ପ୍ରଥମରୁ ପଞ୍ଚମ ଶ୍ରେଣୀ ଏବେ ଖୋଲିବନି

ସରକାରଙ୍କ ସଫେଇ: କରୋନା ଯୋଗୁ ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର : ଦେଶରେ ଭୟ ଦେଖାଇଲାଣି ଓମିକ୍ରନ୍‌। ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲାଣି। ଯେଉଁଥିପାଇଁ ଦିଲ୍ଲୀ ସରକାର ସ୍କୁଲ, କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଉଥିବା ସମୟରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ କଥା ଚିନ୍ତା ନ କରି ପ୍ରଥମରୁ ୫ମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଗଲେ ଓଡ଼ିଶା ସରକାର। ଅଭିଭାବକ, ଶିକ୍ଷାବିତ୍‌, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ବାସ୍ଥ୍ୟ ବିଭାଗ, ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ବିନା କୌଣସି ଆଲୋଚନାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କଲେ ଜାନୁଆରି ୩ରୁ ସ୍କୁଲ ଖୋଲିବ। କ୍ୟାମ୍ପସ ସଫେଇ ସହ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେବାକୁ ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ନିର୍ଦେଶାବଳୀ ବି ଜାରି କଲେ। ଏବେ ୭ ଦିନ ମଧ୍ୟରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଗୁଣ ବଢ଼ିବା ପରେ ବିଭାଗୀୟ ଅଧିକାରୀଙ୍କ ଚେତା ପଶିଛି। ସ୍କୁଲ ଖୋଲିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ୨୪ ଘଣ୍ଟା ପୂର୍ବରୁ ହଠାତ୍‌ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ଦର୍ଶାଯାଇଛି ଯେ ଦୁଇ ଦିନ ହେଲା ଓଡ଼ିଶାରେ ସଂକ୍ରମଣ ବଢ଼ିଥିବାରୁ ନିଷ୍ପତ୍ତି ସାମୟିକ ସ୍ଥଗିତ ରଖାଗଲା।

ଏବେ ପ୍ରଶ୍ନ ଉଠିଛି ଦେଶ ତଥା ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ୁଥିବା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଓ ସଚିବ କ’ଣ ଅବଗତ ନ ଥିଲେ? ମନ୍ତ୍ରୀ ଶ୍ରୀ ଦାଶ ଯେଉଁ ଘୋଷଣା କରିଥିଲେ ତାହା ବିଭାଗୀୟ ନା ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଥିଲା। ଯଦି ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଥିଲା ତେବେ ସରକାରୀ ଅଧିକାରୀମାନେ କରୋନାର ଭୟାବହତା ସମ୍ପର୍କରେ ଜାଣିପାରି ନ ଥିଲେ କି? ଯେଉଁଦିନ ଦିଲ୍ଲୀ ସରକାର ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରୁଥିଲେ ସେଦିନ ଓଡ଼ିଶା ସରକାର କାହିଁକି ଏଭଳି ନିଷ୍ପତ୍ତି ନେଇଥିଲେ। ମନ୍ତ୍ରୀ ଶ୍ରୀ ଦାଶଙ୍କ ଘୋଷଣାର ଦିନକ ପରେ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି କହି ଡିଏମ୍‌ଇଟି ବିବାଦ‌ ଘେରକୁ ଆସିଥିଲେ। ଗଣଶିକ୍ଷା ମନ୍ତ୍ରୀ ଓ ସଚିବ ସିଧାସିଧା କହିଥିଲେ ଯେ ଧାର୍ଯ୍ୟ ତାରିଖ ଜାନୁଆରି ୩ରେ ହିଁ ସ୍କୁଲ ଖୋଲିବ। ନିଷ୍ପତ୍ତିରେ କୌଣସି ପରିବର୍ତନ ହେବନି। ଏହାକୁ ନେଇ ଅଭିଭାବକ ଓ ଶିକ୍ଷାବିତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ତେବେ ରବିବାର ଦିନ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ଅଧିକାରୀମାନେ ବିଭିନ୍ନ ସ୍କୁଲ ଗସ୍ତ କରି ବିଦ୍ୟାଳୟ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କରିଛନ୍ତି। ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କ ରିପୋର୍ଟ ଆଧାରରେ ପିଲାଙ୍କ ବୃହତ୍ତର ସ୍ୱାସ୍ଥ୍ୟକୁ ନଜରରେ ରଖି ରାଜ୍ୟ ସରକାର ପ୍ରଥମରୁ ୫ମ ଶ୍ରେଣୀ ସ୍କୁଲ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ପ୍ରଶ୍ନ ଉଠୁଛି ଅଧିକାରୀମା‌ନେ କାହିଁକି ଆଗୁଆ ଆଲୋଚନା କରି ନଥିଲେ। ସ୍କୁଲ ଗସ୍ତ କରି ଭିତ୍ତିଭୂମି ଯାଞ୍ଚ କଲେ ନାହିଁ। ଉଚ୍ଚ ପଦାଧିକାରୀ ଆଗୁଆ ରିପୋର୍ଟ ଦେଇଥିଲେ ଏଭଳି ସମସ୍ୟା ସୃଷ୍ଟି ହୋଇ ନ ଥାନ୍ତା।
ବିଭାଗ ପକ୍ଷରୁ କୁହାଯାଇଛି ସ୍କୁଲ ‌ଖୋଲିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ସ୍ଥିତିରେ ସୁଧାର ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ତେବେ ୬ଷ୍ଠରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ରୁମ୍‌ ଶିକ୍ଷା ପୂର୍ବ ଭଳି ଜାରି ରହିବ। ଆସନ୍ତା ୫ରୁ ୮ ତାରିଖ ପର୍ଯ୍ୟନ୍ତ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମେଟିଭ୍‌-୧ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ କରାଯିବ। ପରୀକ୍ଷା କେନ୍ଦ୍ରରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ଯଥାବିଧି ଚାଲୁ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର