ବଲାଙ୍ଗୀର: ୧୫୫୦ କୋଟି ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବଲାଙ୍ଗୀର : ଗତ ୨୦ ଦିନ ମଧ୍ୟରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିିଶା ଗସ୍ତରେ ଆସଛନ୍ତି। ଆଜି ବଲାଙ୍ଗୀର ଠାରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସିପହଞ୍ଚିଛନ୍ତି। ବଲାଙ୍ଗୀର ରେଳଷ୍ଟେସନ ନିକଟରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମ ଅବସରରେ ଶ୍ରୀ ମୋଦି ସମୁଦାୟ ୧୫୫୦କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି।

ଏଠାରେ ଆୟୋଜିତ ଉତ୍ସବରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ ଯେ ପୂର୍ବ ଭାରତର ବିକାଶ ସହିତ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ ଚଳାଇଛନ୍ତି। ଏହି କ୍ରମରେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଶିକ୍ଷା, ଯୋଗାଯୋଗ ଓ ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି।ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବଲାଙ୍ଗୀର- ବିଛୁପାଲ୍ଲୀ ରେଳଷ୍ଟେସନ ମଧ୍ୟରେ ନୂଆ ରେଳପଥ ଉଦ୍‌ଘାଟନ କରିବା ସହିତ ସବୁଜ ପତାକା ଦେଖାଇ ରେଳ ଚଳାଚଳର ଶୁଭାରମ୍ଭ କରିଥିଲେ। ସେହିପରି ରାୟଗଡ଼ା ଠାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଉଦ୍‌ଘାଟନ କରିବା ସହିତ ସୁବର୍ଣ୍ଣପୁର ଠାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାସ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କରିଥିଲେ।

ପ୍ରଧାନମନ୍ତ୍ରୀ ରେଳ ଚଳାଚଳକୁ ଉଦ୍‌ଘାଟନ କରି କହିଥିଲେ ଯେ ଏହି ଯୋଗାଯୋଗ ସୁବିଧାର ବିକାଶ ଦ୍ୱାରା କୃଷକମାନେ ସେମାନଙ୍କ ଉତ୍ପାଦିତ ସମାଗ୍ରୀ ବଡ଼ ବଜାରରେ ପହଞ୍ଚାଇବା ସହିତ ଅଧିକ ଲାଭ ପାଇ ପାରିବେ। ସେହିପରି ରେଳପଥ ଖୋଲିବା ଦ୍ୱାରା ଏଠାରେ ନୂତନ ଶିଳ୍ପ ପ୍ରତିଷ୍ଠାର ସୁଯୋଗ ସୃଷ୍ଟି ହେବ। ଏହା ଫଳରେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସାଂସଦ କଲିକେଶ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର