ଡ୍ରୋନ ମହୋତ୍ସବ-୨୦୨୨କୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଆଗାମୀ ଦିନରେ ନିଶ୍ଚିତ ଭାବେ ଡ୍ରୋନ ପ୍ରଯୁକ୍ତିର ବ୍ୟବହାର ବୃଦ୍ଧିପାଇବ: ମୋଦୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ସବୁଠୁ ବଡ଼ ଡ୍ରୋନ ଉତ୍ସବ, ଭାରତ ଡ୍ରୋନ ମହୋତ୍ସବ-୨୦୨୨କୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ କିଷାନ ଡ୍ରୋନ ପାଇଲଟଙ୍କ ସହ ଆଲୋଚନା କରିଥିଲେ। ମୁକ୍ତାକାଶ ଡ୍ରୋନ ପ୍ରଦର୍ଶନୀ ଦେଖିଥିଲେ ଏବଂ ଡ୍ରୋନ ପ୍ରଦର୍ଶନୀ କେନ୍ଦ୍ର ଠାରେ ଷ୍ଟାର୍ଟଅପଗୁଡ଼ିକର ପ୍ରତିନିଧିମାନଙ୍କ ସହିତ କଥା ହୋଇଥିଲେ । କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ଗିରିରାଜ ସିଂ, ଜ୍ୟୋତିରାଦିତ୍ୟ ସିନ୍ଦିଆ, ଅଶ୍ବିନୀ ବୈଷ୍ଣବ, ମନସୁଖ ମାଣ୍ଡଭିୟ ଓ ଭୂପେନ୍ଦ୍ର ଯାଦବଙ୍କ ସମେତ ବହୁ ରାଷ୍ଟ୍ରମନ୍ତ୍ରୀ ଏବଂ ଡ୍ରୋନ ଉଦ୍ୟୋଗ ଜଗତର ନେତୃବୃନ୍ଦ ତଥା ଉଦ୍ୟୋଗୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ୧୫୦ଟି ଡ୍ରୋନ ପାଇଲଟ୍‌ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ସମବେତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡ୍ରୋନ କ୍ଷେତ୍ର ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଛି । ଏହି କ୍ଷେତ୍ର ତାଙ୍କୁ ରୋମାଞ୍ଚିତ କରିଥାଏ ବୋଲି ସେ କହିଥିଲେ । ଡ୍ରୋନ ପ୍ରଦର୍ଶନୀ ଆୟୋଜନ କରାଯିବା ଏବଂ ଏହି କ୍ଷେତ୍ରରେ ଉଦ୍ୟମୀ ଓ ଉଦ୍ଭାବକଙ୍କ ଉତ୍ସାହକୁ ଦେଖି ସେ ଗଭୀର ଭାବେ ପ୍ରଭାବିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଚାଷୀ ଓ ଯୁବ ଇଞ୍ଜିନିୟରମାନଙ୍କ ସହିତ ନିଜର ଆଲୋଚନା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଡ୍ରୋନ କ୍ଷେତ୍ରରେ ଉତ୍ସାହ ଓ ଆଗ୍ରହ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଏହି କ୍ଷେତ୍ରରେ ଭାରତର ସାମର୍ଥ୍ୟ ଦିନେ ଦେଶକୁ ଏକ ଅଗ୍ରଣୀ ସ୍ଥାନରେ ପହଞ୍ଚାଇବ । ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଏହି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଡ୍ରୋନ ପ୍ରଯୁକ୍ତି କିଭଳି ଭାବେ ବୃହତ ବିପ୍ଳବ ଆଣିପାରିଛି ତାହା ଦର୍ଶାଇବାକୁ ଯାଇ ପ୍ରଧାନମନ୍ତ୍ରୀ ଏହି ଅବସରରେ ପିଏମ ସ୍ବନିଧି ଯୋଜନାର ଉଦାହରଣ ଦେଇଥିଲେ । ଏହି ଯୋଜନା ଅଧୀନରେ ପ୍ରଥମ ଥର ଲାଗି ଦେଶର ଗାଁମାନଙ୍କରେ ଥିବା ସବୁ ସମ୍ପତ୍ତିର ଡିଜିଟାଲ ମ୍ୟାପିଂ କରାଯାଉଛି ଏବଂ ଲୋକମାନଙ୍କୁ ଡିଜିଟାଲ ସମ୍ପତ୍ତି କାର୍ଡ ବିତରଣ କରାଯାଉଛି। ଉତ୍ତମ ପ୍ରଶାସନ ଓ ସହଜ ଜୀବନ ଧାରଣ ପାଇଁ ଆମ ପ୍ରତିବଦ୍ଧତା ଦିଗରେ ଅଗ୍ରସର ହେବାର ଆଉ ଏକ ମାଧ୍ୟମ ହେଉଛି ଡ୍ରୋନ ପ୍ରଯୁକ୍ତିର ପ୍ରୋତ୍ସାହନ । ଡ୍ରୋନ ମାଧ୍ୟମରେ ଆମେ ଏକ ସ୍ମାର୍ଟ ଉପକରଣ ପାଇପାରିଛୁ, ଯାହା ଜନସାଧାରଣଙ୍କ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ ହେବାକୁ ଯାଉଛି ବୋଲି ସେ କହିଥିଲେ। ପ୍ରତିରକ୍ଷା, ବିପର୍ଯ୍ୟୟ ପ୍ରଶମନ, କୃଷି, ପର୍ଯ୍ୟଟନ, ଚଳଚ୍ଚିତ୍ର ଓ ମନୋରଞ୍ଜନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଡ୍ରୋନ ପ୍ରଯୁକ୍ତିର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ ।

ସେ କହିଥିଲେ, ଆଗାମୀ ଦିନରେ ନିଶ୍ଚିତ ଭାବେ ଡ୍ରୋନ ପ୍ରଯୁକ୍ତିର ବ୍ୟବହାର ବୃଦ୍ଧି ପାଇବ । ପ୍ରଗତି ସମୀକ୍ଷା ଏବଂ କେଦାରନାଥ ପ୍ରକଳ୍ପର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଡ୍ରୋନ ପ୍ରଯୁକ୍ତିର ବ୍ୟବହାର ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସହଜ କରିଛି। ଡ୍ରୋନ ପ୍ରଯୁକ୍ତି ଚାଷୀଙ୍କ ସଶକ୍ତିକରଣ ଏବଂ ସେମାନଙ୍କ ଜୀବନକୁ ଆଧୁନିକ କରିବା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ। ଦେଶରେ କୃଷି କ୍ଷେତ୍ରରେ ସହାୟତା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାଦ୍ବାରା ପ୍ରଯୁକ୍ତି ଆଉ ଚାଷୀମାନଙ୍କୁ ଭୟଭୀତ କରୁନାହିଁ। କିଛି ମାସ ପୂର୍ବରୁ, ଡ୍ରୋନ ଉପରେ ଅନେକ କଟକଣା ରହିଥିଲା । ଖୁବ୍‌ କମ ସମୟ ମଧ୍ୟରେ ଆମେ ଅଧିକାଂଶ କଟକଣାକୁ ଉଚ୍ଛେଦ କରିଛୁ । ପିଏଲଆଇ ଭଳି ଯୋଜନା ମାଧ୍ୟମରେ ଏକ ଦୃଢ଼ ଡ୍ରୋନ ଉତ୍ପାଦନ ଇକୋସିଷ୍ଟମ ବିକଶିତ କରିବା ଦିଗରେ ଆମେ ଅଗ୍ରସର ହେଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର