ନୂତନ ପେନ୍‌ସନ୍‌ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକଙ୍କ ଗଣଧାରଣା : ସମାନ ଯୋଗ୍ୟତା ଓ କାମ, ଅସମାନ ଦରମା

ଭୁବନେଶ୍ୱର : ଓଡ଼ିଶା ପ୍ରାଥମିକ ଶିକ୍ଷକ (ନୂତନ ପେନ୍‌ସନ ଯୋଜନାଭୁକ୍ତ)ଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଆଦିବାସୀ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲ ଶିକ୍ଷକଙ୍କ ପରି ଏମାନଙ୍କର ସମାନ ଯୋଗ୍ୟତା ରହିଛି। ସମାନ କାମ ମଧ୍ୟ କରୁଛନ୍ତି। ହେଲେ ଦରମାରେ ଅସମାନତା ଦେଖିବାକୁ ମିଳୁଛି। ଯେଉଁଥିପାଇଁ ଦୁଇଦିନ ହେଲା ପ୍ରାଥମିକ ଶିକ୍ଷକମାନେ ଲୋୟର ପିଏମ୍‌ଜିରେ ଗଣଧାରଣାରେ ବସିଛନ୍ତି। ତଥାପି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁ ନ ଥିବାରୁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଶିକ୍ଷକ ସଂଘ ଅଭିଯୋଗ ଅନୁଯାୟୀ ରାଜ୍ୟରେ ଶିକ୍ଷା ଓ ଶିକ୍ଷକ ମାରଣ ନୀତି ଜାରି ରହିଛି। ଲକ୍ଷାଧିକ ଶିକ୍ଷକ ପଦବି ଖାଲି ପଡ଼ିଛି। ଶିକ୍ଷକଙ୍କୁ ପୁନଃ ଚାକିରି ସର୍ତ୍ତାବଳୀ, ୨୦୦୫ ପୂର୍ବ ପ୍ରଚଳିତ ପେନ୍‌ସନ ବ୍ୟବସ୍ଥା, ମେଡିକାଲ ଭତ୍ତା, ପୋଷାକ ଭତ୍ତା ଓ ଅବସରକାଳୀନ ସୁବିଧା ସୁଯୋଗ ଦିଆଯାଉ ନାହିଁ। ଷଷ୍ଠ ବେତନ କମିସନରେ ଦେଶର ୨୨ଟି ରାଜ୍ୟରେ ମୂଳ ଦରମା ୯୩୦୦ ଓ ଗ୍ରେଡ୍‌ ପେ’ ୪୨୦୦ ଟଙ୍କା ଦିଆଯାଉଥିଲା। ସେହି ରାଜ୍ୟଗୁଡ଼ିକ ୭ମ ବେତନ କମିସନ ଅନୁଯାୟୀ ଦରମା ଧାର୍ଯ୍ୟ ହୋଇଛି। ମାତ୍ର ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକଙ୍କ ଲାଗି ସର୍ବନିମ୍ନ ଯୋଗ୍ୟତା ଯୁକ୍ତ୨ ସିଟି ଧାର୍ଯ୍ୟ କରାଯାଇଥିବା ବେଳେ ମାଟ୍ରିକ ସିଟି ଯୋଗ୍ୟତାରେ ଦରମା ଦେଉଛନ୍ତି। ମାଟ୍ରିକ୍‌ ସିଟି ଯୋଗ୍ୟତାର ଦରମା ୫୨୦୦ ଓ ଗ୍ରେଡ୍‌ ପେ’ ୨୨୦୦କୁ ସଂଶୋଧନ କରାଯାଇ ଯୁକ୍ତ୨ ସିଟି ସହ ୫୨୦୦ ଓ ଗ୍ରେଡ୍‌ ପେ’ ୨୮୦୦ ଟଙ୍କା ଦିଆଯାଉ। ୨୦୧୬ ଜାନୁଆରି ୧ରୁ ୭ମ ବେତନ କମିସନକୁ ସଂଶୋଧନ କରାଯାଉ ବୋଲି ସଂଘ ଦାବି କରିଛି।

୬ ବର୍ଷ ଶିକ୍ଷା ସହାୟକ କାର୍ଯ୍ୟକାଳକୁ ମୂଳ ଚାକିରି କାଳରେ ଗଣନା କରି ଶିକ୍ଷକଙ୍କୁ ୬ଟି ଇନ୍‌କ୍ରିମେଣ୍ଟ, ଶିକ୍ଷା ସହାୟକ, ଠିକା ଓ ଚୁକ୍ତିଭିତ୍ତିକ ଶିକ୍ଷକ ପଦବି ଉଚ୍ଛେଦ କରି ସମସ୍ତ ଚାକିରି ସର୍ତାବଳୀ ଥାଇ ନିୟମିତ ଶିକ୍ଷକ ନିଯୁକ୍ତି କରାଯାଉ। ନିୟୋଜିତ ହୋଇଥିବା ଶିକ୍ଷା ସହାୟକଙ୍କୁ ୩ ବର୍ଷରେ ନିୟମିତ ଶିକ୍ଷକର ମାନ୍ୟତା ମିଳୁ। ଏନେଇ ସଂଘ ବାରମ୍ବାର ଦାବି ଉପସ୍ଥାପନ କରୁଥିଲେ ମଧ୍ୟ ରାଜ୍ୟ ସରକାର ଦିନ ଗଡ଼ାଇ ଚାଲିଛନ୍ତି। ମିଛ ପ୍ରତିଶ୍ରୁତି ଦେଇ ପ୍ରାଥମିକ ଶିକ୍ଷାକୁ ଧ୍ୱଂସ ଆଡ଼କୁ ଠେଲି ଦେଉଛନ୍ତି। ଶିକ୍ଷକମାନଙ୍କୁ ବିଭିନ୍ନ ଅଣଶିକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ନିନ୍ଦିତ ହେବାକୁ ପଡ଼ୁଛି। ଶିକ୍ଷାବର୍ଷ ମଝିରେ ବିଭିନ୍ନ ପ୍ରକାର ତାଲିମ ଯୋଗୁଁ ପାଠପଢ଼ା ବ୍ୟାହତ ହେଉଛି। ତେଣୁ ଶିକ୍ଷକମାନଙ୍କୁ ଅଣଶିକ୍ଷା କାର୍ଯ୍ୟରୁ ମୁକ୍ତ କରାଯାଇ ଶିକ୍ଷାବର୍ଷ ମଝିରେ ତାଲିମ କାର୍ଯ୍ୟକ୍ରମକୁ ବନ୍ଦ କରାଯାଉ। ବିଦ୍ୟାଳୟରେ ଉନ୍ନତମାନର ମଧ୍ୟାହ୍ନଭୋଜନ, ପୋଷାକ, ପାନୀୟ ଜଳ, ଆବଶ୍ୟକ ଶ୍ରେଣୀଗୃହ, ଶୌଚାଳୟ, ବିଦ୍ୟାଳୟକୁ ବିଜୁଳି ଯୋଗାଣରେ ଅଣଦେଖା କରାଯାଉଛି। ଏସବୁ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗର, ମହାସଚିବ ସୁଶାନ୍ତ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ଜାମିନିକାନ୍ତ ପଣ୍ଡା, ଚକାନନ୍ଦ କମ୍ପ, ସୁରେନ୍ଦ୍ର ରାଉତ, ଉପସଭାପତି ମାଳବିକା ଦାସ, ଜିତ୍‌ରଞ୍ଜନ ମହାପାତ୍ର, ଯୁଧିଷ୍ଠିର ସାହୁ, ଅନାଥ ବେହେରା, ଉତ୍ତମ କୁମାର ଦାସ, ସଞ୍ଜୟ କୁମାର ବେହେରା ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର