ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାଶ୍ମୀର ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଶ୍ରୀନଗର ଗସ୍ତକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଲକ୍ଷାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ଗୁରୁବାର ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ‘ବିକଶିତ ଭାରତ-ବିକଶିତ ଜମ୍ମୁ କଶ୍ମୀର’ କାର୍ଯ୍ୟକ୍ରମରେ ୬,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ସୂଚନାଯୋଗ୍ୟ, ମୋଦୀ ସରକାର ୫ ଅଗଷ୍ଟ, ୨୦୧୯ରେ ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିଥିଲେ।

Advertisment

ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶ୍ମୀରର ବିକାଶ ଏବେ ବିକଶିତ ଭାରତର ପ୍ରତୀକ ପାଲଟିବାକୁ ଯାଉଛି। ପ୍ରଧାନମନ୍ତ୍ରୀ କହିଥିଲେ, ଏଠାକାର ହୃଦୟବାନ ଲୋକଙ୍କ ମଧ୍ୟରେ ରହି ସେ ଆନନ୍ଦିତ ଏବଂ ସେ ଲୋକଙ୍କ ହୃଦୟ ଜିତିବାକୁ ଆସିଛନ୍ତି। ବିକଶିତ ଭାରତ ପାଇଁ ଏକ ବିକଶିତ ଜମ୍ମୁ-କାଶ୍ମୀରକୁ ପ୍ରାଥମିକତା ଦିଆଯାଉଛି ଏବଂ ଏହା କାଶ୍ମୀରର ସବୁ ବର୍ଗଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ସମୟ ଥିଲା ଯେତେବେଳେ ଜମ୍ମୁ-କଶ୍ମୀରର ଲୋକମାନେ ସୁବିଧାରୁ ବଞ୍ଚିତ ହୋଇଥିଲେ ଏବଂ ଲୋକଙ୍କ କଲ୍ୟାଣ ପାଇଁ ଏଠାରେ ଆଇନ କାର୍ଯ୍ୟକାରୀ ହେଉନଥିଲା। ଜମ୍ମୁ-କାଶ୍ମୀରର ଭାଇ ଭଉଣୀମାନେ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦ୍ଦିନରେ କାଳାତିପାତ କରୁଥିଲେ। ଏବେ ସମୟ ବଦଳି ଯାଇଛି ଏବଂ ବିକାଶର ନୂଆ ଯୁଗରେ ସମସ୍ତେ କାନ୍ଧକୁ କାନ୍ଧ ମିଳାଇ ଚାଲିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କଂଗ୍ରେସ ଦଳକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ଧାରା ୩୭୦କୁ ନେଇ କଂଗ୍ରେସ କେବଳ ଜମ୍ମୁ-କଶ୍ମୀରବାସୀଙ୍କୁ ନୁହେଁ ବରଂ ସମଗ୍ର ଦେଶକୁ ବିଭ୍ରାନ୍ତ କରିଆସିଛି। ପରିବାରବାଦୀ ଦଳମାନେ ଦ୍ବନ୍ଦ୍ବ ସୃଷ୍ଟି କରି କାଶ୍ମୀରବାସୀଙ୍କ ବହୁତ କ୍ଷତି ଘଟାଇଛନ୍ତି ଏବଂ ଏବେ ଏହାର ପରିସମାପ୍ତି ଘଟିଛି ବୋଲି ପ୍ରଧାନମନ୍ତ୍ରୀ କରିଥିଲେ।