ଭୁବନେଶ୍ବର: ଦିନ ଯେତିକି ଗଡ଼ୁଛି, ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ସେତିକି ବ୍ୟାପକ ହେବାରେ ଲାଗିଛି। ରାଜ୍ୟ ଓ ଦେଶର ଗୋଟିଏ ପରେ ଗୋଟିଏ ଶିକ୍ଷକ ସଙ୍ଗଠନ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମର୍ଥନ ଜଣାଇବାକୁ ଆଗେଇ ଆସୁଥିବାରୁ ରାଜ୍ୟ ସରକାର ଏବେ ଅକଳରେ ପଡ଼ିଛନ୍ତି। କେଉଁ ପନ୍ଥା ଆପଣାଇ ଶିକ୍ଷକ ଆନ୍ଦୋଳନକୁ ପ୍ରଶମିତ କରିବେ ଦୁଇ ଦିନ ହେଲା ସେନେଇ ଘନଘନ ବୈଠକ କରାଯାଉଛି। ତା’ସତ୍ତ୍ବେ ବି ସମାଧାନର ବାଟ ବାହାରୁ ନ ଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନାଲିଆଖି ଦେଖାଯାଇଛି। ଆନ୍ଦୋଳନରତ ଶିକ୍ଷକଙ୍କୁ ବୁଝାଇ ସୁଝାଇ ସେମାନଙ୍କ ଆନ୍ଦୋଳନ ବନ୍ଦ କରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଆହୁରି କୁହାଯାଇଛି ଯେ ଧାରଣା ପାଇଁ ଅଧିକାଂଶ ଶିକ୍ଷକ ଅନୁମତି ନେଇନାହାନ୍ତି। ଶିକ୍ଷକମାନେ ବର୍ଷକୁ ୨୨୦ ଦିନ ସ୍କୁଲକୁ ଆସିବା ବାଧ୍ୟତାମୂଳକ। ଏଥିରେ ବ୍ୟତିକ୍ରମ ଦେଖା ଦେଲେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଛୁଟି ଦିନରେ ସେମାନେ ବିଦ୍ୟାଳୟ ଆସି କ୍ଷତି ହୋଇଥିବା ଶିକ୍ଷାଦାନର ଭରଣା କରିବେ। ଏଥିସହ ରାଜ୍ୟ ସରକାର ଶିକ୍ଷକମାନଙ୍କୁ ବୁଝେଇବାକୁ ଯାଇ କହିଛନ୍ତି ଯେ ଦାବିଗୁଡ଼ିକ ପୂରଣ ପାଇଁ ଏକ ସବ୍‌ କମିଟି ଗଠନ କରାଯାଇଛି। ଶିକ୍ଷକମାନଙ୍କ ୩ଟି ଦାବି ଉପରେ ଏହି କମିଟି ତର୍ଜମା କରି ରିପୋର୍ଟ ଦେବା ପରେ ତାହାକୁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିକୁ ପ୍ରଦାନ କରାଯିବ। କମିଟିର ଅନୁମତି ପରେ ଶିକ୍ଷକଙ୍କ ଦାବି ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଚିଠିରେ ଉଲ୍ଲେଖ ହୋଇଛି। ସେହିପରି ବିଇଓମାନଙ୍କୁ ଲେଖାଯାଇଥିବା ଆଉ ଏକ ଚିଠିରେ କୁହାଯାଇଛି ଶିକ୍ଷକମାନଙ୍କ ଆନ୍ଦୋଳନ ଯୋଗୁ ଅଧିକାଂଶ ସ୍କୁଲରେ ପାଠପଢ଼ା ପ୍ରଭାବିତ ହୋଇଛି। ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ଅନୁପସ୍ଥିତ ରହିଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ କର। ବିଶେଷକରି ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଉପରେ ଅଧିକ ନଜର ରଖ। କେଉଁ ଦିନ କେତେଜଣ ଶିକ୍ଷକ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କ ନାମ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟଙ୍କ ନିକଟକୁ ପ୍ରତିଦିନ ପଠାଅ। ଏଥିସହ ବ୍ଲକ ସ୍ତରରେ ଉକ୍ତ ରିପୋର୍ଟକୁ ସାଇତି ରଖିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କେତେକ ଡିଇଓ ନିଜ ଅଧୀନ ବିଇଓମାନଙ୍କୁ ଚିଠି ଲେଖି ହାଇସ୍କୁଲ ଶିକ୍ଷକମାନଙ୍କ ଦ୍ବାରା ଛାତ୍ରଛାତ୍ରୀଙ୍କ ପାଠପଢ଼ା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଭଳି ଧମକରେ ଡରି ନଯାଇ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ଜିଦରେ ଅଟଳ ରହିଛନ୍ତି। ରୋକଠୋକ ‌ଶୁଣାଇ ଦେଇଛନ୍ତି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଏଣିକି ଯେଉଁ ଅପ୍ରୀତିକର ପରିସ୍ଥିତି ଉପୁଜିବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଂଘ ଚେତାବନୀ ଦେଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ଆସୁ ନ ଥିବାରୁ ଛାତ୍ରଛାତ୍ରୀ କ୍ୟାମ୍ପସ ମାଟି ମାଡ଼ୁନାହାନ୍ତି। ଅଭିଭାବକ ମଧ୍ୟ ସେମାନଙ୍କ ପିଲାଙ୍କୁ ସ୍କୁଲ ଛାଡ଼ୁ ନ ଥିବାର ଚିତ୍ର ସାମ୍ନାକୁ ଆସିଛି। ଗଣଶିକ୍ଷା ବିଭାଗ ତଥ୍ୟ କହୁଛି ଦୈନିକ ରାଜ୍ୟର ୫୦ ହଜାର ୫୮୭ ବିଦ୍ୟାଳୟର ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୪୪ ଲକ୍ଷ ୬୭ ହଜାର ୧୭୩ ପିଲାଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଉଛି। ସେଥିମଧ୍ୟରୁ ଆଜି ଦିନରେ ୧୫ ଲକ୍ଷ ୪୩ ହଜାର ୮୮୨ ଛାତ୍ରଛାତ୍ରୀ କ୍ଲାସରୁମ୍‌ରେ ଉପସ୍ଥିତ ଥିବା ବେଳେ ୧୫ ଲକ୍ଷ ୧୨ ହଜାର ୪୬୮ ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ଖାଇଛନ୍ତି। ଅର୍ଥାତ୍‌ ପାଖାପାଖି ୩୦ ଲକ୍ଷ ପିଲା ମଧ୍ୟାହ୍ନଭୋଜନରୁ ବଞ୍ଚିତ ହୋଇଥିବା‌ ଜଣାପଡ଼ିଛି।

ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନକୁ ସର୍ବଭାରତୀୟ ଶିକ୍ଷକ ସଙ୍ଗଠନ(ଏସ୍‌ଟିଏଫ୍‌ଆଇ) ସମର୍ଥନ ଦେଇଛି। ଏସ୍‌ଟିଏଫ୍‌ଆଇ କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ୪ଟି ଶିକ୍ଷକ ସଙ୍ଗଠନ ଏକାଠି ହୋଇ ଆନ୍ଦୋଳନ କରୁଥିବାରୁ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷା ଏକପ୍ରକାର ଠପ୍‌ ହୋଇଯାଇଛି। ୪୬ ହଜାରରୁ ଅଧିକ ବିଦ୍ୟାଳୟରେ ତାଲା ଝୁଲୁଥିଲେ ମଧ୍ୟ ସରକାରୀ ନୀରବଦ୍ରଷ୍ଟା ସାଜିବା ଚିନ୍ତାର ବିଷୟ। ଶିକ୍ଷକମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ସେ ଅନୁରୋଧ କରିଛନ୍ତି। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ମଧ୍ୟ ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇଛି। ରାଜ୍ୟ ସରକାର ତୁରନ୍ତ ସକରାତ୍ମକ ଦୃଷ୍ଟିଭଙ୍ଗୀ ନେଇ ପ୍ରାଥମିକ ଶିକ୍ଷକଙ୍କ ସହ ତୁରନ୍ତ ଆଲୋଚନା କରି ଦାବିଗୁଡ଼ିକ ପୂରଣ କରନ୍ତୁ ବୋଲି ଓଷ୍ଟା ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି। ଉତ୍କଳ ଅଭିଭାବକ ସଂଘ ସଭାପତି କୃଷ୍ଣଚନ୍ଦ୍ର ପତି, ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ପ୍ରମୁଖ ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥକ କରିବା ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ପ୍ରଭାବିତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଶିକ୍ଷକ ଆମ ସମାଜର ମେରୁଦଣ୍ଡ। ସର୍ବନିମ୍ନ ମୌଳିକ ସୁବିଧା ପାଇଁ ସେମାନେ କରିଥିବା ୩ ଦଫା ଦାବିକୁ ବିଜେପି ପୂର୍ଣ୍ଣ ସମର୍ଥନ କରୁଛି। ଯଦି ରାଜ୍ୟ ସରକାର ଦାବି ପୂରଣ କରିବାରେ ବିଫଳ ହୁଅନ୍ତି ତାହେଲେ ଆଗାମୀ ନିର୍ବାଚନୀ ଇସ୍ତାହାରରେ ବିଜେପି ଏହାକୁ ସ୍ଥାନିତ କରିବ। ୨୦୨୪ରେ ସରକାର ଗଠନ ହେବା ପରେ ପ୍ରାଥମିକତା ଭାବେ ଏହାକୁ ପୂରଣ କରାଯିବ।