ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିମ୍ନମାନର ହେଉଛି

ବିଧାନସଭାରେ ଉଦ୍‌ବେଗ ପ୍ରକାଶ କ‌ଲେ ସବୁ ଦଳର ବିଧାୟକ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତାର ମାନ ଠିକ୍ ରହୁ ନାହିଁ। କାମ ହେବାର ଦୁଇ ତିନି ଦିନ ଭିତରେ ଫାଟ ସୃଷ୍ଟି ହେଉଛି। ନିମ୍ନ ମାନର ପିଚୁ ବ୍ୟବହାର କରାଯାଉଛି। ସରକାର ନାମକୁ ମାତ୍ର ଗୁଣବତ୍ତା ଯାଞ୍ଚ୍ କରୁଥିବା କଥା କହୁଛନ୍ତି। ପୁଣି ରକ୍ଷଣାବେକ୍ଷଣ ବି ଠିକ୍ ହେଉ ନାହିଁ।

ଆଜି ବିଧାନସଭାର ପ୍ରଶ୍ନକାଳରେ ଦଳ, ମତ ନିର୍ବିଶେଷରେ ଏମିତି ଉଦ୍‌ବେଗ ପ୍ରକାଶ କରିଥିଲେ ବିଧାୟକମ‌ା‌େନ। ସରକାର କାଗଜ, କଲମରେ କେତେ ରାସ୍ତା ନିର୍ମାଣ ହେଉଛି ହିସାବ କରୁଥିଲା ବେଳେ ବିଧାୟକମାନେ ତଳ ସ୍ତରରେ କି କି ସମସ୍ୟା ହେଉଛି ତାହାକୁ ବଖାଣିଥିଲେ। ମନ୍ତ୍ରୀ ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ। ଏତେ ସଂଖ୍ୟାରେ ବିଧାୟକ ରାସ୍ତା କାମ ନେଇ ଉଦ୍‌ବେଗ ପ୍ରକାଶ କରୁଥିବା ଦେଖି ବାଚସ୍ପତି ଏଥିରେ ହସ୍ତକ୍ଷେପ କରିଥିଲେ। ଯେହେତୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ତେଣୁ ବିଧାୟକମାନେ ନିଜ ନିଜ ଅଞ୍ଚଳର ରାସ୍ତାଘାଟ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ଲିଖିତ ଭାବେ ଦେବାକୁ ବାଚସ୍ପତି କହିବା ସହ ଏ ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ବ୍ୟକ୍ତିଗତ ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀ ଆହୁରି ସୂଚନା ଦେଇଥିଲେ, ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାର ଆପତ୍ତି, ଅଭିଯୋଗ ଶୁଣିବା ପାଇଁ ଏକ ‌କଣ୍ଟ୍ରୋଲ୍‌ ରୁମ୍ ଖୋଲାଯାଇଛି। ତାହାର ନମ୍ବର ରହିଛି ୯୪୩୭୦୩୪୩୨୧। ପରେ ଏହାର ଟୋଲ୍‌ ଫ୍ରି ନମ୍ବର ଜାରି ହେବ। ବ୍ଲକ୍, ପଞ୍ଚାୟତ ଅଫିସ୍ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଅଫିସ୍‌ରେ ନମ୍ବରଟି ଲେଖାଯିବ। ଏହି ନମ୍ବରରେ ରାସ୍ତା ନେଇ ଅଭିଯୋଗ ଆସିବାର ୭ ଦିନ ଭିତରେ ତଦନ୍ତ କରାଯିବ ଓ ୬୦ ଦିନ ଭିତରେ କାମ କରାଯିବ।

ଗୁଣାବତ୍ତା ବଜାୟ ପାଇଁ ପଦକ୍ଷେପ ନେବାକୁ ଦାବି

କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କହିଲେ, ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାର ନିୟମ ଅନୁସାରେ ଏଥିରେ ଅନ୍ତର୍ଭୁକ୍ତ ହୋଇଥିବା ରାସ୍ତାଗୁଡ଼ିକର ତ୍ରିସ୍ତରୀୟ ଗୁଣବତ୍ତା ଯାଞ୍ଚ୍ କରାଯିବାର ବ୍ୟବସ୍ଥା ରହିଛି। ସେଥିପାଇଁ ରାସ୍ତାର ଗୁଣବତ୍ତା ବଜାୟ ରହୁଛି। ନିୟମ ଅନୁସାରେ ରାସ୍ତାର କାମ ଚାଲୁଥିଲା ବେଳେ ଅବା କାମ ସରିବା ୫ ବର୍ଷ ମଧ୍ୟରେ ରାସ୍ତାର ଗୁଣବତ୍ତା କୌଣସି ଖିଲାପ ହେଲେ ସଂପୃକ୍ତ ଠିକାଦାର ନିଜସ୍ବ ଅର୍ଥରେ ଏହାର ପୁନଃ ନିର୍ମାଣ କରିବାର ବ୍ୟବସ୍ଥା ରହିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନୁଯାୟୀ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହି ରାସ୍ତାର ରକ୍ଷଣାବେକ୍ଷଣ ୫ ବର୍ଷ ଅବଧି ପର୍ଯ୍ୟନ୍ତ ମୂଳ ଠିକାଦାରଙ୍କ ଦ୍ବାରା କରାଯାଏ। କିଛି ସ୍ଥାନରେ ମୂଳ ଠିକାଦାର ଏହି କାର୍ଯ୍ୟ କରିବାରେ ଅବ‌େହଳା କରିବାର ସରକାରଙ୍କ ଦୃଷ୍ଟିକୁ ଆସିବାରୁ ସଂପୃକ୍ତ ଖିଲାପି ଠିକାଦାରଙ୍କ ବିରୋଧରେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କିନ୍ତୁ ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ରାଉତରାୟ ରାସ୍ତାର ଗୁଣବତ୍ତା ବଜାୟ ରହୁଛି ବୋଲି ସ୍ବୀକାର କରି ନ ଥିଲେ। ତଳ ସ୍ତରରେ ଯନ୍ତ୍ରୀମାନେ ଆଖିବୁଜା ଦୁର୍ନୀତି କରି ରାସ୍ତା ନିମ୍ନ ମାନର କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ବିଜେଡି ସଭ୍ୟ ନୃସିଂହ ସାହୁ କହିଥିଲେ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାର ଯେଉଁ ଡିଜାଇନ୍ ଅଛି, ତାହା ତ୍ରୁଟିପୂର୍ଣ୍ଣ। ସେଥି ପାଇଁ ରାସ୍ତା ଜଲ୍‌ଦି ଖରାପ ହେଉଛି। କେନ୍ଦ୍ର ସହ ବିଚାର ବିମର୍ଷ କରି ଡିଜାଇନ୍ ବଦଳାଇବାକୁ ମନ୍ତ୍ରୀ ପଦକ୍ଷେପ ନିଅନ୍ତୁ।

ବିଜେପି ସଭ୍ୟ ବିଷ୍ଣୁ ଚରଣ ସେଠୀ କହିଲେ, ଉପକୂଳ ଓଡ଼ିଶାରେ ମଟାଳ ମାଟି ଅଛି। ତେଣୁ ଏଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯେଉଁ ରାସ୍ତା‌ କରୁଛି, ସେଗୁଡ଼ିକ ଜଲ୍‌ଦି ନଷ୍ଟ ହୋଇଯାଉଛି। ଗୋଟିଏ ବୈଷୟିକ ବିଶେଷଜ୍ଞ ଟିମ୍ ଦ୍ବାରା ଏହାର ଯାଞ୍ଚ୍ କରାଯାଉ। ବିଜେଡି ସଭ୍ୟ ପ୍ରଦୀପ ମହାରଥୀ କହିଲେ, ରାସ୍ତାର ଦୁଇ ପାର୍ଶ୍ବ ଫିଲଅପ୍ ହେଉ ନ ଥିବାରୁ ଜଲ୍‌ଦି ନଷ୍ଟ ହୋଇଯାଉଛି। କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଲେ, ରାସ୍ତା ନଷ୍ଟ ହେବାର ମୁଖ୍ୟ କାରଣ ହେଉଛି ନିମ୍ନ ମାନର ପିଚୁ। ଠିକାଦାରମାନେ ବ୍ୟବହାର କରୁଥିବା ପିଚୁ ଉପରକୁ ଦେଖିବାକୁ କଳା। କିନ୍ତୁ ୧୦/୧୫ ଦିନ ଭିତରେ ତାହା ନଷ୍ଟ ହୋଇଯାଉଛି। ମହୀଧର ରଣା, ମିନାକ୍ଷୀ ମହାନ୍ତ, ନାଉରୀ ନାୟକ, ମୁକେଶ ପାଲ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ। ରାସ୍ତାର ଗୁଣାବତ୍ତା ବଜାୟ ରଖିବାକୁ ସଭ୍ୟମାନେ ଦେଇଥିବା ପ୍ରସ୍ତାବ ଉପରେ ବିଭାଗରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଥିଲେ।

ସମ୍ବନ୍ଧିତ ଖବର