ପୁଣି ଈଶାକଙ୍କୁ ନେଇ ଚର୍ଚ୍ଚା; ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ କଲେ ଆଲୋଚନା

‘ଈଶାକଙ୍କ ପ୍ରାୟାସ ଅନେକ କାରଣରୁ ସ୍ବତନ୍ତ୍ର’

ଯୁଯୁମୁରା : ଅନ୍ତର୍ଜାତୀୟ ସ୍ତରର ୟୁଟ୍ୟୁବର୍‌ ଭା‌ବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ଝାଙ୍କରପାଲି ପଞ୍ଚାୟତ ବାବୁପାଲି ଗାଁର ଈଶାକ ମୁଣ୍ଡା ଏବେ ପୁଣି ଚର୍ଚ୍ଚାରେ। ରବିବାର ଆକାଶବାଣୀରେ ପ୍ରସାରିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଈଶାକଙ୍କ ସଂପର୍କରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ସମ୍ବଲପୁର ଜିଲ୍ଲାର ଏକ ଛୋଟିଆ ଗାଁର ଏହି ଯୁବକଙ୍କ ସଂପର୍କରେ ଆଲୋଚନା କରିବା ପରେ ସମଗ୍ର ଦେଶରେ ଏବେ ଈଶାକଙ୍କ କାର୍ଯ୍ୟ ଓ ଜୀବନଶୈଳୀକୁ ନେଇ ‌ଏହି ଚର୍ଚ୍ଚା ଜୋର୍‌ ଧରିଛି।

ପ୍ରଥମେ ‘ସମ୍ବାଦ’ରେ ‘ଲକ୍‌ଡାଉନ୍‌ ଦେଲା ରୋଜଗାର ଅବସର; ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ୟୁଟ୍ୟୁବର୍‌’ ଶୀର୍ଷକରେ ଈଶାକଙ୍କ ସଂପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା। ଜୁଲାଇ ୩ ତାରିଖରେ ଏହା ପ୍ରକାଶ ପାଇବା ପରେ ସେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଅନ୍ୟ ଗଣମାଧ୍ୟମ ସଂସ୍ଥା ମଧ୍ୟ ତାଙ୍କ ସଂପର୍କରେ ଖବର ପ୍ରସାରଣ କରିଥିଲେ। ସାମାଜିକ ଗଣମାଧ୍ୟମରେ ଏହି ଖବର ଏପରି ଭାଇରାଲ୍‌ ହୋଇଥିଲା ଯେ ଶେଷରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରିୟ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ତାଙ୍କ ସଂପର୍କରେ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ଆରମ୍ଭ କରିବାର ପ୍ରାୟ ୧୨ ମିନିଟ୍‌ ପରେ ଈଶାକଙ୍କ ସଂପର୍କରେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଇଣ୍ଟରନେଟ୍‌ ଏବଂ ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ଜଣେ ନିଜେ ଆତ୍ମନିର୍ଭରଶୀଳ ହୋଇ ପାରିବ। ଏହାଦ୍ବାରା ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବ। ସେ ସଂପର୍କରେ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଈଶାକଙ୍କ କଥା କହିଥିଲେ। ସେ କହିଥିଲେ, ଈଶାକ ଦିନେ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉଥିଲେ। ହେଲେ ଏବେ ସେ ଇଣ୍ଟରନେଟ୍‌ ସେ‌ନ୍‌ସେସନ୍‌ ପାଲଟି ଯାଇଛନ୍ତି। ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ବିଭିନ୍ନ ଭିଡିଓ ଅପଲୋଡ୍‌ କରି ସେ ଏପରି ରୋଜଗାର କରିପାରିଥିବା କହିଥିଲେ। ଈଶାକ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ସେମାନଙ୍କ ସଂପ୍ରଦାୟର କଥା, ସ୍ଥାନୀୟ ବ୍ୟଞ୍ଜନ, ପାରମ୍ପରିକ ଖାଦ୍ୟ ପ୍ରସ୍ତୁତିର ପ୍ରଣାଳୀ, ଗାଁ, ଆଖପାଖ ଲୋକ, ପଡ଼ୋଶୀ, ପରମ୍ପରା, ଚଳଣି ଓ ପରିବାର ସଂପର୍କରେ ଭିଡିଓ ଅପଲୋଡ୍‌ କରୁଛନ୍ତି। ‌ୟୁଟ୍ୟୁବ୍‌ର ଭାବରେ ତାଙ୍କର ଯାତ୍ରା ମାର୍ଚ୍ଚ ୨୦ ତାରିଖରୁ ଆରମ୍ଭ ହୋଇଥିଲା।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଈଶାକ ଓଡ଼ିଶାର ପ୍ରସିଦ୍ଧ ‘ପଖାଳ’ ଖାଇବାର ଭିଡିଓକୁ ୟୁଟ୍ୟୁବ୍‌ରେ ଅପଲୋଡ୍‌ କରି ଚର୍ଚ୍ଚାର କେନ୍ଦ୍ରକୁ ଆସିଥିଲେ। ଏହା ପରଠାରୁ ସେ ଶହେରୁ ଅଧିକ ଭିଡିଓ ଅପଲୋଡ୍‌ କରି ସାରିଛନ୍ତି। ତାଙ୍କର ଏହି ପ୍ରୟାସ ଅନେକ କାରଣରୁ ସ୍ବତନ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହାଦ୍ବାରା ସହରରେ ରହୁଥିବା ଲୋକମାନେ ‌ଗାଁର ଲୋକମାନଙ୍କ ସଂପର୍କରେ ଅନେକ କଥା ଜାଣିବାକୁ ପାଇବାର ସୁଯୋଗ ପାଇବେ ବୋଲି ସେ କହିଥିଲେ। ଈଶାକଙ୍କ ଏହି ପ୍ରୟାସ ଉଭୟ ସଂସ୍କୃତି ଏବଂ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରାଣାଳୀ ଉପରେ ଜ୍ଞାନ ବାଣ୍ଟିବା ସୁଯୋଗ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ପ୍ରାୟ ଗୋଟିଏ ମିନିଟ୍‌ ୫୦ ସେକେଣ୍ଡ୍‌ରେ ସେ ଈଶାକ ଉପରେ ଏହିସବୁ ଆଲୋଚନା କରିଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା: ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ପ୍ରସାରିତ ହେବା ପରେ ପରେ ଈଶାକଙ୍କ ଗାଁକୁ ଗଣମାଧ୍ୟମ, ରାଜନେତା ଏବଂ ବିଶିଷ୍ଟ ଲୋକଙ୍କ ସୁଅ ଛୁଟିଥିଲା। କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ୍‌ରେ ଈଶାକଙ୍କୁ ଶୁ‌ଭେଚ୍ଛା ଜଣାଇଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଓଡ଼ିଶାର ସମ୍ବଲପୁର ଜିଲ୍ଲା ଯୁଯୁମୁରା ବାବୁପାଲି ଅଞ୍ଚଳର ଜନଜାତି ସଂପ୍ରଦାୟର ଈଶାକ ମୁଣ୍ଡାଙ୍କର ଇଣ୍ଟରନେଟ୍‌ ମାଧ୍ୟମରେ ପରିବର୍ତ୍ତିତ ଜୀବନ ଶୈଳୀର ଉଦାହରଣ ଆମ ପାଇଁ ଏକ ନୂଆ ଅନୁଭବ ବୋଲି କହିଥିଲେ। ତାଙ୍କର ଏହି ପ୍ରାୟସ ଅନନ୍ୟ। ଈଶାକ ତାଙ୍କ ଚ୍ୟାନେଲ୍‌ରେ ସ୍ଥାନୀୟ ପାରମ୍ପରିକ ପଦ୍ଧତିରେ ବ୍ୟଞ୍ଜନ ପ୍ରସ୍ତୁତ କରିବା, ସାମାଜିକ ଜୀବନଶୈଳୀର ଭିଡିଓ ପ୍ରସ୍ତୁତ କରିବା ତଥା ସଂସ୍କୃତି ଏବଂ ବ୍ୟଞ୍ଜନର ପ୍ରଚାର ପ୍ରସାର କରିବା ଆମକୁ ପ୍ରେରଣା ଦେବା ସହ ଯୁବଶକ୍ତିଙ୍କ ପାଇଁ କିଛି ନୂଆ କରିବାର ସଂକଳ୍ପର ପ୍ରତୀକ ବୋଲି ଶ୍ରୀ ପ୍ରଧାନ ଟୁଇଟ୍‌ କରିଛନ୍ତି। ସେହିପରି ରେଙ୍ଗାଲି ବିଧାୟକ ନାଉରୀ ନାୟକ ଈଶାକଙ୍କ ଗାଁରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେଠାରେ ‌ଶ୍ରୀ ପ୍ରଧାନ ଫୋନ୍‌ରେ ଈଶାକଙ୍କ ସହିତ କଥା ହେବା ସହିତ ‘ବଣ ମଲ୍ଲୀ ବଣରେ ଥାଏ, ତାଙ୍କୁ ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ପରିଚୟ ଦେଲେ’ ବୋଲି କହିଥିଲେ।

‘ସମ୍ବାଦ’କୁ ଧନ୍ୟବାଦ ଜଣାଇଲେ ଈଶାକ: ପ୍ରଧାନମନ୍ତ୍ରୀ ମୋଦୀ ଈଶାକଙ୍କ ସଂପର୍କରେ ଆଲୋଚନା କରିବା ପରେ ତାଙ୍କ ଗାଁରେ ଖୁସିର ଲହରି ଖେଳିଯାଇଛି। ଈଶାକ ଏ ବାବଦରେ କହିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ନାଁ ନେବା ବହୁତ ବଡ଼ କଥା। ଏହା ତାଙ୍କୁ ବହୁ ପରିମାଣରେ ଖୁସି ଦେଇଛି। ପ୍ରଧାନମନ୍ତ୍ରୀ ତାଙ୍କ ନାଁ ନେବା କଥା ସେ କେବେ ସ୍ବପ୍ନରେ ଭାବି ନଥିବା କହିଥିଲେ। ଆଗକୁ ସେ ଆହୁରି ଭଲ ଭଲ ଭିଡିଓ କରି ଅପଲୋଡ୍‌ କରିବେ ବୋଲି କହିଥିଲେ। ‘ସମ୍ବାଦ’ରେ ତାଙ୍କ ବାବଦରେ ପ୍ରଥମେ ଖବର ପ୍ରକାଶ ପାଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ତାଙ୍କ ସଂପର୍କରେ ଆଲୋଚନା କରିଥିଲେ। ଏହା ତଙ୍କୁ ଅନେକ ଖୁସି ଦେଇଛି। ସେଥିପାଇଁ ସେ ‘ସମ୍ବାଦ’ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର