ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଧମକ

ନୂତନ କର୍ମକର୍ତ୍ତା ଚୟନ

ଭୁବନେଶ୍ୱର : ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନ୍‌ସନ ଯୋଜନାଭୁକ୍ତ)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଭୁବନେଶ୍ୱରସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ପରିସରରେ ଅନୁଷ୍ଠିତ ହୋଇଯାଇଛି। କେଶବ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶିକ୍ଷକମାନଙ୍କ ସମସ୍ୟା ନେଇ ଆଗକୁ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଛି। ମାଟ୍ରିକ୍‌ ସିଟି ପୋଷ୍ଟକୁ ଉଚ୍ଛେଦ ଓ ଯୁକ୍ତ୨ ସିଟି ପୋଷ୍ଟକୁ ଉନ୍ନୀତ କରି କେନ୍ଦ୍ରୀୟ ହାରରେ ଦରମା ୨୦୧୬ ଜାନୁଆରି ପହିଲାରୁ ପ୍ରଦାନ, ନୂତନ ପେନ୍‌ସନ ବ୍ୟବସ୍ଥାର ଉଚ୍ଛେଦ କରି ପୁରୁଣା ପେନ୍‌ସନକୁ ଲାଗୁ କରିବାକୁ ଦାବି ହୋଇଛି। ଏ ଦୁଇଟି ଦାବି ନେଇ ୨୦୧୮ସେପ୍ଟେମ୍ବରରେ ଆନ୍ଦୋଳନ କରାଯିବା ପରେ କ୍ୟାଡର୍‌ ପୁନର୍ଗଠନ ଜରିଆରେ ଗ୍ରେଡ୍ ପେ’ ୨୮୦୦ ଟଙ୍କା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ତେବେ ଦୀର୍ଘ ୧୩ମାସ ବିତି ଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ସେଥିପାଇଁ ଗତ ୨ ତାରିଖରେ ପୁଣିଥରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ‘୫-ଟି’ ସଚିବ, ଅର୍ଥମନ୍ତ୍ରୀ, ଅର୍ଥ ସଚିବ, ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଯଦି ସରକାର ତୁରନ୍ତ ଏହି ଦୁଇଟି ଦାବିକୁ ପୂରଣ ନ କରନ୍ତି, ତା’ ହେଲେ ଆନ୍ଦୋଳନ ହେବ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଛି।

ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଗତ ଅକ୍ଟୋବର ୧୦ରେ ସମସ୍ତ ଜିଲ୍ଲାର କର୍ମକର୍ତ୍ତାଙ୍କ ପ୍ରସ୍ତାବ ମୁତାବକ, ୨୦୧୮ ଫେବ୍ରୁଆରି ୪ରେ ପୁରୀ ଟାଉନ୍‌ ହଲ୍‌ଠାରେ ଗଠିତ ହୋଇଥିବା ସଂଘକୁ ଭଙ୍ଗ କରାଯାଇଥିଲା। ଏଥିସହ ନୂତନ ଭାବେ ନିୟମିତ ହୋଇଥିବା ୨୦୧୧ ଓ ୨୦୧୨ ବ୍ୟାଚ୍‌ର ଶିକ୍ଷା ସହାୟକମାନେ ନିୟମିତ ଶିକ୍ଷକ ହୋଇଥିବାରୁ ୨୦୦୧ରୁ ୨୦୧୨ମସିହା ପର୍ଯ୍ୟନ୍ତ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସୁଶାନ୍ତ କୁମାର ବେହେରା ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ବଙ୍କିମ ଚନ୍ଦ୍ର ସାଗର ସାଧାରଣ ସମ୍ପାଦକ, ଯାମିନୀକାନ୍ତ ପଣ୍ଡା ମହାସଚିବ, କାର୍ଯ୍ୟକାରୀ ସଭାପତି ଭାବେ ପ୍ରସନ୍ନ ମହାପାତ୍ର, ପ୍ରଦୀପ କୁମାର ଜାଲ୍, ସୀମାଞ୍ଚଳ ପାତ୍ର, ଭାଗୀରଥି ପ୍ରଧାନ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର