୯ରେ ବିଧାନସଭା ଘେରିବ ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର : ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନ୍‌ସନ ଯୋଜନାଭୁକ୍ତ)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ସଭାପତିତ୍ୱରେ ହୋଇଥିବା ବୈଠକରେ ସରକାରଙ୍କ ଶିକ୍ଷା ଓ ଶିକ୍ଷକ ମାରଣ ନୀତିକୁ ନିନ୍ଦା କରାଯାଇଥିଲା। ଏଥିସହ ସରକାର ସ୍ଥାୟୀ ନିଯୁକ୍ତି ନ କରି ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି କରି ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ ଆଡ଼କୁ ଠେଲି ଦେଉଛନ୍ତି ବୋଲି ଅଭିଯୋଗ ହୋଇଥିଲା।

ନୂତନ ପେନ୍‌ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କର ୬ଷ୍ଠ ବେତନ କମିସନରେ ଧାର୍ଯ୍ୟ ହୋଇଥିବା ଦରମାକୁ ବାରମ୍ବାର ଦାବି ସତ୍ତ୍ୱେ ସଂଶୋଧନ ନ କରି ୭ମ ବେତନ କମିସନରେ ଦରମା ଧାର୍ଯ୍ୟ କରାଯାଇଛି। ଫଳରେ ଅନ୍ୟ ନିୟମିତ ଶିକ୍ଷକ କର୍ମଚାରୀଙ୍କଠାରୁ ସର୍ବନିମ୍ନ ଦରମା ମିଳୁଛି। ଏହାକୁ ବିରୋଧ କରାଯିବା ସହ ୩ ଦଫା ଦାବି ନେଇ ସଂଘ ୩ ମାସ ତଳେ ଆନ୍ଦୋଳନ କରିଥିଲା। ଫେବ୍ରୁଆରି ୧ ସୁଦ୍ଧା ଦାବି ପୂରଣ କରାଯିବ ବୋଲି ସେତେବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। ଇତିମଧ୍ୟରେ ୩ ମାସ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ଆସନ୍ତା ମାର୍ଚ୍ଚ ୯ରେ ସଂଘ ପୁଣିଥରେ ବିଧାନସଭା ଘେରାଉ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି। ଏହାପରେ ଯଦି ଦାବି ପୂରଣ କରା ନ ଯାଏ ତେବେ ଭୟଙ୍କର ପରିସ୍ଥିତି ଉପୁଜିବ ବୋଲି ସଂଘ ସଭାପତି ଶ୍ରୀ ମହାରଣା କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶିକ୍ଷା ସହାୟକ ସଂଘ ସଭାପତି ମଳୟ କୁମାର ଜେନା, ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗର, ସୁଶାନ୍ତ କୁମାର ବେହେରା, ଉତ୍ତମ କୁମାର ଦାସ, କୃଷ୍ଣଚନ୍ଦ୍ର ବେହେରା, ମାଳବିକା ଦାସ, ସୁରେନ୍ଦ୍ରନାଥ ରାଉତ, ସୁନିଲ ପ୍ରଧାନ, ଯୁଧିଷ୍ଠିର ସାହୁ, ଜିତ୍‌ରଞ୍ଜନ ମହାପାତ୍ର, ନିରୋଜ ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ମାର୍ଚ୍ଚ ୨୨ରେ ଆନ୍ଦୋଳନ କରିବେ ବି.ଏଡ୍‌ ଶିକ୍ଷକ

ଭୁବନେଶ୍ୱର : ବିଭିନ୍ନ ଦାବି ନେଇ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛି ମିଳିତ ବି.ଏଡ୍‌ ଶିକ୍ଷକ ମହାସଂଘ। ଆଜି ନେହେରୁ ଯୁବ ପ୍ରତିଷ୍ଠାନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘ ଆବାହକ ଉମେଶ ଚନ୍ଦ୍ର ନାୟକ କହିଥିଲେ ଯେ ଏକାଧିକ ଦାବି ପୂରଣ ଲାଗି ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଯଦି ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ପ୍ରତିଶ୍ରୁତି ଅନୁଯାୟୀ ନିୟମ କାର୍ଯ୍ୟକାରୀ କରା ନ ଯାଏ ମାର୍ଚ୍ଚ ୨୨ରେ ମହାସଂଘ ପକ୍ଷରୁ ଗଣତାନ୍ତ୍ରିକ ଉପାୟରେ ବ୍ୟାପକ ଆନ୍ଦୋଳନ କରାଯିବ।

ଆଇଟି ଅଧ୍ୟାପକ ସଂଘର ଜରୁରୀ ବୈଠକ

ଭୁବନେଶ୍ୱର : ସୂଚନା ଓ ପ୍ରଯୁକ୍ତି ବିଦ୍ୟା(ଆଇଟି) ଅଧ୍ୟାପକ ଓ ଅଧ୍ୟାପିକା ସଂଘର ଜରୁରୀକାଳୀନ ବୈଠକ ଆଜି ଓକାକ୍‌ ବିଲ୍‌ଡିଂରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ସରୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଯୁକ୍ତ୨ସ୍ତରରେ ପ୍ରଚଳିତ ହେଉଥିବା ଆଇଟି ବିଷୟକୁ ସେଲ୍ଫ ଫାଇନାନ୍ସିଂ ବଦଳରେ ରେଗୁଲାର ମୋଡ୍‌ରେ ଶିକ୍ଷା ଦେବାକୁ ଦାବି କରାଯାଇଛି। ଏଥିସହ ୨୦୦୨ରୁ ଅଧ୍ୟାପକମାନେ ଚାକିରି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପରିଚାଳନା କମିଟି ଦ୍ୱାରା ସ୍ୱଳ୍ପ ଦରମା ପାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଛନ୍ତି। ସରକାରୀ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ବିଭିନ୍ନ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି। କୌଣସି ପ୍ରୋତ୍ସାହନ ବି ମିଳୁନାହିଁ। ତେଣୁ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର