ବସ୍ତିବାସିନ୍ଦାଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା ଉପରେ ଗୁରୁତ୍ୱ

ସହରାଞ୍ଚଳ ବସ୍ତିବାସିନ୍ଦଙ୍କ ସ୍ପର୍ଶକାତରତା ଆକଳନ କର୍ମଶାଳା

ଭୁବନେଶ୍ୱର : ସହରାଞ୍ଚଳ ସ୍ୱାସ୍ଥ୍ୟ ମିସନ ରାଜଧାନୀ ସମେତ ୨୪ଟି ଜିଲ୍ଲା ସଦର ମହକୁମା, ୫୦ହଜାର ଜନସଂଖ୍ୟା ବିଶିଷ୍ଟ ୧୧ଟି ସହରାଞ୍ଚଳକୁ ମିଶାଇ ୩୬ଟି ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଛି। ଏଥିରେ ୨୪୭୫ଟି ବସ୍ତି ରହିଛି। ୬୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ୧୯ଟି ନୂତନ ଗୃହ ନିର୍ମାଣ ସଂପୂର୍ଣ୍ଣ ହୋଇଛି। ଆସନ୍ତା ମାର୍ଚ ସୁଦ୍ଧା ଆଉ ୩୨ଟି ନୂତନ ଗୃହ ନିର୍ମାଣ ସଂପୂର୍ଣ୍ଣ ହେବ। ସେହିପରି ୨୯ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ୨୬ଟି ନବୀକରଣ କାର୍ଯ୍ୟ କରାଯାଉଛି। ବସ୍ତିବାସିନ୍ଦାଙ୍କ ସ୍ୱାସ୍ଥ୍ୟସେବା ନେଇ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ସୂଚନା ମିଳିଛି।

ସହରାଞ୍ଚଳ ସ୍ୱାସ୍ଥ୍ୟ ମିସନ ଜରିଆରେ ସହରାଞ୍ଚଳର ବସ୍ତିରେ ବାସବାସ କରୁଥିବା ଲୋକଙ୍କ ସ୍ପର୍ଶକାତରତା ଆକଳନ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦେଶକ ଶାଳିନୀ ପଣ୍ଡିତ କର୍ମଶାଳାର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ଶ୍ରୀମତୀ ପଣ୍ଡିତ କହିଲେ, ବସ୍ତିବାସିନ୍ଦାଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। ଶିଶୁମାନଙ୍କୁ ସଂପୂର୍ଣ୍ଣ ଟିକାକରଣ, ମିସନ ଇନ୍ଦ୍ରଧନୁଷ, ଗର୍ଭବତୀ ମହିଳାଙ୍କ ପଞ୍ଜୀକରଣ ଓ ଡାକ୍ତରୀ ପରୀକ୍ଷା ଆଦି ଏ କ୍ଷେତ୍ରରେ ସହାୟକ ହୋଇପାରିବ। ବସ୍ତିବାସିନ୍ଦା, ଅସ୍ଥାୟୀ ବସ୍ତିବାସିନ୍ଦାଙ୍କ ସ୍ୱାସ୍ଥ୍ୟ ସମସ୍ୟା, ସେମାନଙ୍କ ସ୍ୱାସ୍ଥ୍ୟଗତ ଆବଶ୍ୟକତା, ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ଲୋକ, ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ଆଦି ସଂପର୍କରେ ପଦକ୍ଷେପ ଗ୍ରହଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀମତୀ ପଣ୍ଡିତ ଆଲୋକପାତ କରିଥିଲେ।

ଏହି କର୍ମଶାଳାରେ ଜାତୀୟ ସ୍ୱାସ୍ଥ୍ୟ ମିସନର ଅତିରିକ୍ତ ମିସନ ନିର୍ଦେଶକ ସରୋଜ ସାମଲ, କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ସ୍ୱାସ୍ଥ୍ୟ ମିସନ ସହକାରୀ କମିସନର ଡା.ରଂଜନା ଗର୍ଗ, ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବି.କେ ବ୍ରହ୍ମା, ପରିବାର କଲ୍ୟାଣ ନିର୍ଦେଶକ ଡା.ଶରତ ସାହୁ, କେନ୍ଦ୍ର ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନର ବରିଷ୍ଠ ପରାମର୍ଶଦାତା ଡା.ଆଦିଲ ସାଫି ଓ ପରାମର୍ଶଦାତା ସୀମା ପତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର