ପ୍ରଧାନମନ୍ତ୍ରୀ ଫସଲ ବୀମାରେ ବି ପ୍ରତାରଣା: ୬ ମାସ ବିଳମ୍ବ, ତଥାପି ବାକି ରହିଲା ୬୨୮ କୋଟି

ବରଗଡ଼ର ସର୍ବାଧିକ ୩୬୨ କୋଟି, ୩ ଜିଲ୍ଲାର ଜଣେ ବି ଚାଷୀ ୟୋଗ୍ୟ ହେଲେନି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଚଳିତ ବର୍ଷ ୨୦ ଲକ୍ଷ ୫୬ ହଜାର ୮୮୨ ଚାଷୀଙ୍କୁ ୧୩୬୩.୨୬ କୋଟି ଟଙ୍କା ପ୍ରଦାନ କରାଯିବ। ଫେବ୍ରୁଆରି ମାସ ସୁଦ୍ଧା ମିଳିବାକୁ ଥିବା ଏହି ଟଙ୍କା ଜୁଲାଇ ମାସରେ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୭୩୫ କୋଟି ଟଙ୍କା ପ୍ରଦାନ କରାଯାଇଛି ଏବଂ ୬୨୮ କୋଟି ଟଙ୍କା ବକେୟା ରହିଛି। ମାତ୍ର ଯୋଗ୍ୟ ବିବେଚିତ ହୋଇନଥିବାରୁ ମାଲକାନଗିରି, ବୌଦ୍ଧ ଏବଂ ରାୟଗଡ଼ ଜିଲ୍ଲାର ଜଣେ ମଧ୍ୟ ଚାଷୀ ବୀମା ଟଙ୍କା ପାଇବେ ନାହିଁ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଉଭୟ ଋଣୀ ଏବଂ ଅଣଋଣୀ ଚାଷୀ ବୀମାଭୁକ୍ତ ହୋଇ ପାରିବେ। ଏଥିପାଇଁ ପ୍ରିମିୟମ ଦେଇଥାଆନ୍ତି। ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତିଗ୍ରସ୍ତ ହେଲେ ସେମାନେ ଟଙ୍କା ପାଇବା ପାଇଁ ଯୋଗ୍ୟ ହୋଇଥାଆନ୍ତି। ଏଥିରେ ବୀମା ସଂସ୍ଥା ଏଚଡିଏଫସି, ଏଆଇସି ଏବଂ ରିଲାଏନ୍ସ ଜିଆଇସି ଚାଷୀଙ୍କୁ ୨୭୪.୩୬ କୋଟି ଟଙ୍କା ଦେବେ। ବାକି ଟଙ୍କା କେନ୍ଦ୍ର ଏବଂ ରାଜ୍ୟ ସରକାର ଦେବେ।

କମ୍ପାନିଗୁଡ଼ିକ ବର୍ତ୍ତମାନ ସୁଦ୍ଧା ୪୭.୪୯ କୋଟି ଟଙ୍କା ଦେଇ ନାହାନ୍ତି। ସେଥିରେ ବରଗଡ଼ ଜିଲ୍ଲା ଚାଷୀଙ୍କ ସର୍ବାଧିକ ୩୬୨ କୋଟି, ବଲାଙ୍ଗୀରର ୧୬୪.୭୫ କୋଟି, ଗଞ୍ଜାମ ଜିଲ୍ଲାର ୮.୧୫ କୋଟି, କେନ୍ଦ୍ରାପଡ଼ାର ୫.୭୫ କୋଟି, ଦେବଗଡ଼ର ୭.୦୭ କୋଟି, ଜଗତସିଂହପୁରର ୮.୭୯ କୋଟି, କଳାହାଣ୍ଡିର ୨.୬୫ କୋଟି, ପୁରୀର ୧୮.୬୩ କୋଟି, ବାଲେଶ୍ବରର ୧.୯୮ କୋଟି, ସମ୍ବଲପୁରର ୪୭.୪୪ କୋଟି ଟଙ୍କା ବକେୟା ପଡ଼ିଛି। ରାଜ୍ୟରେ ଯେତେ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସେଥିରୁ କମ ସଂଖ୍ୟକ ଚାଷୀଙ୍କୁ ବୀମାଭୁକ୍ତ କରାଯାଇଛି। ଅଧିକାଂଶ ଚାଷୀଙ୍କୁ ବିଭିନ୍ନ ଆଳ ଦେଖାଇ କାଟି ଦିଆଯାଇଛି। ବୀମା ପାଇଥିବା ଚାଷୀଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୧ ଲକ୍ଷ ୫୦ ହଜାର ୧୦୮ ଜଣଙ୍କୁ ୭୩.୬୬ କୋଟି, ମୟୂରଭଞ୍ଜର ୧୨୩୩ ଚାଷୀଙ୍କୁ ୦.୨୦ କୋଟି, ନବରଙ୍ଗପୁରର ୭୭୨୦ ଚାଷୀଙ୍କୁ ୩.୪୦ କୋଟି, ଭଦ୍ରକର ୯୦ ହଜାର ୩୩୩ ଚାଷୀଙ୍କୁ ୨୩.୪୦ କୋଟି, ଯାଜପୁରର ୨ ଲକ୍ଷ ୧୭ ହଜାର ୨୫୪ ଚାଷୀଙ୍କୁ ୧୭.୩୪ କୋଟି, ସୁବର୍ଣ୍ଣପୁରର ୧୧ ହଜାର ୩୫୦ ଚାଷୀଙ୍କୁ ୩.୭୫, ନୟାଗଡ଼ର ୨୧ ହଜାର ୮୪୮ ଚାଷୀଙ୍କୁ ୧.୨୧ କୋଟି, ଢେଙ୍କାନାଳର ୨୯ ହଜାର ୬୯୬ ଚାଷୀଙ୍କୁ ୫.୯୯ କୋଟି, କୋରାପୁଟର ୯୩ ଚାଷୀଙ୍କୁ ୦.୦୧ କୋଟି, କନ୍ଧମାଳର ୧୪୫୪ ଚାଷୀଙ୍କୁ ୦.୦୬ କୋଟି, କଟକର ୩୯୩୩୧ ଚାଷୀଙ୍କୁ ୯.୦୧କୋଟି, ଅନୁଗୁଳର ୫୮ ହଜାର ୫୬୧ ଚାଷୀଙ୍କୁ ୧୩.୦୬ କୋଟି, ଝାରସୁଗୁଡ଼ାର ୨ ଲକ୍ଷ ୬୧ ହଜାର ୭୫୯ ଚାଷୀଙ୍କୁ ୧୦୪.୭୬ କୋଟି ଟଙ୍କା ଦିଆଯାଇଛି।

ସମ୍ବନ୍ଧିତ ଖବର