ପ୍ରାଥମିକ ଶିକ୍ଷକଙ୍କ ବଦଳି ଅଡୁଆ: ବଢୁଛି ମେଡିକାଲ ବୋର୍ଡ ଉପରେ ଚାପ, ଆବେଦନ ମାଳମାଳ

କଟକ : ଘର କଟକ, ନିଯୁକ୍ତି ବଲାଙ୍ଗୀର, ମାଲକାନଗିରି। ସେହିଭଳି ବଲାଙ୍ଗୀର ବାସିନ୍ଦା ଶିକ୍ଷକତା କରୁଛନ୍ତି ନୟାଗଡ଼ରେ। ବର୍ଷେ କି ୧୦ ବର୍ଷ ନୁହେଁ, ସମ୍ପୂର୍ଣ୍ଣ ଚାକିରି ଜୀବନ ନିଘ ଘର ଓ ପରିବାରଠୁ ଦୂରରେ ରହି ପ୍ରାଥମିକ ଶିକ୍ଷକମାନେ ଚାକିରି କରୁଛନ୍ତି। ଏପରିକି ଅବସର ପର୍ଯ୍ୟନ୍ତ ସେହି ନିର୍ଦିଷ୍ଟ ଜିଲ୍ଲାରେ ଚାକିରି କରିବାକୁ ପଡୁଛି। ପ୍ରାଥମିକ ଶିକ୍ଷକ (ଏଲିମେଣ୍ଟାରି) ଶିକ୍ଷକ କ୍ଷେତ୍ରରେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ବଦଳି ନୀତିକୁ ଏବେ ବଦଳି ଅଡୁଆ ବଢ଼ିବାରେ ଲାଗିଛି। ବାଧ୍ୟବାଧକତାରେ ଶିକ୍ଷକମାନେ ନିଜର ପାରିବାରିକ ସମସ୍ୟାକୁ ପଛରେ ପକାଇ ବାହାରେ ଚାକିରି କରୁଛନ୍ତି। ଜିଲ୍ଲା କ୍ୟାଡର୍‌ରେ ନିଯୁକ୍ତି ହୋଇଥିବା କାରଣରୁ ସେମାନଙ୍କର ଅନ୍ତଃଜିଲ୍ଲା ବଦଳି ହେଉ ନାହିଁ। ତେବେ ଏହାକୁ ନେଇ ସରକାରଙ୍କ ନୀତିରେ ମଧ୍ୟ କିଛି ପରିବର୍ତ୍ତନ କରାଯାଉ ନାହିଁ। ଏ ନେଇ ବସୁଥିବା ହାଇପାୱାର୍‌ କମିଟି ୧୯୯୪ ପରେ ବସି ନାହିଁ। ଫଳରେ କିଛି ଶିକ୍ଷକଙ୍କୁ ଯୁକ୍ତିସଂଗତ ବଦଳି ଆବେଦନର ବିଚାର ମଧ୍ୟ ହେଉ ନ ଥିବା ଅଭିଯୋଗ ହେଉଛି। ରାଜ୍ୟରେ ୫ହଜାରରୁ ଅଧିକ ଶିକ୍ଷକ ଏଭଳି ମାନସିକ ଚାପରେ ଥିବା ପ୍ରାଥମିକ ଶିକ୍ଷକ ଫେଡେରସନର ସଂପାଦକ ଅଭିଯୋଗ କରିଛନ୍ତି। ଟର୍ମିନାଲ ଡିଜିଜ୍‌ (ରୋଗ)ରେ ସରକାରଙ୍କ କଡା ନିୟମ ଥିବାରୁ ମେଡିକାଲ ବୋର୍ଡ ମାତ୍ର ୧୦ ପ୍ରତିଶତ ଶିକ୍ଷକଙ୍କ ଆବେଦନକୁ ଗ୍ରହଣ କରୁଥିବା ବେଳେ ୯୦ ପ୍ରତିଶତ ବଂଚିତ ରହୁଛନ୍ତି।

ଚଳିତବର୍ଷ ପ୍ରାଥମିକ ଶିକ୍ଷକଙ୍କ ବଦଳି ପାଇଁ କଟକରେ ୬ଟି ଜିଲ୍ଲା ପାଇଁ ମେଡିକାଲ ବୋର୍ଡ ବସୁଛି। ଆସନ୍ତା ୨୧ ତାରିଖରୁ ଏହି ମେଡିକାଲ ବୋର୍ଡ ବସିବା ପାଇଁ ସମସ୍ତ ଶିକ୍ଷା ଅଧିକାରୀ ଓ ଆବେଦନ କରିଥିବା ଶିକ୍ଷକଙ୍କୁ ଚିଠି ହୋଇଛି। ଜିଲ୍ଲା ସ୍ବାସ୍ଥ୍ୟଭବନରେ ଏହି ବୋର୍ଡର ଆୟୋଜନ କରାଯିବ। ଏଥିପାଇଁ ମୋଟ ୨୩୮ ଜଣ ଶିକ୍ଷକ ଆବେଦନ କରିଛନ୍ତି। କଟକ ଜିଲ୍ଲାରୁ ୫୮ ଜଣ ଶିକ୍ଷକ ବୋର୍ଡ ପାଇଁ ଆବେଦନ କରିଥିବା ବେଳେ ଜଗତସିଂହପୁର ଜିଲ୍ଲାରୁ ୪୬ ଜଣ ଶିକ୍ଷକ, ଯାଜପୁର ଜିଲ୍ଲାରୁ ୫୦ ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୧ଜଣ, ପୁରୀ ଜିଲ୍ଲାରୁ ୨୪ ଓ ନୟାଗଡ ଜିଲ୍ଲାରୁ ୪ଜଣ ଶିକ୍ଷକ ଟର୍ମିନାଲ ଡିଜିଜ ପରୀକ୍ଷା ପାଇଁ ବସୁଥିବା ମେଡିକାଲ୍‌ ବୋର୍ଡ ସାମ୍ନା କରିବେ। ୨୧ରୁ ୨୩ ତାରିଖ ତିନିଦିନ ଧରି ଏହି ବୋର୍ଡ ଚାଲିବ। ମାତ୍ର ବୋର୍ଡ ସରକାରଙ୍କ କଡା ନିୟମ ଯୋଗୁଁ ଅଧିକାଂଶ ଆବେଦନ ଅଗ୍ରାହ୍ୟ ହେବାର ଆଶଙ୍କା ଦେଖା ଦେଇଛି।

ଗତବର୍ଷ ରାଜ୍ୟରେ ୬୦୦ ଶିକ୍ଷକ ଆବେଦନ କରିଥିବା ବେଳେ ମାତ୍ର ୬୦ ଜଣ ବଦଳି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଅନ୍ୟମାନଙ୍କୁ ବୋର୍ଡ ଅଗ୍ରାହ୍ୟ କରି ଦେଇଥିଲେ। ପ୍ରାଥମିକ ଶିକ୍ଷକଙ୍କ କ୍ଷେତ୍ରରେ ତ୍ରୁଟିପୂର୍ଣ୍ଣ ବଦଳିକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ରାଜ୍ୟରେ ୧ଲକ୍ଷ ୮୪ ହଜାର ଶିକ୍ଷକ ଏବେ ଏହି ଦୁର୍ଦ୍ଦଶା ଭୋଗୁଛନ୍ତି।

ଏ ନେଇ ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡେରସନ୍‌ର ସଂପାଦକ ଅମୀୟ କୁମାର ଦାଶ କହିଛନ୍ତି ଯେ, ସରକାର ଟର୍ମିନାଲ ଡିଜିଜ୍‌ (ରୋଗ)ରେ ଆବେଦନ କରିଥିବା ଶିକ୍ଷକଙ୍କ ପାଇଁ ନିୟମକୁ କୋହଳ କରିବା ଓ ମେଡିକାଲ ବୋର୍ଡ ଶିକ୍ଷକଙ୍କୁ ରିପୋର୍ଟକୁ ଗ୍ରହଣ କରି ବଦଳି ପାଇଁ ସୁପାରିସ କରିବା ସହିତ ଯେଉଁ ଶିକ୍ଷକମାନେ ଦୀର୍ଘ ୨୦ବର୍ଷରୁ ଅଧିକ ଗୋଟିଏ ଜିଲ୍ଲାରେ କାମ କରି ସାରିଲେଣି ସେମାନଙ୍କ କଥାକୁ ବିଚାରକୁ ନେବାକୁ ସଂଘ ଜଣାଇଛି। ଏ ନେଇ ସରକାର ବିଚାର କରିବାକୁ ଶ୍ରୀ ଦାଶ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର