ ସେମାନଙ୍କ ଦାୟିତ୍ବ।’ ତେବେ ପ୍ରଶ୍ନପତ୍ରଗୁଡ଼ିକ ଠିକ୍ ଭାବରେ ସିଲ୍ ହୋଇ ଆସୁ ନ ଥିବାରୁ ଜାଲିଆତି ହେବାର ଯଥେଷ୍ଟ ଆଶଙ୍କାଥିବା ସେ ସ୍ବୀକାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/ssss-1.jpg)