ଭୁବନେଶ୍ୱର: ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବି ପୂରଣ ସହ ନୂତନ ଶିକ୍ଷକ ପଦବି ସୃଷ୍ଟି କରିବାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଦାବି କରିଛି। ସଂଘ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାରେ ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। କେଉଁ ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ ତ କେଉଁଠି ଶିକ୍ଷକ ନାହାନ୍ତି। ବର୍ତ୍ତମାନ ସୁଦ୍ଧା ୯୦ ହଜାରରୁ ଅଧିକ ଶିକ୍ଷକ ପଦବି ଖାଲି ପଡ଼ିଛି। ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ବିକାଶ ନକରି ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁ କରାଯାଇଛି। ବିଦ୍ୟାଳୟରେ ନୂଆ ଶ୍ରେଣୀ ଖୋଲିଥିଲେ ମଧ୍ୟ ଶିକ୍ଷକ ନିଯୁକ୍ତି ହେଉନି। ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ଯାହା ସଫଳତା ବଖାଣୁଛନ୍ତି, ତାହା ପ୍ରାଥମିକ ଶିକ୍ଷା ନିମନ୍ତେ କିଛି କାର୍ଯ୍ୟକାରୀ କରିନାହାନ୍ତି। ନିର୍ବାଚନ ଇସ୍ତାହାରରେ ଶିକ୍ଷକଙ୍କ ପାଇଁ ସମାନ କାମକୁ ସମାନ ଦରମା ସମେତ ଅନ୍ୟାନ୍ୟ ଦାବି ପୂରଣ ‌କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରିନାହାନ୍ତି। ୩ବର୍ଷ ଧରି ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ଦେବାରେ ଓଟିଇଟି ଆଳ ଦେଖାଇ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ ନିର୍ଦ୍ଦେଶନାମାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସଂଘ ଦାବି କରିଛି।

Advertisment

ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ଶ୍ରମିକ ଭବନରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସରକାର ତୁରନ୍ତ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା, ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ କରି ନିୟମିତ ଶିକ୍ଷକ ନିଯୁକ୍ତି, ୬ବର୍ଷର ଚୁକ୍ତି କାର୍ଯ୍ୟକାଳକୁ ୬ଟି ନୋସନାଲ ଇନ୍‌କ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା, ପୁରୁଣା ପେନ୍‌ସନ୍‌ ଲାଗୁ, ସମସ୍ତ ଶିକ୍ଷକଙ୍କ ପାଇଁ ସ୍ୱାସ୍ଥ୍ୟବୀମା, ବଦଳି ନୀତିରେ ପରିବର୍ତ୍ତନ ପ୍ରମୁଖ ଦାବିଗୁଡ଼ିକ ତୁରନ୍ତ ପୂରଣ କରିବାକୁ ବୈଠକରେ ଦାବି ହୋଇଛି। ବାରମ୍ବାର ଆଲୋଚନା ସତ୍ତ୍ୱେ ସରକାର ଦାବି ପୂରଣ କରୁ ନଥିବାରୁ ଆସନ୍ତା ସପ୍ତାହରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ଅଗାଧୁ ସେଠୀ, ଟୁଲୁ ଦେଇ, ଆଭାଲିନ ପରିଡ଼ା, ଜି. ତ୍ରିପତି, ଜନ୍ମେଞ୍ଜୟ ପରିଡ଼ା ପ୍ରମୁଖ ଏକ ମିଳିତ ପ୍ରେସ୍‌ ବିବୃତିରେ ଦାବି କରିଛନ୍ତି।