ସମ୍ବଲପୁର : ଆଇଆଇଏମ୍ ସମ୍ବଲପୁର ଓ ଏଠାକାର ଅନ୍ୟ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ବିଦ୍ୟାର୍ଥୀ ଏବଂ ପେସାଦାରଙ୍କ ପାଇଁ ଏହି ସମଗ୍ର ଅଞ୍ଚଳ ଏକ ପ୍ରାକୃତିକ ପ୍ରୟୋଗଶାଳା ଭାବେ କାମ କରିବ। ଏଠି ହୀରାକୁଦ ଡ୍ୟାମ୍, ଡେବ୍ରିଗଡ଼ ଅଭୟାରଣ୍ୟ, ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମସ୍ଥଳ ରହିଛି। ସମ୍ବଲପୁରୀ ହସ୍ତତନ୍ତ, ଇକ୍କତ୍ ଫ୍ୟାବ୍ରିକ୍, ସ୍ଥାନୀୟ ହସ୍ତକଳା ଅତି ସ୍ବତନ୍ତ୍ର। ସମ୍ବଲପୁରର ଏହି ‘ଲୋକାଲ୍’କୁ ‘ଭୋକାଲ୍’ କରିବା ଆଇଆଇଏମ୍ ବିଦ୍ୟାର୍ଥୀଙ୍କ ଗୁରୁ ଦାୟିତ୍ବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଶନିବାର ବସନ୍ତପୁରଠାରେ ଆଇଆଇଏମ୍ ସମ୍ବଲପୁର ସ୍ଥାୟୀ କ୍ୟାମ୍ପସ୍ର ଭିତ୍ତିପ୍ରସ୍ତର ସ୍ଥାପନ କରି ପ୍ରଧାନମନ୍ତ୍ରୀ କହିଲେ, ସମ୍ବଲପୁର ଓ ଏହାର ଆଖପାଖ ଅଞ୍ଚଳ ବହୁବିଧ ଖଣିଜ ପଦାର୍ଥ ପାଇଁ ବି ସମୃଦ୍ଧ। ଦେଶର ଏହି ପ୍ରାକୃତିକ ସମ୍ପଦର କିଭଳି ଶ୍ରେଷ୍ଠ ବିନିଯୋଗ ହେବ, ଏହାର ଉପଯୁକ୍ତ ପରିଚାଳନା ଓ ପ୍ରବନ୍ଧନ ହେବ, କିଭଳି ଏହା ଅଞ୍ଚଳର ବିକାଶ କାମରେ ଲାଗି ପାରିବ, ତାହା ସୁନିଶ୍ଚିତ କରିବା ବି ଆଇଆଇଏମ୍ ଛାତ୍ରଛାତ୍ରୀଙ୍କ ଦାୟିତ୍ବ ହେବ। ବଣ ସଂପଦ, ଖଣିଜ, ରଂଗବତୀ ସଂଗୀତ, ଆଦିବାସୀ କଳା ଓ ସଂସ୍କୃତି, ସ୍ବଭାବ କବି ଗଂଗାଧର ମେହେରଙ୍କ କବିତା ଓଡ଼ିଶାରେ କଣ ନାହିଁ? ସମ୍ବଲପୁରୀ ଟେକ୍ସଟାଇଲ୍ ହେଉ କି କଟକର ତାରକସି ଯଦି ଆପଣମାନେ ଓଡ଼ିଶାର କଳାର ବିକାଶ ଦିଗରେ କାର୍ଯ୍ୟ କରିବେ ତାହେଲେ ଆତ୍ମନିର୍ଭର ଭାରତ ଯୋଜନା ଆହୁରି ଗତିଶୀଳ ଓ ସଫଳ ହେବ। ଆଇଆଇଏମ୍ର ଯୁବ ସାଥୀମାନେ ଲୋକାଲ୍କୁ ଗ୍ଲୋବାଲ୍ ବନାଇବାର ନୂଆ ସମ୍ଭାବନା ଖୋଜିବେ। ସ୍ଥାନୀୟ ଉତ୍ପାଦକୁ ବିଶ୍ବ ପରିଚୟ ଦେବାରେ ଆମ ଆଇଆଇଏମ୍ ଏକ ସେତୁର କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ସମ୍ବଲପୁର ହେବ ବଡ଼ ଶିକ୍ଷା ହବ୍
ଭର୍ଚୁଆଲ୍ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଜୟ ଜଗନ୍ନାଥ ଓ ଜୟ ମାଁ ସମଲେଶ୍ବରୀ କହି ନୂଆ ବର୍ଷର ଶୁଭେଚ୍ଛା ଜଣାଇ ଓଡ଼ିଆରେ ଉଦ୍ବୋଧନ ଆରମ୍ଭ କରିଥିଲେ। ନିଜର ଅଧଘଣ୍ଟିଆ ଅଭିଭାଷଣରେ ସେ କହିଲେ, ଆଇଆଇଏମ୍ ସମ୍ବଲପୁରର ମନ୍ତ୍ର ହେଉଛି ‘ନବସର୍ଜନମ୍, ସୂଚିତା, ସମାବେଶତତ୍ତ୍ବମ୍। ଆପଣମାନେ ଏହି ମନ୍ତ୍ରର ଶକ୍ତି ସହ ଦେଶକୁ ନିଜ ପ୍ରବନ୍ଧନର ପ୍ରତିଭା ଦେଖାଇବାକୁ ପଡ଼ିବ। ଦେଶର ସମତୁଲ ବିକାଶ ଆପଣ ମାନଙ୍କ ଦାୟିତ୍ବ। ଯେଉଁଠି ଆଇଆଇଏମ୍ କ୍ୟାମ୍ପସ୍ ତିଆରି ହେଉଛି ସେଠି ପୂର୍ବରୁ ମେଡିକାଲ୍ ଓ ଇଂଜିନିୟରିଂ ବିଶ୍ବବିଦ୍ୟାଳୟ ସହ ଆହୁରି ୩ଟି ବିଶ୍ବବିଦ୍ୟାଳୟ ରହିଛି। ସେଇଠି ସୈନିକ ସ୍କୁଲ, ସିଆର୍ପିଏଫ୍ କ୍ୟାମ୍ପସ୍, ପୁଲିସ୍ ତାଲିମ ପ୍ରତିଷ୍ଠାନ ଆଦି ରହିଛି। ଯେଉଁମାନେ ସମ୍ବଲପୁରକୁ ବେଶୀ ଜାଣି ନାହାନ୍ତି ସେମାନେ ବି ଏବେ ଅନୁମାନ ଲଗାଇ ପାରିବେ ଯେ ଆଇଆଇଏମ୍ ଭଳି ପ୍ରତିଷ୍ଠିତ ସଂସ୍ଥାନ ତିଆରି ପରେ ଏହି କ୍ଷେତ୍ର କେତେ ବଡ଼ ଶିକ୍ଷା ହବ୍ ହେବାକୁ ଯାଉଛି।
ଏହି ଦଶନ୍ଧି ଭାରତୀୟ କମ୍ପାନିଗୁଡ଼ିକର ହେବ
ପ୍ରଧାନମନ୍ତ୍ରୀ ଆହୁରି କହିଲେ, ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ୍ ଓଡ଼ିଶାର ମହାନ୍ ସଂସ୍କୃତି ଓ ସମ୍ବଳର ବାର୍ତ୍ତା ଦେବା ସହ ଓଡ଼ିଶାକୁ ପ୍ରବନ୍ଧନ ଦୁନିଆରେ ନୂଆ ପରିଚୟ ଦେବାକୁ ଯାଉଛି। ବିଗତ ଦଶନ୍ଧି ଗୁଡ଼ିକରେ ବାହାରର ବହୁରାଷ୍ଟ୍ରୀୟ କମ୍ପାନିମାନେ ଆମ ଦେଶକୁ ବହୁ ସଂଖ୍ୟାରେ ଆସିଛନ୍ତି ଓ ଏଠାରେ ସମୃଦ୍ଧ ହୋଇଛନ୍ତି। ଏହି ଦଶନ୍ଧି ଓ ଶତାବ୍ଦୀ ଭାରତରେ ନୂଆ ନୂଆ ବହୁରାଷ୍ଟ୍ରୀୟ କମ୍ପାନି ଛିଡ଼ା ହେବେ ଓ ସାରା ଦୁନିଆରେ ଆଧିପତ୍ୟ ବିସ୍ତାର କରିବ। ଆଜିର ଷ୍ଟାର୍ଟଅପ୍ ଗୁଡ଼ିକ ଆସନ୍ତାକାଲି ବହୁରାଷ୍ଟ୍ରୀୟ କମ୍ପାନି ପାଲଟିବ। ଏହି ଷ୍ଟାର୍ଟଅପ୍ଗୁଡ଼ିକ ଅଧିକାଂଶ ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ସହରରେ ମୁଣ୍ଡ ଟେକୁଛନ୍ତି। ଏହି ଷ୍ଟାର୍ଟଅପ୍ ଓ ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକ ଆଗକୁ ବଢ଼ିବା ପାଇଁ ଅଧିକ ସଂଖ୍ୟାରେ ଦକ୍ଷ ଓ ପ୍ରତିଭାବାନ ମ୍ୟାନେଜର ଆବଶ୍ୟକ। ଭାରତୀୟ କମ୍ପାନିଗୁଡ଼ିକୁ ନୂଆ ଉଚ୍ଚତାରେ ପହଞ୍ଚାଇବାରେ ଆଇଆଇଏମ୍ ଭଳି ସଂସ୍ଥାରୁ ବାହାରୁଥିବା ପ୍ରତିଭାବାନ ଯୁବ ସମ୍ବଳ ପ୍ରମୁଖ ଭୂମିକା ତୁଲାଇବ।
ବ୍ରାଣ୍ଡ୍ ଇଣ୍ଡିଆକୁ ବିଶ୍ବ ପରିଚୟ ଦେବା ଯୁବଶକ୍ତିର ଦାୟିତ୍ବ
ବର୍ତ୍ତମାନ କୃଷିକ୍ଷେତ୍ରରୁ ନେଇ ମହାକାଶ କ୍ଷେତ୍ର ପର୍ଯ୍ୟନ୍ତ ଯେଉଁ ଅଭୂତପୂର୍ବ ପରିବର୍ତ୍ତନର ଧାରା ଆରମ୍ଭ ହୋଇଛି ସେଥିରେ ଷ୍ଟାର୍ଟଅପ୍ର ଭୂମିକା ବହୁତ ଅଧିକ। ସେଥିପାଇଁ ଆପଣମାନେ ନିଜକୁ ପ୍ରସ୍ତୁତ କରିବାକୁ ହେବ। ଆପଣଙ୍କ କ୍ୟାରିୟର୍କୁ ଭାରତର ଆଶା ଓ ସମ୍ଭାବନା ସହ ଯୋଡ଼ିବାକୁ ହେବ। ଏହି ନୂଆ ଦଶନ୍ଧିରେ ବ୍ରାଣ୍ଡ ଇଣ୍ଡିଆକୁ ନୂଆ ବୈଶ୍ବିକ ପରିଚୟ ଦେବା ଆମ ସମସ୍ତଙ୍କର, ବିଶେଷ କରି ଆମ ଯୁବଶକ୍ତିର ଦାୟିତ୍ବ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଧର୍ମେନ୍ଦ୍ରଙ୍କୁ ପ୍ରଶଂସାରେ ପୋତିଲେ
ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ବ ଦେଇ ପ୍ରଧାନମନ୍ତ୍ରୀ କହିଲେ, ପୂର୍ବରୁ ସମସ୍ୟାକୁ ସାମୟିକଭାବେ ଦୂରେଇ ଦେବା ଆମ ଦେଶର ମାନସିକତା ଥିଲା। ଏବେ ଦୀର୍ଘମିଆଦି ଓ ସ୍ଥାୟୀ ସମାଧାନ ଆମର ଆଭିମୁଖ୍ୟ ପାଲଟି ଯାଇଛି। ପୂର୍ବରୁ ବ୍ୟାଙ୍କର ଦ୍ବାରା ମାଡ଼ି ନ ଥିବା କୋଟିକୋଟି ଗରିବ ଲୋକ ଜନଧନ ଯୋଜନାରେ ବ୍ୟାଙ୍କ ଖାତା ଖୋଲିଛନ୍ତି। ପୂର୍ବରୁ ରୋଷେଇ ଗ୍ୟାସ୍ ଆଭିଜାତ୍ୟର ପ୍ରତୀକ ଥିଲା। ୨୦୧୪ରେ ଦେଶରେ ମାତ୍ର ୧୪ କୋଟି ଗ୍ୟାସ୍ ସଂଯୋଗ ଥିଲା। ୨୦୨୦ରେ ୨୮ କୋଟି ଘରେ ରୋଷେଇ ଗ୍ୟାସ୍ ପହଞ୍ଚି ପାରିଛି। ୬୦ ବର୍ଷରେ ୫୫% ଘରେ ପହଞ୍ଚିଥିବା ଗ୍ୟାସ୍ ସଂଯୋଗ ମାତ୍ର ୬ ବର୍ଷରେ ୯୮%କୁ ଛୁଇଁଛି। ଉଜ୍ଜ୍ବଳା ଯୋଜନାରେ ଓଡ଼ିଶାରେ ବି ପ୍ରାୟ ୫୦ ଲକ୍ଷ ଗରିବ ଲୋକଙ୍କୁ ଗ୍ୟାସ୍ ସଂଯୋଗ ମିଳିଛି। ଏହା ପ୍ରବନ୍ଧନ ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟୟନ ଓ ଅନୁଶୀଳନର ପ୍ରସଂଗ। ଆପଣ ଦେଶର ଆବଶ୍ୟକତା ଓ ଆହ୍ବାନକୁ ଯେତେ ଭଲ ଭାବରେ ବୁଝି ପାରିବେ ସେତିକି ଭଲ ମ୍ୟାନେଜର୍ ହୋଇ ପାରିବେ। ଦେଶର ବିକାଶରେ ସେତିକି ଭାଗୀଦାର ହୋଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଉଜ୍ଜ୍ବଳା ଯୋଜନାର ସଫଳତା ସଂପର୍କରେ କହିବା ବେଳେ ସେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତିବା ସହ ତାଙ୍କୁ ଓଡ଼ିଶାର ରତ୍ନ ବୋଲି ସମ୍ବୋଧିତ କରିଥିଲେ।