ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେହିଦିନ ପ୍ରଧାନମନ୍ତ୍ରୀ ତେଲେଙ୍ଗାନାରୁ କାର୍ଯ୍ୟକ୍ରମ ସାରି ସ୍ବତନ୍ତ୍ର ବାୟୁସେନା ବିମାନରେ ଅପରାହ୍‌ଣରେ ଭୁବନେଶ୍ବରରେ ଅବତରଣ କରିବେ। ସେଠାରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ-ଲୋକାର୍ପଣ ସହ ଏକ ସାଧାରଣ ସଭାରେ ଯୋଗ ଦେବେ। ଏହି ଗସ୍ତ ପାଇଁ ଆନୁଷଙ୍ଗିକ ପ୍ରଶାସନିକ ପ୍ରସ୍ତୁତି ଓ ସୁରକ୍ଷା ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ରାଜ୍ୟ ପ୍ରଶାସନ ଓ ପୁଲିସ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି।

Advertisment

ବୈଠକରେ ଭୁବନେଶ୍ବର ବିମାନବନ୍ଦର, ଚଣ୍ଡିଖୋଲ ହେଲିପ୍ୟାଡ୍‌ ଓ କାର୍ଯ୍ୟକ୍ରମ ସ୍ଥଳକୁ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେବା ଓ ମେଲାଣି ଦେବା ସମୟରେ ସୁରକ୍ଷା ଓ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କର ଜରୁରିକାଳୀନ ସାମୟିକ ରହଣି ବ୍ୟବସ୍ଥା, ପ୍ରସ୍ତୁତ ହେବାକୁ ଥିବା ମଞ୍ଚର ସୁରକ୍ଷା ଯାଞ୍ଚ, କାରକେଡ୍, ଭିଭିଆଇପି ଯାତ୍ରା ସମୟରେ ବିଭିନ୍ନ ସେବା ପାଇଁ ଆବଶ୍ୟକ ଯାନ, ବ୍ୟବ‌ହୃତ ହେବାକୁ ଥିବା ହେଲିକପ୍ଟର, ନିରାପତ୍ତା, ଚିକିତ୍ସା ବ୍ୟବସ୍ଥା ପାଇଁ ଆମ୍ବୁଲାନ୍‌ସ ପ୍ରସ୍ତୁତି, କାର୍ଯ୍ୟକ୍ରମ ସ୍ଥଳ ନିକଟସ୍ଥ ଡାକ୍ତରଖାନାକୁ ସ୍ବତନ୍ତ୍ର ବ୍ୟବସ୍ଥା ସହ ପୂର୍ଣ୍ଣ ପ୍ରସ୍ତୁତି ରଖିବା ଉପରେ ମୁଖ୍ୟସଚିବ ଗୁରୁତ୍ବ ଦେଇଥିଲେ। କାର୍ଯ୍ୟକ୍ରମ ସ୍ଥଳରେ ଆବଶ୍ୟକ ଜେନେରେଟର ସୁବିଧା ସହ ୨ଟି ଅତିରିକ୍ତ ଜେନେରେଟରର ସୁବିଧା ଓ ପ୍ରତ୍ୟେକ ସ୍ଥାନରେ ଏହାକୁ ପରିଚାଳନା କରିବା ପାଇଁ ୨ଜଣ ଅପରେଟର ମୁତୟନକୁ ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଲାଗି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ।