ମୋଦିଙ୍କ ପାଇଁ ଦିନତମାମ ଉତ୍ସାହ

ଠିକ୍‌ ଦିନ ୪ଟା ୪୫ ମିନିଟ୍‌ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ବାଲିଯାତ୍ରା ପଡ଼ିଆରେ ପହଞ୍ଚଲେ। ଠିକ୍‌ ୬ଟା ୪୫ ମିନିଟ୍‌ ସମୟରେ ସଭାସ୍ଥଳ ଛାଡ଼ିଥିଲେ। ଏହାପୂର୍ବରୁ ଠିକ୍‌ ଗୋଟାଏ ବେଳେ ଲୋକମାନଙ୍କୁ ସଭାସ୍ଥଳ ଭିତରକୁ ଛଡ଼ାଯାଇଥିଲା। କିନ୍ତୁ ଶ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ପାଇଁ ଦ୍ୱୈତ ମହାନଗରରେ ସାରାଦିନ ଉତ୍ସୁକତା ଲାଗି ରହିଥିଲା।

କେମିତି ମାରିଥିଲେ ଡାଏଲଗ୍‌
ଜଗନ୍ନାଥ କି ଧରତୀ ବିଶେଷ ହେ… ଏ ଧରତୀ ହୋସଲା ଦେତି ହେ… ୟାହେଁ ସେ ସୁରୁ କୋଇ ବି ଅଭିଯାନ ବିଫଲ୍‌ ନେହିଁ ଯାତା…ଇସ୍‌ ମିଟି କୋ ମେଁ ଶିର୍‌ ଝୁକା କର୍‌ ନମନ୍‌ କରତା ହୁଁ…
ହମ୍‌ ଦୌଡ ସକ୍ତେ ହେଁ… ହିନ୍ଦୁସ୍ତାନ ବଦଲ ସକ୍ତା ହେ..
ଜନତା ସବ୍‌ କୁଛ୍‌ ଜାନ୍‌ତେ ହେଁ…
ଜନପଥ୍‌ ସେ ନେହିଁ ଏ ଜନମତ ସେ ଚଲନେ ବାଲି ସରକାର…
ଏ ଚାର୍‌ ସାଲ୍‌… ସଙ୍କଟ୍‌ ସେ ସିଦ୍ଧି କି ଔର…
ଚାର୍‌ ସାଲ୍‌ କ୍ୟା… ଲମ୍ବା ସଫର୍‌ ତୋ ଅଭି ବାକି ହେ…

ଭିଭିଆଇପି ପାସ୍‌ ବିଭ୍ରାଟ୍‌
ଭିଭିଆଇପି ପାସ୍‌ ବେକରେ ଝୁଲାଇ ବୁଲୁଥିବା ବ୍ୟକ୍ତିଙ୍କୁ ବି ପୁଲିସ ଭିତରକୁ ଛାଡି ନଥିଲା। ପୁଲିସ ସଫାସଫା କହି ଦେଇଥିଲା, ଭିଭିଆଇପିଙ୍କ ନିର୍ଦ୍ଦିଷ୍ଟ ତାଲିକା ରହିଛି। ତା’ ବାହାରେ ଆଉ କିଏ ଭିଭିଆଇପି ନୁହନ୍ତି। ଅନ୍ୟପଟେ ପ୍ରେସ୍‌ ଗ୍ୟାଲେରି ପାଇଁ ଡିସିପିଙ୍କ ସ୍ୱାକ୍ଷରରେ ନିର୍ଦ୍ଦିଷ୍ଟ ପାସ୍‌ ଇସ୍ୟୁ ହୋଇଥିବା ବେଳେ ବିଜେପି ପକ୍ଷରୁ ପ୍ରେସ୍‌ ପାସ୍‌ ବଣ୍ଟା ଯାଇ ଭିତରକୁ ଛଡ଼ା ଯିବାରୁ ସେଠାରେ ବ୍ୟାପକ ଅବ୍ୟବସ୍ଥା ହୋଇଥିଲା। ଏହାକୁ ନେଇ ଆରମ୍ଭରୁ ଶେଷଯାଏ ପ୍ରେସ୍‌ ଗ୍ୟାଲେରିରେ ଠେଲାପେଲା, ପାଟିତୁଣ୍ଡ ଲାଗି ରହିଥିଲା।

ଦଳୀୟ ନେତାଙ୍କ ସମ୍ବର୍ଦ୍ଧନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟକ ବିଜେପି ପକ୍ଷରୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ମଞ୍ଚରେ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ବାଲିଯାତ୍ରାର ସ୍ମାରକୀ ସ୍ୱରୂପ ଏକ ରୌପ୍ୟ ନିର୍ମିର୍ତ ବୋଇତ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ବେଳେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁକୁଟ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ। ସେହିପରି କଟକ ବିଜେପି ପକ୍ଷରୁ ପୂର୍ବତନ ମନ୍ତ୍ରୀ ସମୀର ଦେ, ବିଜେପି ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତି, ବିଶ୍ୱଜିତ୍‌ ମହାନ୍ତି, ରାଜ୍ୟ ମୁଖପାତ୍ର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ମାହାଙ୍ଗାର ବିଜେପି ନେତା ସାରଦା ପ୍ରଧାନ, ନଗର ବିଜେପି ସଭାପତି ଲକ୍ଷ୍ମୀଧର ପ୍ରଧାନ, କର୍ପୋରେଟର ଚିତ୍ତରଞ୍ଜନ ଦାସ, ନିରୋଦ ପଣ୍ଡା, ହେମନ୍ତ ବେହେରା, ହୃଷିକେଶ ପ୍ରଧାନ, ରାଜକୁମାରୀ ସ୍ୱାଇଁ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଏକ ବିଶାଳ ପୁଷ୍ପହାର ଅର୍ପଣ କରି ସଭାମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ।

ରାସ୍ତାରେ କର୍ମୀଙ୍କ ଧାରଣା
ଅପରାହ୍ନ ପାଖାପାଖି ୩ଟା ବେଳେ ଜଗତପୁର ଏବଂ ବିରିବାଟୀ ରାସ୍ତାରେ କମିସନରେଟ୍‌ ପୁଲିସ ବିଜେପି କର୍ମୀଙ୍କୁ ରାସ୍ତାରେ ଅଟକାଇଥିଲା। କୌଣସି କାରଣ ନଥାଇ ପୁଲିସ ଅଟକାଇବାରୁ ଉକ୍ତ ସ୍ଥାନରେ ବିଜେପି କର୍ମୀ ରାସ୍ତାରୋକ କରିଥିଲେ। କଟକ ଜିଲ୍ଲା, ଢେଙ୍କାନାଳ, ଜଗତସିଂପୁର ଅଞ୍ଚଳରୁ ଆସୁଥିବା ବିଜେପି କର୍ମୀଙ୍କୁ ଛଡ଼ା ଯାଇ ନଥିବା ଅଭିଯୋଗ ହୋଇଛି।

ଭାଷଣ ଆରମ୍ଭରୁ ଉଠିଗଲେ
ପ୍ରଧାନମନ୍ତ୍ରୀ ଅପରାହ୍ନ ୫ଟା ୩୦ରେ ଉଦ୍‌ବୋଧନ ଆରମ୍ଭ କରିଥିଲେ। ପଛପଟେ ବସିଥିବା କର୍ମୀଙ୍କୁ ମୋଦିଙ୍କ ମଞ୍ଚ ଠିକ୍‌ ଭାବେ ଦେଖା ଯାଇ ନଥିଲା। କେବଳ ଭାଷଣ ଶୁଣୁଥିଲେ। ଅନେକ କର୍ମୀ ଚେୟାର ଉପରେ ଚଢ଼ିଯାଇଥିଲେ। ଅପରାହ୍ନ ୫ଟା ୪୦ ବେଳକୁ ପାଖାପାଖି ୪ରୁ ୫ ହଜାର କର୍ମୀ ଠିକ ଭାବେ ମୋଦିଙ୍କୁ ଦେଖି ନପାରିବାରୁ ସିଧା ବାଲିଯାତ୍ରା ତଳ ପଡ଼ିଆ ଆଡ଼େ ମୁହାଁଇଥିଲେ। ହେଲିପ୍ୟାଡ୍‌ ନିକଟରେ ରୁଣ୍ଡ ହୋଇଯାଇଥିଲେ। ୬ଟା ବେଳକୁ ପଛପଟେ ଅର୍ଦ୍ଧାଧିକ ସିଟ୍‌ ଖାଲି ପଡ଼ିଥିଲା ।

ନେତା-ପୁଲିସ୍‌-ସାମ୍ବାଦିକ ଧସ୍ତାଧସ୍ତି
ମଞ୍ଚ ଭିତରକୁ ଯିବା ପାଇଁ ପୁଲିସ୍‌ ପକ୍ଷରୁ କଟକଣା ଜାରି କରାଯାଇଥିଲା। ଦିନ ୧୨ ଟା ପରେ ବାରଣ ହୋଇଥିବା ଅଞ୍ଚଳକୁ ଗାଡ଼ି ନନେବାକୁ କୁହାଯାଇଥିଲା। ତେଣୁ ଖବରସଂଗ୍ରହ ପାଇଁ ସାମ୍ବାଦିକମାନେ ଯେତେବେଳେ ଦିନ ୧୦ଟା ବେଳେ ସଭାସ୍ଥଳକୁ ଯାଉଥିଲେ ପୁଲିସ୍‌ ପକ୍ଷରୁ କାହାରିକୁ ଛଡ଼ାଯାଇନଥିଲା। ଡିସିପିଙ୍କ ପକ୍ଷରୁ ଜାରି ହୋଇଥିବା ପାସ୍‌ ସାଥିରେ ଥିଲେ ବି ଡ୍ୟୁଟିରେ ଥିବା ପୁଲିସ୍‌ କର୍ମଚାରୀମାନେ ଭିତରକୁ ଛାଡ଼ିନଥିଲେ। ଏହାକୁ ନେଇ ଉତ୍ତେଜନାସ୍ଥିତି ସୃଷ୍ଟି ହେବା ସହ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା। ପରେ ବରିଷ୍ଠ ପୁଲିସ୍‌ କର୍ମଚାରୀଙ୍କ ହସ୍ତକ୍ଷେପ ପରେ ସ୍ଥିତି ସ୍ୱଭାବିକ ହୋଇଥିଲା। ସେହିପରି ସଭା ଆରମ୍ଭ ହୋଇଯିବା ପରେ ଜଣେ ବରିଷ୍ଠ ନେତା ମଞ୍ଚକୁ ଯିବା ପରିବର୍ତ୍ତେ ମଞ୍ଚ ବାହାରେ ସମର୍ଥକଙ୍କ ଗହଣରେ ବୁଲୁଥିଲେ। ତେବେ ସଭାସ୍ଥଳ ଭିତରେ ଗହଳି ହୋଇଯିବା ପରେ ନେତା ଜଣକ କିଲ୍ଲା ଗେଟ୍‌ ପଟୁ ଭିତରକୁ ଯିବା ପାଇଁ ପ୍ରୟାସ କରୁଥିବାବେଳେ ପୁଲିସ୍‌ ତାଙ୍କୁ ଅଟକାଇଥିଲା। ଏତିକିରେ ନେତାଙ୍କ ସମର୍ଥକ ଓ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରେ ହାତାହାତି ହୋଇଥିଲା। ତେବେ ଅନ୍ୟ ବରିଷ୍ଠ ନେତାମାନେ ସେଠାରେ ପହଞ୍ଚି ଉକ୍ତ ଉତ୍ତ୍ୟକ୍ତ ନେତାଙ୍କୁ ଭିତରକୁ ନେଇଯାଇଥିଲେ।

‘ଜୟ ଜଗନ୍ନାଥ’ କହିବା ପରେ ଏଲ୍‌ଇଡି ଅଚଳ
ସଭାମଞ୍ଚ ଭିତର ଓ ବାହାର ପଟେ ପାଖାପାଖି ୩୦ରୁ ଅଧିକ ଏଲ୍‌ଇଡି ସ୍କ୍ରିନ୍‌ ଲାଗିଥିଲା। ସେଥିରେ ସଭାମଞ୍ଚର ଉଦ୍‌ବୋଧନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସଭା ମଞ୍ଚ ବାହାରେ ଥିବା କର୍ମୀ ଦେଖୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଭାଷଣ ଦେଉଥିଲେ। ସେତେବେଳ ପର୍ଯ୍ୟନ୍ତ ସ୍କ୍ରିନ୍‌ ଚାଲୁଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ସଭାମଞ୍ଚରେ ଚଢ଼ି ଜୟ ଜଗନ୍ନାଥ କହିବା ପରେ ଅଧିକାଂଶ ଏଲ୍‌ଇଡି ଅଚଳ ହୋଇପଡ଼ିଥିଲା।

ପିଇଲେ ମସଲା ଚା’; ଖାଇଲେ ଗୁଡ଼ ରସଗୋଲା
ସଭାମଞ୍ଚକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପାଇଁ ନିର୍ମିର୍ତ ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରେ ପାଖାପାଖି ୧୦ ମିନିଟ୍‌ ବିତାଇଥିଲେ। ଓ୍ଵାସ୍‌ରୁମ୍‌ରୁ ବାହାରିବା ପରେ ପିଏମ୍‌ଓର ଜଣେ ବରିଷ୍ଠ କର୍ମଚାରୀଙ୍କ ସହିତ କଥା ହୋଇଥିଲେ। ସେହି ସମୟରେ ପ୍ରମୋଦ ହୋଟେଲ ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର ମେନୁ ପ୍ରଧାନମନ୍ତ୍ରୀଙ୍କୁ ପରସା ଯାଇଥିଲା। ମେନୁରେ ଥିଲା ପିସ୍ତା, କାଜୁ, ଆଲ୍‌ମଣ୍ଡ, ଆସଟେଡ୍‌ କୁକିସ୍‌, କିସ୍‌ମିସ୍‌ ଆଉ ତା’ ସହିତ ଛେନାପୋଡ଼, ବେକ୍‌ଡ ଗୁଡ ରସଗୋଲା, ହିମାଳୟ ପାଣି, ଅଦା-ଗୋଲମରିଚ-ଲବଙ୍ଗ ମିଶା ମସଲା ଚା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ମସଲା ଚା’, ହିମାଳୟ ପାଣି ସମେତ ବେକ୍‌ଡ ଗୁଡ଼ ରସଗୋଲା ଖାଇଥିିଲେ। ଚା’ ଭଲ ଲାଗିବାରୁ ଉଭୟ ସଭାମଞ୍ଚକୁ ଗଲାବେଳେ ଓ ଉଦ୍‌ବୋଧନ ଦେଇ ଫେରିବା ବେଳେ ମସଲା ଚା’ ପିଇଥିଲେ। ଫେରିବା ବେଳେ ପାଖାପାଖି ୧୫ମିନିଟ୍‌ ବିଶ୍ରାମ କକ୍ଷରେ ଅତିବାହିତ କରିିଥିଲେ। ଜ୍ଞାନ ରଞ୍ଜନ ଜେନାଙ୍କ ସମେତ ପ୍ରମୋଦ ହୋଟେଲର ଅଭିଷେକ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅତିଥି ସତ୍କାର କରିଥିଲେ।

ସମ୍ବନ୍ଧିତ ଖବର